ନୀରବ ରାତ୍ରିର ଶୋକ
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
କେଉଁ ଏକ ଅନ୍ଧାରୀ ସୁଡଙ୍ଗରେ
ଲୁଚିଗଲା ପରେ କ୍ଳାନ୍ତ ସୂର୍ଯ୍ୟ
ତମ୍ବାଳିଆ ହିରଣ୍ମୟ ତାଜୁବ୍ ପିଠିରେ
ରତ ରତ ସଂଜ ଆସେ ବାରି ଅଗଣାକୁ
ଜହ୍ନି ଫୁଲର ରୋଷଣୀ ଜାଳି
ସ୍ଵପ୍ନ – ଗର୍ଭା ରାତ୍ରି।
କେଉଁ ଏକ ଦରପୋଡା ସ୍ମୃତି ନେଇ
ଝରିପଡୁଥିବ ଗଛରୁ ପତ୍ରଟେ,
ପତ୍ରରୁ ଫୁଲଟେ କି ଆକାଶରୁ ନକ୍ଷତ୍ରଟେ
ହୃଦୟର ନିପିଡ଼ିତ ପୃଷ୍ଠା ସବୁ
ଅନ୍ଧାରରେ ଅନେକ ସନ୍ଦିଗ୍ଧ ଛାଇ ପରି
ଜଗିଥିବ, ସପନର ମନ ଅଗଣାରୁ
ନିରୋଳା ନଈଟିଏ ବହୁଥିବ
କୁଳୁ କୁଳୁ ହୋଇ ରାତ୍ରି ଅନ୍ଧକାରେ
ବହାମାଣ ଦୁଃଖର ନଈ
ଆଶା ଓ ଲୁହର ଲହଡ଼ିରେ ଖେଳୁ ଥିବ
ଯେତେ ସବୁ ନଷ୍ଟ ସ୍ଵପ୍ନ ବୋହି।
କ୍ରୁଶବିଦ୍ଧ ହେଉଥିବ ଆତ୍ମା ବାରବାର
କେଉଁ ଏକ ଅଜଣା ଫୁଲର ବାସ୍ନାରେ
ଏକ ଆତ୍ମୀୟ ସତ୍ୟର ଉତ୍କଣ୍ଠାରେ
ଅଦୃଶ୍ୟ ହେଉଥିବ ମୁହୂର୍ମୁହୂ ରାତ୍ରି
କେଉଁ ଏକ ମୋହିତ ସନ୍ନ୍ୟାସୀର କଳ୍ପବଟ ମୂଳେ
ଯେତେ ସବୁ ବିବର୍ଜିତ ଇଛାଙ୍କର ହୁଲି ଡଙ୍ଗା
ଯେତେ ସବୁ ଶୌର୍ଯ୍ୟଙ୍କର ପାଲଟଣା ମନ
କେଉଁ ଏକ ଅଦୃଶ୍ୟ ନଈ କୂଳରେ
ଏବେ କ୍ଳାନ୍ତ, ମୋହାଚ୍ଛନ୍ନ।
କେଉଁ ଏକ ଅଜଣା ପକ୍ଷୀର ପର କଲମରେ
ଲେଖୁଥିବ ଜହ୍ନ ରାତ୍ରିର କବିତା
ଜୋଚ୍ଛନା କାଳିରେ, ଶବ୍ଦଙ୍କର ଭଙ୍ଗା ମୁକୁଟରେ
ଯୋଡୁଥିବ ରାତ୍ରି ପ୍ରେମର କବିତା
କଦମ୍ବ ମୂଳରେ ଦୁଇ ପ୍ରାଣ ଚୁପଚାପ୍
ଏକାକାର ହେଉଥିବ ଅନ୍ଧାରକୁ ପିଠି କରି
ମାୟାବୀ ପ୍ରେମର ପ୍ରଜାପତି
ଡେଣା ମେଲୁଥିବ ଗୁଞ୍ଜରିତ ପ୍ରେମ ଉପବନେ
ମୋହୁଥିବ ମନ ପୁଣି କା ‘ ବଂଶୀର ଉଚ୍ଚାଟନେ
ଅନ୍ତରଙ୍ଗ ରାତ୍ରି।
କେଉଁ ଏକ କାପାଳିକ ଆଦିମ ଇଚ୍ଛାରେ
ବରବାର ଜିଉଁଥିବ ଭୁଆସୁଣୀ ଶବ
ଯୁଗପତ୍ କାମନାର ଯୁଇ
ଲେଲିହାନ ଦିଶୁଥିବ ମଶାଣି ଆକାଶ।
କେଉଁ ଦୂର ପାହାଡ ଚୂଡ଼ାରେ
ତାରା ସବୁ ବିଞ୍ଚୁଥିବେ ସପନ ମୁରୁଜ
ସମ୍ଭାବନାର କଣ୍ଟା ବୁଦା ମୂଳେ ଗଢ଼ୁ ଥିବ
ନିବିଡ ଆତ୍ମୀୟତାର ବାଲି ଘରଟିଏ
ବହୁ ଦିନର ଗୋପନ ଏକାକୀତ୍ଵ ଆଭୂଷରଣରେ
ତୁମ ବର୍ତ୍ତମାନର ସର୍ବସ୍ଵ ସ୍ନେହ
ବିଚିତ୍ର ସତ୍ୟର ଲମ୍ବା ହାତରେ ବୁଡ଼ିଯିବ
ପାପ ମାନଙ୍କର ଅନ୍ଧାରୀ ଗହ୍ଵର
ତୁମ ସ୍ମୃତିର ଉଚ୍ଛ୍ୱାସରେ ଆବୋରି ଯିବ
ସାରା ରାତି, ଖେଳିଯିବ
ପୂଣ୍ୟ – ପଦ୍ମର ମୋହିତ – ମହ୍ଲାର।
ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ
ପିନ୍ – 761126
Hey! I just wanted to ask if you ever have any issues with hackers?
My last blog (wordpress) was hacked and I ended up losing months of hard work due to no data backup.
Do you have any methods to prevent hackers?