ମଲ୍ଲୀଫୁଲ
ସୁଜାତା ପତି
ମୋ ଦୃଷ୍ଟିରେ ତୁ ସବୁଠୁ ସୁନ୍ଦର
ନାମ ତୋର ମଲ୍ଲୀ ଫୁଲ,
ତୋ ଫୁଲ ବାସ୍ନାରେ ପୁଲକିତ କରୁ
ରୂପ ତୋ ଅମୂଲ ମୂଲ ।
ମନ ଭିତରେ ମୁଁ ଖୋଜୁଥାଏ ତତେ
ସର୍ବଦା ରହେ ତୋ ଅପେକ୍ଷାରେ,
କେବେ ତୁ ଆସିବୁ ପ୍ରସ୍ଫୁଟିତ ହେବୁ
ମହକିବୁ ସାରା ବଗିଚାରେ।
ନିତି ତୁ ଆସୁନା ନିତି ତୁ ଫୁଟୁନା
ତୋ ସୁନ୍ଦରତାର ମହକ ନେଇ,
ଅଳ୍ପ ଦିନ ପାଇଁ ତୁ ଆସିଯାଉ
ସ୍ମୃତି ଦେଉ ସାରା ବର୍ଷ ପାଇଁ।
ରୂପ ତୋ ସୁନ୍ଦର ରଂଗ ତୋ ସୁନ୍ଦର
ସମସ୍ତେ କରନ୍ତି ତୋର ଆଦର,
ଯେଉଁଠି ବି ରହୁ ମହକ ତୁ ଦେଉ
ସେଥିପାଇଁ ତୁ ମୋ ଅତି ନିଜର।
ଦୁନିଆ ମଞ୍ଚରେ ଅତିଥି ଆମେ ତ
କେତେବେଳେ କିଏ ଚାଲିଯିବା,
ଅଳ୍ପ ଦିନ ପାଇଁ ରହିଲେ ଧରା ରେ
ମଲ୍ଲୀ ଫୁଲ ପରି ମହକିବା।
ଭୁବନେଶ୍ବର