ଦିଗହରା ପକ୍ଷୀ
ଏକ ନୂତନ ସକାଳ ଅପେକ୍ଷାରେ
ଦିଗହରା ପକ୍ଷୀଟିଏ ମୁଁ
ଦିଗବଳୟ ବ୍ଯାପି
ଏ ଡାଳରୁ ସେ ଡାଳ
ଏ ପାହାଡରୁ ସେ ପାହାଡ
ଖୋଜିବୁଲେ ଚେନାଏ ସୁଖ!
କେବେ ସୂର୍ଯ୍ଯକୁ ଭଲପାଏ
କେବେ ଝରଣାକୁ ଛୁଇଁଦିଏ
ହଁ,
ଛୁଇଁଦିଏ ତା’ ରଙ୍ଗହୀନ ମଖମଲି ଶରୀରକୁ
କେବେ ଫୁଲକୁ ବି ତୋଳିଆଣେ
ନିରାଶାରେ ବି ଆଶାକୁ ଖୋଜିହୁଏ
ଯେଣୁ ଦିଗହରା ପକ୍ଷୀଟିଏ ମୁଁ!
କେବେ ମୋ ଚଞ୍ଚୁକୁ ଘଷେ ଥୁଣ୍ଟା ଗଛର କାଠରେ
ପୁରୁଣା ଦିନକୁ ମନେପକାଇ
ସେ ପୂର୍ବ କୋରଡ ପାଖରେ
ସେ ଅକାଳ ମହାବାତ୍ଯାରେ ଉଜୁଡି ଯିବା ପରେ
ଫର୍ଦ୍ଦ ଫର୍ଦ୍ଦ ଲେଉଟାଉଥା’ନ୍ତି ଖୋଜୁଥା’ନ୍ତି
ସବୁ ବନ୍ଧୁବର୍ଗଙ୍କର ଠିକଣା
ପାଇଲେ ତ!
ସେମାନଙ୍କ ସନ୍ଧାନରେ ଉଡିଯାଏ
ସେଥିପାଇଁ ତ ଦିଗହରା ପକ୍ଷୀଟିଏ ମୁଁ!
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା