ସନେଟ୍ – ଜୀବନ
ମରୁ ମରୀଚିକା /ଏ ଜୀବନ ପଥ /ସଂଘର୍ଷର ଯୁଦ୍ଧଭୂମି
ସମୁଦ୍ର କୂଳରେ /ବାଲିଘର ଟିଏ /ଢ଼େଉକୁ ନ ପାରେ ଦମି ।
ଭୟ ବିଭୀଷିକା /ଜୀବନ ଜୀଇଁବା /କରିଦିଏ କ୍ଲାନ୍ତ, ଶ୍ରାନ୍ତ
ମୋହ, ମାୟା, ପ୍ରେମେ /ଜର୍ଜରିତ ତନୁ /ଯନ୍ତ୍ରଣା ଜ୍ୱାଳାରେ ହତ ।
ଅକାତ ପାଣିରେ /ଆହୁଲା ଧରି ମୁଁ /ଏକାକୀ ନାବିକଟିଏ
ଡ଼ଙ୍ଗା ଟଳମଳ /ଅଥୟ ମୋ ପ୍ରାଣ /କୂଳକୁ ଲଙ୍ଘିବା ଯାଏଁ ।
ଅଦୂର ଅତୀତ /କରେ ବିଚଳିତ /ବର୍ତ୍ତମାନ ଦିଏ ଜାଳି
ସ୍ୱପ୍ନ ଭବିଷ୍ୟତ /ସୁପ୍ତ ଲୁକ୍କାୟିତ /ଲାଗି କଳଙ୍କର କାଳି ।
ବଞ୍ଚିବାର ନିଶା /ପାଇବାର ଆଶା /ଜୀବନ ଜୀଇଁବା ଯାଏଁ
ଜିଗୀଷା, ମୀମାଂଶା /ଭରିଦିଏ ଲିପ୍ସା /ଚାଲିବାକୁ ଆଉ ପାଦେ ।
ତାତ୍ସଲ୍ୟ, ବିଦ୍ରୁପ /କରେ ପଥରୋକ /ଛାତି ତଳେ ଦିଏ ବ୍ୟଥା
ଲୁହ ସାଗରରେ /ବୁଡ଼େ ତନ ମନ /ଭାଳି ସେ ବିଦ୍ରୁପ କଥା ।
ଏ ଜୀବନ ସତେ /ଅଭିନୟଟିଏ /ପୃଥ୍ଵୀର ଏ ରଙ୍ଗମଞ୍ଚେ,
ହସି, ମଜ୍ଜି, ଭିଜି /ଲୁହ ଲହୁ ଢାଳି /କର୍ମଫଳେ ଫଳ ସଞ୍ଚେ ।
ରିନା ପରିଡା
ଖୋର୍ଦ୍ଧା