ଚିତ୍କାର
ଦୁଇବର୍ଷ ର ଝିଅ ଆଦ୍ୟାସା। ଭୋକ ରେ ଆଉଟୁ ପାଉଟୁ ହେଉଛି। ପାଖରେ ପଡିଶା ଘରର ରିନା ଆଣ୍ଟି ରଖିଥିବା କ୍ଷୀର ବୋତଲ ତା ଜାଗାରେ ସେମିତି ଅଛି। ଆଦ୍ୟାଶା ର ବାପା ରାଜୀବ ବାବୁ ସେମିତି ସୋଫା କୁ ଆଉଜି ନିସ୍ତେଜ୍ ଭାବେ ପଡ଼ିରହିଛନ୍ତି। ପାଖରେ ସୋନାଲି ଭାଉଜଙ୍କ ଫଟୋ ପାଖରେ ଜଳୁଥିବା ଦୀପଟା ମଧ୍ଯ ଲିଭି ଲିଭି ଆସିଲାଣି। ସୋନାଲି ହେଉଛନ୍ତି ଆଦ୍ୟାସା ର ମାଆ ଆଊ ରାଜୀବ ବାବୁଙ୍କ ସ୍ତ୍ରୀ। ସେପଟେ ପି. ସି. ଆର୍ ଭ୍ୟାନ୍ ଆସି କଲୋନୀ ତଳେ ଅଧଘଣ୍ଟା ହେବ ଅଛି। ସାହି ପଡିଶା ଲୋକମାନେ ବି ନିଜ ନିଜ ଭିତରେ ଟୁପୁରୁ ଟାପୁରୁ ହେଉଛନ୍ତି। ଘଟଣା ଟି ହେଉଛି କି ଗଲା ବିଳମ୍ବିତ ରାତ୍ରୀରେ ଘଟିଯାଇଥିବା ଏକ ଅଭାବନୀୟ ଦୁର୍ଘଟଣା। ଦୁର୍ଘଟଣାଟି ଥିଲା କିଛି ଏମିତି କି ଗଲା ରାତ୍ରୀରେ ରାଜୀବ ବାବୁ ଘରେ ନଥାନ୍ତି। ହଠାତ୍ ବିଳମ୍ବିତ ରାତ୍ରି ରେ ମୋତେ ଏକ ଚିତ୍କାର ଶୁଭିଲା। ଚିତ୍କାର ଥିଲା ସୋନାଲି ଭାଉଜଙ୍କ। ଝର୍କା ତଳେ ଦେଖିଲି ଭାଉଜଙ୍କ ଘର ଆଗରେ ଦୁଇଟି କଳା ପଲ୍ସର୍ ଗାଡ଼ି ଥୁଆ ହୋଇଛି। ଭାଉଜ ଜୋରେ କାହାକୁ ଗାଳି କରୁଛନ୍ତି କହୁଛନ୍ତି। “ସାଙ୍ଗ ବୋଲି କଣ ବିବାହିତ ସାଙ୍ଗର ଅନୁପସ୍ଥିତି ରେ ବିଳମ୍ବିତ ରାତ୍ରୀରେ ତା ଘରକୁ ଚାଲି ଆସିବ ?” ଏମିତି କିଛି ଝଗଡା ହେଉଥିଲା।ମୁଁ ଭାବିଲି ରାଜୀବ ବାବୁଙ୍କ ମଦ୍ୟପ ବନ୍ଧୁ ସୁଶିଲ ବୋଧେ ନିଶାରେ ଆସି ସୋନାଲି ଭାଉଜଙ୍କ ସହ ଝଗଡା କରୁଛନ୍ତି। ସୁଶିଲ ଜଣେ ମଦ୍ୟପ ଆଊ ଗୁଣ୍ଡା ହେଲେ ମଧ୍ୟ ରାଜୀବଙ୍କ ସହ ବନ୍ଧୁତା ଖୁବ୍ ଭଲ। ମୁଁ ଯାଇ ଘଟଣା କଣ ପଚାରି ବୁଝିବିବୋଲି ଭାବିଥିଲି। କିନ୍ତୁ ଜଣେ ଅପରିଚିତ ଆଊ ନୂଆ ପଡୋଶୀ ଭାବେ ଯିବାକୁ ସାହସ କଲି ନାହିଁ। ଆଉ ଶୁଣିଥିଲି ରାଜୀବଙ୍କ ଏହି ବନ୍ଧୁଙ୍କୁ ନେଇ ସବୁବେଳେ ଭାଉଜଙ୍କ ସହ ଭାଇଙ୍କ ଝଗଡ଼ା ହୁଏ। ଭାବିଥିଲି ଝଗଡା କେବଳ ଝଗଡା ମଧ୍ୟରେ ସୀମିତ ରହିଯିବ। କିନ୍ତୁ ଜାଣିନଥିଲି ଘଟଣା କିଛି ଭିନ୍ନ ମୋଡ଼ ନେବ। ହଠାତ୍ କିଛି ସମୟ ପରେ ଏକ ଦାରୁଣ ଚିତ୍କାର ଶୁଭିଲା ଭାଉଜଙ୍କ ଘରୁ। ବୋଧେ ସୁଶିଲ ସହ ଆଊ ଜଣେ ବ୍ୟକ୍ତି ଥିଲେ। ଦୁଇଜଣଙ୍କ ଅଟହାସ୍ୟ ଆଉ ଭାଉଜଙ୍କ କନ୍ଦିବାର ସ୍ୱର ମଧ୍ୟରେ କୁନି ଝିଅ ଆଦ୍ୟାସା ର କାନ୍ଦିବାର ସ୍ୱର ମିଳେଇ ଗଲା କୁଆଡେ। କେହି ପଡୋଶୀ ହସ୍ତକ୍ଷେପ ନକରୁଥିବାର ଦେଖି ମୁଁ ମଧ୍ଯ ନୀରବ ହୋଇ ବସି ରହିଲି। ଦେହର ଭୋକରେ ଡହଳ ବିକଳ ହେଉଥିବା ନରପିପାସୁ ଆଉ ଦୁର୍ବଳ ମହିଳା ଜଣକ ମଧ୍ୟରେ ଘଟୁଥିବା ଅଘଟଣର ଶବ୍ଦ କାନ୍ଥ ସେପଟୁ ମୋତେ ଅସ୍ଥିର କରିଦେଉଥାଏ। ଯେତେବେଳେ ତକିଆ ମଝିରେ ନିଜ ମୁଣ୍ଡ ଗୁଞ୍ଜି ଆଖି ବନ୍ଦ କରିଦେଉଥାଏ ସେତେବେଳେ ଭାଉଜଙ୍କ ଚିତ୍କାର ମୋ କାନକୁ ପ୍ରକମ୍ପିତ କରିଦେଉଥାଏ। ସମୟାନୁକ୍ରମେ ଶବ୍ଦ ସବୁ ନିଶବ୍ଦ ହୋଇଗଲା। କେବଳ କୁନି ଝିଅ ଆଦ୍ୟାସାର କାନ୍ଦିବା ର ସ୍ୱର ଶୁଣାଯାଉଥାଏ। ମୁଁ ନିଜକୁ ମଧ୍ଯ ଧିତ୍କାର କରୁଥାଏ। ସେଦିନ ଆଊ ଆଜିର ଦିନ ଭିତରେ କେବଳ ଏତିକି ତାଫାତ୍ ଯେ ସେଦିନ ଚିତ୍କାର ରେ ପ୍ରକମ୍ପିତ ଘରଟି ଆଜି ନୀରବ ହୋଇ ପଡ଼ିଛି। ସେଦିନ ହୁଏତ ମୁଁ ଚାହିଁଥିଲେ ସେ ଦୁର୍ଘଟଣାଟିକୁ ରୋକି ପାରିଥାନ୍ତି କିନ୍ତୁ ଜଣେ ମଦ୍ୟପ ଗୁଣ୍ଡାଠୁ ଜୀବନର ଭୟ , ପୋଲିସ କେଶ୍ ଠୁ ଚାକିରୀ ର ଭୟ ମୋତେ ମାନବିକତା କୁ ଜଳାଞ୍ଜଳି ଦେବାକୁ ବାଧ୍ୟ କରିଥିଲା। ହଠାତ୍ ଆଦ୍ୟାସା ଜୋରେ କନ୍ଦିବାରୁ ମୁଁ ଯାଇ ତାକୁ କୋଳେଇ ନେଲି ଆଊ ପାଖରେ ଥିବା ବୋତଲ ରୁ କ୍ଷୀର ପିଆଉ ପିଆଉ ଆଖିରୁ ଲୁହ ରୋକିପାରିଲି ନାହିଁ। ଆଊ ମୋ ପାଟିରୁ ଧିର ଆଊ ଅସ୍ପଷ୍ଟ ସ୍ଵରରେ ବାହାରି ଗଲା “ମୋତେ କ୍ଷମା କରିଦେବୁ ଆ…..”। ଫଟୋ ପାଖରେ ଜଳୁଥିବା ଦୀପଟାକୁ ଜଳାଇ ଦେଇ ଫେରି ଆସିଲି ନିଜର ସାହସହୀନ , ବିବେକହୀନ ଓ ଲଜ୍ୟାହୀନ ଦେହଟାକୁ ନେଇ ନିଜ ରୁମ୍ କୁ। କିନ୍ତୁ ଏବେ ଯାଏ ମଧ୍ୟ ସେ ଚିତ୍କାର ମୋତେ ଅସ୍ଥିର ଓ ଅଥୟ କରିଦେଉଛି।
ସୌମ୍ୟରଞ୍ଜନ ମହାନ୍ତି,
ମୋହନପୁର, କନକପୁର,
ତିର୍ତ୍ତୋଲ, ଜଗତସିଂହପୁର