ଡିବିରି
ଅନ୍ଧାର ରାଣୀ ମର୍ତ୍ତ୍ୟକୁ ଆବୋରି ନେଲା ପରେ
ପ୍ରଥମେ ଲୋଡା ହୁଏ ଯିଏ
_ସେ ଡିବିରି!_
ରାତିର ଶୋଷ ମାରିବା ପାଇଁ କିରୋସିନ ପିଇ
ଆହୋରାତ୍ର ଜଳୁଥାଏ ଯିଏ
_ସେ ଡିବିରି!_
ଦିନଯାକ ଓଦା ହେଉନଥିବା କୋହଭରା ଆଖିରେ
ରାତି ରାତି ଭିଜିଥାଏ ଯିଏ
_ସେ ଡିବିରି!_
ରାତି ଅଧରେ ହୃଦୟ ବେଦନାକୁ ଗାରେଇଲା ପରେ
ଲିଖିତ ଚିଠିର ସାକ୍ଷୀ ଯିଏ
_ସେ ଡିବିରି!_
ଦିନର ଥକ୍କା ମେଣ୍ଟେଇବାକୁ ପୃଥିବୀ ଶୋଇଗଲା ପରେ
ରାତି ସାରା ଚେଇଁ ଥାଏ ଯିଏ
_ସେ ଡିବିରି!_
ଅନ୍ଧାର ଶିକ୍ଷାରେ ବାଧା ଉପୁଜାଉଥିଲା ବେଳେ
ଶିକ୍ଷାର୍ଥୀକୁ ଶିକ୍ଷଣମନସ୍କ କରେ ଯିଏ
_ସେ ଡିବିରି!_
ଦିନର ନିର୍ଭୀକ ମଣିଷ ରାତିରେ ଭୟାତୁର ହେଲାବେଳେ
ହନୁମାନ ଚାଳିଶାର କାମ କରେ ଯିଏ
_ସେ ଡିବିରି!_
ନିଜର ଅବର୍ତ୍ତମାନରେ ସ୍ଵମନସ୍କ ହୋଇ ଉପସ୍ଥିତ ଥିବା
ଅନୁପସ୍ଥିତି କୁ ଜାହିର କରେ ଯିଏ
_ସେ ଡିବିରି!_
ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା,କଟକ,ବାଙ୍କୀ
Bahut sundar upasthapana…amiti lekha chalu rahu…bahut agaku jao…