ମକର ଲୋ ମୋ’ ମକର
(ରାଗ:ଚୋଖି)
ମକର ଲୋ ମୋ’ମକର….
ଆସିଛି ଆଜି ମକର
ଯିବା ଲୋ ଶୀରିମନ୍ଦିର
କରିବା ଦର୍ଶନ ଆମେ ଶ୍ୟାମ ସୁନ୍ଦର,
ନେବା ଲୋ’ ତୁଳସୀ ହାର
ନାରିକେଳ ଉପହାର
ମକର ଚାଉଳରେ ବ’ସିବା ମକର,
ନରେନ୍ଦ୍ର ଜଳରେ ସ୍ନାହାନ….
କରିଣ ଲଭିବା ଆମେ କୋଟିଏ ପୂଣ୍ୟ ।।
କରିବା ଲୋ’ ଦରଶନ
ଦେଖିବା ନୀଳ ନୟନ
ଭକ୍ତ ଭଗବାନଙ୍କର ହେବ ମିଳନ,
ନନ୍ଦ ଯଶୋଦା ନନ୍ଦନ
ଦେବକୀ ମଥା ଚନ୍ଦନ
ଶଙ୍ଖ ଚକ୍ର ଗଦା ପଦ୍ମ’ଧାରୀ ମୋହନ
ମିଶିବ ନୟନେ ନୟନ ….
ମହାମିଳନରେ ହେବ ଜୀବନ ଧନ୍ୟ।।
ଛେନା ଗୁଡ଼ ଫଳ କ୍ଷୀର
ମିଶି ଚାଉଳ ମକର
ତିଳ ଲଡ଼ୁ ସହ ଖାଏ ଜଗଦ୍ଦୀଶ୍ୱର,
ଭାନୁଙ୍କ ଉତ୍ତରାୟଣ
ଗତି ଆଜି ଠାରୁ ଜାଣ
ଅଂଶୁମାନ କର ହୁଏ ଧୀରେ ପ୍ରଖର,
ଗଙ୍ଗାକୁ ଆଣି ଭଗିରଥ….
ପିତୃପୁରୁଷଙ୍କୁ କଲେ ମୋକ୍ଷ ପ୍ରାପତ।।
ପୂଜ୍ୟ ଭୀଷ୍ମ ପିତାମହ
ଗଲେ ଇଚ୍ଛାମୃତ୍ୟୁ ସହ
ଶରଶଯ୍ୟା ତ୍ୟାଗକରି ବୈକୁଣ୍ଠପୁର,
ପିଣ୍ଡ ଦାନ ମହାପୂଣ୍ୟ
ହୁଏ ସଂକ୍ରାନ୍ତିର ଦିନ
ଦେବ ପୂଜା ଦାନ ଧର୍ମ ଭିତ୍ତିପ୍ରସ୍ତର,
ଗୁଡି ଉଡ଼ଇ ଫର ଫର….
ଗାଏ ବିଶ୍ୱ ଶାନ୍ତି ଗାଥା ମୋ’ସସ୍କୃତିର।।
ଆମ ଅମଳ ପରବ
ଆସାମେ ବିହୁ ପରବ
ଲୋଡ଼ି ପଞ୍ଜାବେ ପୋଙ୍ଗଲ ତାମିଲଙ୍କର,
ସଂକ୍ରାନ୍ତି କର୍ଣ୍ଣାଟକର
ତିଲ୍ ସଂକ୍ରାନ୍ତି ବିହାରର
ପୁଲକେ ପାଳନ୍ତି ହୋଇ’ଣ ହରବର,
ଜାତି ଧର୍ମ ନିର୍ବିଶେଷରେ….
ଓଡ଼ିଆ ଭାରି ବଢ଼ିଆ କହେ ଗର୍ବରେ ।।
ଯିବା ମକର ଯାତରା
କିଣିବା ଲୋ’ସୁନା ହୀରା
ହସିବା ସାଥିଙ୍କ ସହ ମୁକୁତା ଝରା,
ପବିତ୍ର ତା’ଦାଣ୍ଡଧୂଳି
ମଥାରେ ନେବା ଲୋ’ ବୋଳି
ଅରୁଣ ସ୍ତମ୍ଭେ ପ୍ରଣମି ଫେରିବା ପରା,
ଗୃହେ ଖାଇବା ଲୋ’ କାକରା ….
ଆସିଛି ବସନ୍ତ ନେଇ ପ୍ରୀତି ପସରା।।
ଦୁର୍ଲ୍ଲଭ ଏହି ଜନମ
ବାଣ୍ଟିବା ଲୋ ସ୍ନେହ ପ୍ରେମ
ପାଳି ମାନବିକତାର ଶ୍ରେଷ୍ଠ ଧରମ,
କରିବା ସତ୍ୟ କରମ
ନେଇ ତୁଣ୍ଡେ ପ୍ରଭୁ ନାମ
ଆମେ ସବୁ ଗୁଡ଼ି ଧରି ସେ’ ଘନଶ୍ୟାମ,
ଗୁଡ଼ି ଯାଉଛି ଉଡି ଉଡି…..
ଜଗା ହାତରେ ଲୋ’ ଆମ ପ୍ରାଣ ଦଉଡ଼ି।।
ମକର ଲୋ ମୋ’ ମକର….
ଜାନକୀ ମହାନ୍ତ
ଘର: ଲହୁଣୀପଡ଼ା,
ସୁନ୍ଦରଗଡ଼