ଅନୁଭବୀ ଅନ୍ତର ଅନୁବାଦରେ
ନୀହାରିକା ପଣ୍ଡା
ହେ ବିଶ୍ୱପିତା ଧନ୍ୟ ତୁମ ବିବିଧତା!
ମୁଁ ତୁମକୁ ବିଶ୍ବାସ କରେ
ପ୍ରଭାତର ପ୍ରଭାବତୀ ପ୍ରଫୁଲ୍ଲତାରେ
ପୀୟୂଷବର୍ଷିଣୀ ମେଘମାଳା ଛମ୍ ଛମ୍ ପଦପାତରେ
ବର୍ଣ୍ଣବୋଧର ବର୍ଣ୍ଣନାରେ
ବିଶ୍ୱାବସୁର ଅଖଣ୍ଡ ବିଶ୍ବାସର ଭାବାବେଗରେ।
ହେ ଶ୍ରେଷ୍ଠ କଳା, କୀର୍ତ୍ତି କମନୀୟ କଳାକାର!
ଅନୁଭବୀ ଅନ୍ତର ଅନୁବାଦର ପ୍ରଣତିରେ
ଜୀବନର ଅମାବାସ୍ୟା ରାତିରେ
ଜଞ୍ଜାଳର ବୋଝକୁ ହାଲୁକା କରିବାର ପାରିଲାପଣରେ
ପାଖେ-
ଶିଶୁପାଇଁ ମାତୃସ୍ତନରେ ସଂଜୀବନୀ ସୁଧା ସଂଚାରରେ
ଅପରପାଖେ-
କ୍ଷୁଧା ନିବାରଣ ପାଇଁ ଦାଦନଶ୍ରମିକର ଦାନାଯୋଗାଡର ଦୀନତାରେ।
କୋଭିଡ୍ ର କେଳେଙ୍କାରିରେ
ତୁମ ଉପସ୍ଥିତି ସମସ୍ତେ କୁହନ୍ତି କଳିର କରାଳରେ
ଧର୍ମର ପରାଜୟ, ଅଧର୍ମର ବିକଟାଳ ହସର ବ୍ୟତିକ୍ରମରେ।
କାଳବୈଶାଖୀରେ କାଳିଜାଇରେ ଡଙ୍ଗା ବୁଡିବାରେ କାହାର ନିଖୋଜରେ
ବଡଦେଉଳରେ ବଳରାମ କିନ୍ନରର ଆତ୍ମାହୁତିରେ ନଥିଲା କି ଦିବ୍ୟସତ୍ତା ତା’ର ଜୀବନର ତୁଚ୍ଛତାରେ ସେ ମୁହୂର୍ତ୍ତରେ?
କେମିତି କାହିଁକି କିପରିର ଅଡୁଆସୂତାର ବିସ୍ମୟ ଉଦ୍ଦୀପକ!
ବିଧିର ବିଧାନ ବିଚିତ୍ରତାରେ ତୁମେ ହିଁ ଅଛି ନାହିଁର ଫରକ
ତୁମେ ସର୍ବବ୍ୟାପକ , ତୁମେ ବି ଐନ୍ଦ୍ରଜାଲିକ!
ପିଇବା – ପାଣିରେ ,ଖାଇବା – ଖାଦ୍ୟରେ,
ଶୋଇବା – ଶେଯରେ , ହଁ ହଁ ନିଶ୍ଚେ ସକାଳର ଚଳଚଞ୍ଚଳତା ସହ ସଞ୍ଜରେ ବାସରେ ବିଶ୍ରାମବେଳାରେ।
ତୁମେ ହିଁ ଆଶାର ଆଲୋକ;
“ଅସାନି” ଆଶଙ୍କା ସୃଜକ।
ସାନ ଭାଇ ସାମାନ୍ୟ ଜମି ଜାଗାପାଇଁ
ବଡଭାଇର ସଂପୂର୍ଣ୍ଣ ପରିବାର ନଷ୍ଟ କରିବାରେ ବି ତୁମେ
ସ୍ୱାର୍ଥର ସରାଗରେ କିଏ କାହାର ପ୍ରଶ୍ନବାଚୀରେ ବି ତୁମେ;
ମୋ ଭାବନାକୁ ଅନ୍ୟମାନେ ଭୁଲ୍ ଭାବିଲେ ବି ମୋ ଅନାବିଳ ଅଟଳବିଶ୍ୱାସ ଆଗନ୍ତୁକ
କିଛି ଶ୍ରଦ୍ଧାଞ୍ଜଳି ଭାବନାବାରିର ସୁସଜ୍ଜିତ ଶବ୍ଦ ଅଭିଷେକ!!!
ରାକମା, ଭାପୁର, ନୟାଗଡ଼