ଯଶୋଧାରା
ମିନତି ଦାଶ
ଅଗଣାରେ ବିରାଜେ ସନ୍ୟାସ!
ଅନାସକ୍ତ ର ବୁକୁଚିରା ଦୀର୍ଘଶ୍ବାସ—
ଷଡ ଋତୁ ସାଜିପାରେ
ଏକ ଋତୁ—-
ସାରା ବର୍ଷ ନୀରୂତା ବସନ୍ତ:
ଅସରା ଅସରା ବଉଳର
ଲୁବ୍ଧ ସୁରଭିରେ
ଅନୁଭବ ଅନୁଭୂତି
ଆକାଂକ୍ଷା ଅପେକ୍ଷା
କରିବନି ରୋମାଞ୍ଚିତ ତାକୁ,
ପ୍ରିୟ ର ଅଫେରା ମୁଖ
ହରିଅଛି ସବୁ ସୁଖ
ଜୀବନ ବି ସାଜିଛି ବିମୂଖ
ହଜିଛି ବସନ୍ତ ।
ଗୌତମ ଯାଇଛି ହଜି
ଦିଗନ୍ତ ସେପାରେ
ଖୋଜୁ ଖୋଜୁ ଅମୃତର ଫଳ,
ଚାଖିବାକୁ ସ୍ବାଦ ଅମୃତର-….
ଶାଖାରେ ଶାଖାରେ ପ୍ରତି ବିଟପରେ
ମୁଗ୍ଧ ମାଦକତାର ଓହଳରେ
ନୁହେଁ ସେ ବିମୁଗ୍ଧ ,ନୁହେଁ ସେ ବିହ୍ବଳ
ନୁହେଁ ବି ବିଭୋର,
ମୋହବିଷ୍ଟ ସେ ନିଜସ୍ବ
ଉଦାସ ପଣରେ—-।
ଅବଶେଷ ସ୍ମୃତି ଯା ବସନ୍ତର,
ଶାକ୍ୟବଂଶୀ ଶାକ୍ୟମୁନି ହେବା
ପୂର୍ବର …. ବହୂ ପୂର୍ବର—‘
ମୋହାଛ୍ଛନ୍ନ ସେ ଥିଲା ମହକର ମାୟାରେ,
ହଜୁଥିଲାସେ ତମାମ୍ ଦିବସ ରଜନୀ
ଉତ୍ତୁଙ୍ଗ ଉନ୍ମାଦନାରେ–‘
ବିହୋର ଚଞ୍ଚଳ ଥିଲା ଦିବସ
ରଜନୀ,
ମଳୟରେ ମଧୁବନ୍ତି
କାକଳି ରେ ମଧୁ,
ଜୀବନରେ ସାତ ସୁର
ଇନ୍ଦ୍ରଘନୁ ରଙ୍ଗ….।
ପୈଶୁନ୍ୟ ର ଋତୁ ଏକ
ଅକାଳେ ଅଇଲା,
ଚୌର୍ଯ୍ୟ ପଣେ ହରି ନେଲା
ପ୍ରଣୟ ପ୍ରାଚୁର୍ଯ୍ୟ,
ସାଥେ ମୁଗ୍ଧ ବିଭୋରତା
ସଂସାର ସୌନ୍ଦର୍ଯ୍ୟ।
ଅବେଳରେ ହଜିଗଲା
ସାରା ଶିଶିର ସିକ୍ତ ସକାଳ—-
ଫଗୁଣର ଫଗୁବୋଳା ସଞ୍ଜ
ପ୍ରଲୁବ୍ଧା ସେ ପ୍ରେମସିକ୍ତା
ବୁଡିଗଲା ସାତ ତାଳ ପଙ୍କେ
ହଜେଇଲା ଗୌତମକୁ–।
ଲଣ୍ଡିତ ମସ୍ତକ କେହି
ଦେଖାଦେଲା ସିଦ୍ଧାର୍ଥ ନାମରେ—-‘
ଯାଇଛିଯେ –ପଳାତକ ଭୀରୁ-”’
କୋଇଲି, କାକର, କାକଳୀରେ
ଜାଗେନା ଆକାଂକ୍ଷା,
ଝୁରେନା ଅନ୍ତର,
କହେନା ସେ ଫେରୁ।
ପୋଥିରୁ ପୁରାଣ — ପ୍ରମାଣ ସର୍ବତ୍ର—-
ଜନକ ବଶିଷ୍ଠ ପୁଣି ଋଷି ବିଶ୍ବାମିତ୍ର
ପରିବାର ପତ୍ନୀ ସହ ପରମ୍ ବ୍ରହ୍ମ ଭେଟ
ନ ହୁଅଇ ବ୍ୟର୍ଥ!
ସ୍ବକୀୟ ବିଶ୍ବାସଠୁ
ପ୍ରଭୁ କିବା ଶ୍ରେୟ ?
ଛାତିତଳ ଲହୁର କି ଅଛି ବିନିମୟ?
ପଳାତକ ଯେ ପଳାତକ:
ନହୁ କେବେ ଆଗନ୍ତୁକ
ବରିଚି ସେ ଜନ୍ଭ ଜନ୍ମାନ୍ତର ଶୋକ।
ବାରିପଦା