ଶୀର୍ଷକ – ବସୁନ୍ଧରାର ସ୍ୱର
କିଏ ଦେଇଥିଲା ନା
ଦେଇପାରେ..?
ମାଟିରେ ଚାଲିବାକୁ,
ପବନକୁ ଛୁଇଁବାକୁ,
ସୂର୍ଯ୍ୟକୁ ଅନେଇବାକୁ,
ପାଣିକୁ ପିଇବାକୁ ଆଉ
ଜହ୍ନକୁ ଭଲ ପାଇବାକୁ
ଅଧିକାର..?
କିଏ ଦେଇଥିଲା ନା ଦେଇପାରେ..?
ଦେଖ..
ତୁମ ଝରକା ସେପାଖେ
ସମ୍ପର୍କମାନଙ୍କର ଗାଢ ନୀରବତା,
ଗମ୍ଭୀର ନିର୍ଜନତା..
ହେଇ ଦେଖ..
ମେଘ ମେଦୁର ଆକାଶ,
ସନ୍ ସନ୍ ବହୁଥିବା ପବନ,
ଅବିରାମ କିଚିରି ମିଚିରି କରୁଥିବା
ଚଢେଇଙ୍କ ଗଳ୍ପ ଆଉ ଗୀତ,
ବସନ୍ତର ଆଗମନରେ
କୋଇଲିର କୁହୁତାନ,
ଚିର ସବୁଜ ବୃକ୍ଷ,
ଆଉ କୁହୁଡିର ହିଲ୍ଲୋଳ..।
ଇତିହାସର ଜଘନ୍ୟତମ ପୃଷ୍ଠାରେ,
ମୋର ଏ ସ୍ୱର
ଥିଲା, ରହିଛି ଆଉ ରହିଥିବ ମଧ୍ୟ..।।
ଲକ୍ଷ୍ମୀପ୍ରିୟା ବେହେରା,
ଔପଦା,ବାଲେଶ୍ଵର