ଭାଗ୍ୟର ବିଡମ୍ବନା
ପ୍ରମୋଦ କୁମାର ପଣ୍ଡିତ
ହିଞ୍ଜିଳିକାଟୁ ଗଞ୍ଜାମ
ଓଡ଼ିଶାର ପୂର୍ବ ଦିଗରେ ବଙ୍ଗୋପ ପାରାବାର ,
ଯାଉଥିଲା ସାଧବ ପୁଅ କରିବାକୁ ବେପାର ।
ଧନ ଦଉଲତ ବୋହିଣ ଆଣୁଥିଲା ଦେଶକୁ ,
ତା’ର କିମ୍ବଦନ୍ତୀ ଭସାଉ କଦଳୀ ପଟୁକାକୁ ।
ସେ କାଳ ଯାଇଛି ଆସିଛି ଯନ୍ତ୍ର ଚାଳିତ ଯାନ ,
ବୋହି ଆଣୁଅଛି ଜାହାଜ ବହୁ ଜିନିଷ ମାନ ।
ଏ ଦେଶର ବହୁଖଣିଜ କରୁଅଛି ରପ୍ତାନୀ,
ବିଦେଶ ଜିନିଷ ବଣିକ କରୁଛି ଆମଦାନୀ ।
ପଶ୍ଚିମରେ ଗଢା ହୋଇଛି ଇସ୍ପାତ କାରଖାନା ,
ଉତ୍ପାଦନ ହୁଏ ଜିନିଷ ବହୁ ରକମ ନାନା ।
ଦେଖିବାକୁ ଲାଗେ ସୁନ୍ଦର କୋଣାରକର କଳା ,
ଶିଳ୍ପୀଙ୍କର କଳା କୁଶଳ କରିଦିଏ ବାଉଳା ।
ପତିତ ପାବନ କେତନ ନିଳାଚଳରେ ରହି,
ଜଗତନାଥଙ୍କୁ ଦେଖିଣ ପାପ ଯାଏ ପଳାଇ ।
ତାରକସି କାମ ସୁନ୍ଦର କଟକ ସହରରେ ,
ଶିଙ୍ଗ କାମରେ ନିପୁଣଟି ପାରଳାଖେମୁଣ୍ଡିରେ।
କଣ୍ଟିଳର ନିଳମାଧବ ସହ କଂସା ବାସନ ,
ସମ୍ବଲପୁର ପରିପାଟୀ ମଣିବନ୍ଧା ବସନ ।
ପିପିଲି ଚାନ୍ଦୁଆ କିଣଇ ଲୋକଙ୍କର ମନକୁ ,
ବ୍ରହ୍ମପୁର ପାଟ ସମ୍ଭାର କିଣିନିଏ ଚିତ୍ତକୁ ।
ଶସ୍ୟ ସମ୍ପଦରେ ପୂରଣ ଏ ଓଡିଶା ରାଇଜ ,
ତଥାପି କାହିଁକି ଓଡ଼ିଆ ପାଉ ନାହିଁଟି ପେଜ ।
ଥିଲା ଦିନେ ବୀର ଓଡ଼ିଆ ଭୀରୁ ଆଜି ହୋଇଛି ,
ସଉଦାଗର ଆଜି ଦାଦନ ଖଟିବାକୁ ଯାଉଛି ।
ଧୋଇ ମରୁଡିରେ ସଢୁଛି ଆଜି କୃଷକ ଭାଇ ,
ଗରିବ ବନିଣ ଭାଗ୍ୟର ବିଡମ୍ବନା ଭାବଇ ।