ଅତି ଆପଣାର
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ପକ୍ଷୀର କାକଳି ନଦୀ କୁଳୁକୁଳୁ
ଆପଣାର ସାଥୀମେଳ
ଖରାବେଳ ଛାଇ କୋକିଳର କୁହୁ
ପିଲାବେଳ ଧୂଳିଖେଳ।
ଆକାଶରେ ତାରାଫୁଲ ମନୋହର
ଚାନ୍ଦିନୀ ରଜନୀ ଚାନ୍ଦ
ଅନେକ ସ୍ମୃତିରେ ଦିନରାତି ବିତେ
ହସକାନ୍ଦ ଭଲମନ୍ଦ।
ତୁଳସୀ ମୂଳରେ ସଞ୍ଜବତୀ ଜାଳେ
ଓଡିଆଣୀ କୁଳବଧୂ
ଜେଜେ ମାଆ ଗପ ବୁଢୀଅସୁରୁଣୀ
ଜଳରାଶି କାଚ କେନ୍ଦୁ।
ଭାଦ୍ରବ ମାସରେ ଖୁଦୁରୁକୁଣୀର
ଭାବ ଭକ୍ତି ଭାବନାରେ
ପୂରି ଉଠେ ମନ ଆପଣାର ଭାବ
ଡଙ୍ଗାଭସା ସଂସ୍କୃତିରେ।
କାଶତଣ୍ଡୀ ଫୁଲ ବିଲ ତୋଟାମାଳ
ସବୁ କିଛି ଆପଣାର
ରଜ ଦୋଳିଖେଳ ରାକ୍ଷୀ ପୂର୍ଣ୍ଣିମା ବି
ମୋ ଗାଆଁ ସଂସ୍କୃତି ଭାର।
ମେଘମାଳା ଦେଖି ମୟୂରର ନୃତ୍ୟ
ଧରଣୀ ଶାଗୁଆ ଶାଢୀ
ନାଲି ସାଧବାଣୀ ଥିରି ଥିରି ଚାଲି
ଛତ୍ର ପ୍ରାୟ ଛତୁ ଧାଡି।
ମୋ ଗାଆଁ ମୂଲକ ପାଣି ପବନରେ
ଲେଖା ମୋ ଜୀବନ ଗୀତ
ସୁନାର କ୍ଷେତ ହିଁ ଚଷା ଭାଇ ମିତ
ଝଡି ବରଷା ଓ ଶୀତ।
ଭାଗବତ ଟୁଙ୍ଗୀ ଭାଗବତ ବାଣୀ
ଦୂରାଏ ମନରୁ କ୍ଳାନ୍ତି
ନିଜ ଗାଆଁ ନିଜ ମାଟି ଆପଣାର
ମନୋହର ରୂପ ଅତି।
ରାକମା, ଭାପୁର, ନୟାଗଡ଼