ସନେଟ୍ – ମା’
ଚିର ପୂଜନୀୟା ମମତାମୟୀ ହୃଦେ କର ଅବସ୍ଥାନ,
ସର୍ବସଂହା ତୁମେ ଧରିତ୍ରୀ ସମ ଅନ୍ତରୁ ତୁମକୁ ମାନ ।
ଗଗନ ଭେଦି ଦିଗବଳୟ ଛୁଏଁ ମମତା ବାରି ଧାରା,
ବକ୍ଷ ଚିରି ଦେଇ ଅମୃତ ଝରାଏ ମା’ ଆମ ସିଏ ପରା ।
ବନ୍ଦନୀୟା ସେ ସାରା ବିଶ୍ୱେ ପ୍ରତି ସନ୍ତାନ ଭାଗ୍ୟ ବିଧାତା,
ଅବର୍ଣ୍ଣନୀୟା ମା’ ଶବ୍ଦ ପରା ପ୍ରତି ହୃଦେ ସେ ସୁସଜ୍ଜିତା ।
ଅଙ୍କେ ଥୋଇ ବକ୍ଷେ ଅମୃତ ଦିଏ ରାତିରେ ଦେଖାଏ ଜୋଛନା,
ଅଳି ଅରଦଳି ସବୁକୁ ସହେ ନଖାଇ ଦିଏ ସେ ଦାନା ।
ବର୍ଣ୍ଣି କି ପାରିବି ଭାବ ରସ ଦେଇ ସାହିତ୍ୟର ରାଗ ଛନ୍ଦେ
ଉପମା କି ଦେବି ମା’ ଶବ୍ଦ ଆଗେ ଭାବ ଭାବନା ବି ଦ୍ଵନ୍ଦେ !
ଶବ୍ଦହୀନା ମୁଁ କେଉଁ ଶବ୍ଦ ଦେବି ଅବା କେଉଁ ଉପମାନ
କଳି କି ପାରିବି ତ୍ୟାଗକୁ ତୁମର ହେ ତ୍ୟାଗମୟୀ ମାତ !
କୋଟି ବୀର ପ୍ରସବିନୀ ମମତାଦାୟିନୀ ଚିର ନମସ୍ୟା
ଅଭୟ ଦାୟିନୀ ଆଶିଷ ଦାୟିନୀ ସ୍ନେହ ପ୍ରେମ ପ୍ରତ୍ୟାଶା ।
ରିନା ପରିଡା
ଖୋର୍ଦ୍ଧା