ଆଶାର ଅଗଣା
ନୀହାରିକା ପଣ୍ଡା
ଆଶା ଆତ୍ମା ଇସାରାର ଅସୁମାରୀ
କେତେବେଳେ ନିଦାଘର ଖରା
ବେଳେବେଳେ ଗଛ ତଳ ଛାଇ,
ଏକ ବା ଅନେକ
ଶାନ୍ତି ଆଉ ଅଶାନ୍ତିର ସମ୍ଭାବନା ବହି ।
ଆଶା ଏକ ଚିରସ୍ରୋତା ନଈ,
ସେ ନଈର ନୀର ଧାର ପାଖେ ନୀଳ
ଆର ପାଖେ ବନ୍ଧ ଭାଙ୍ଗେ କୂଳ ଲଙ୍ଘି ଘାଇ
ଇଚ୍ଛା ତା’ର ଭଙ୍ଗା ଗଢ଼ା
ଆଶ୍ଳେଷ ଓ ଆଶଙ୍କାକୁ ନେଇ ।
ଆଶା ସାଜି ସୁନେଲି ସପନ
ସ୍ୱପ୍ନଭରା ନିଦେ ସେ ଯେ,
ଅମାନିଆ ମନ ଶେଯେ
ଦିନ କିବା ରାତି ଖୋଜି ମଜ୍ଜେ।
ଉଡନ୍ତା ପକ୍ଷୀର ଡେଣାରେ ବି ସେହି
ଆତ୍ମବିଶ୍ଵାସରେ ଦିଏ ଡେଣା ଝାଡି
ମୁକ୍ତାକାଶ କୋଳ ସ୍ପର୍ଶ ଚାହିଁ ଚାହିଁ ।
ପୂର୍ଣ୍ଣିମାର ଇନ୍ଦୁ ହେଲେ
ପକ୍ଷେ ଛିଡେ ପକ୍ଷେ ବଢ଼େ,
ପ୍ରୀତିର ପରଶ ପରଷିବା ଇଚ୍ଛା ସିନା
କୁମୁଦିନୀ ପାଇଁ ଜଳାଶୟ କୋଳେ ।
ପହଞ୍ଚ ବା ଅପହଞ୍ଚ ଅଗଣାର ଆଲିଙ୍ଗନେ
ସ୍ପନ୍ଦନର ସ୍ପନ୍ଦିତର ସୁର,
କିଏ ଜାଣେ କେତେବେଳେ ଆଙ୍କେ ଛବି
ଜୟନ୍ତୀର ଆବାହନୀର ଆବେଗ
ସ୍ମୃତି ପାଇଁ ଶ୍ରଦ୍ଧାଞ୍ଜଳିର ବେଭାର ।
ରାକମା, ଭାପୁର, ନୟାଗଡ଼