ଏତେ ଘୃଣା ଭାବ କାହିଁ ରହୁଛି
ତୁମର କି ଯାଏ ମୁଁ କାନ୍ଦୁ ଥାଏ
ମୋର ଆଖି ଲୁହ ଦେଖା ଯାଉନି,
ମୋ ପରି ଭକତ ଥାଉ ଥାଉ ବାବା
କାହାକୁ ଖୋଜୁଛ ଜାଣି ପାରୁନି ।
ଦୁଃଖ ଯେତେବେଳେ ଯାଚିକି ଦେଉଛ
କି ସୁଖ ମାଗିବି କୁହ ହେ ପ୍ରଭୁ,
ଦେଇଦେଲେ କିଛି ସରିଯିବ କାଳେ
ସେଇଲାଗି ଊଣା କରୁଛ ସବୁ ।
ମନ୍ଦିର ରେ ଆଜି ମୁଣ୍ଡ ପିଟି ପିଟି
ସବୁ ଦୁଃଖ ମୋର ଆସିଛି କହି,
ଜାଣିନି ସେକଥା ତୁମ କାନ ଯାଏଁ
କୋଉ ଦିନ ପୁଣି ଯିବ କି ନାହିଁ ।
ୟାକୁ ତାକୁ ପୁଣି ଯାଚି କି ଦେଉଛ
ଅଣ୍ଟି ପତେଇ ମୁଁ ଚାହିଁ ରହିଛି,
ଜାଣିନି ତୁମର ମୋ ପ୍ରତି ଠାକୁରେ
ଏତେ ଘୃଣା ଭାବ କାହିଁ ରହୁଛି ।
ସବୁ ଜାଣି ଯଦି ଏପରି କରିବ
ଶୁଣିବ କିଏ କହିବି କାହାକୁ,
ତୁମ ସୃଷ୍ଟି ରେ ବି ମୋର ସ୍ଥାନ ଅଛି
କହିବାକୁ ପଡ଼ିବ କି ତୁମକୁ ।
ପ୍ରେମଲତା ସାହୁ
ଆଠଗଡ, କଟକ