ଆସ ଯିବା ବାଲିଯାତରା
ହେମନ୍ତ କୁମାର ସାହୁ
ଆସ ଆସ କିଏ ଯିବାକୁ ଇଛୁକ
ଦେଖି ଯିବ ବାଲି ଯାତରା,
ଦୋଳିରେ ବସିବ ଚକ୍ରିରେ ଘୂରିବ
ଖାଇବ କଟକ ଦହିବରା ।
ଦୋଷା ଚାଟ୍ ସଙ୍ଗେ ଠୁଙ୍କାପୁରି ଖାଇ
ଗୁପୁଚୁପ୍ ଖୁଆଇବି,
ବାଲି ଯାତରାର ପ୍ରତ୍ୟେକଟି ସ୍ଥାନ
ବୁଲାଇ ଦେଖେଇ ଦେବି ।
ନଦୀକୂଳ ପଠା ଆଡେ ବୁଲିଯିବା
ହେଇଛି ଭିଡ଼ ପ୍ରବଳ,
ହାତକୁ ହାତରେ ଛନ୍ଦି ଚାଲିଥିବ
ହଜିଲେ ସରିବ ଖେଳ ।
ବଡ଼ ବଡ଼ ଷ୍ଟଲ୍ ପଡ଼ିଅଛି ପରା
ସବୁ ଜିନିଷ ପାଇବ,
ମନ ଭରି ବୁଲ ସାରା ଯାତରାକୁ
ମନରେ ଖୁସି ଭରିବ ।
ସର୍କସ ଦେଖ ଗୀତିନାଟ୍ୟ ଦେଖ
ଦେଖ ଅବା ଛଉ ନୃତ୍ୟ,
ମଟର ସାଇକେଲ ବୁଲୁଛି କୂଅରେ
ଦେଖି ଶାନ୍ତି କର ଚିତ୍ତ ।
ଘୋଡ଼ାରେ ବୁଲକି ଓଟରେ ବୁଲିବ
ବସିବ ରେଳଗାଡ଼ିରେ,
ଭେରାଇଟି ଚିଜ ମିଳୁଅଛି ପରା
ଦେଖିବିନି ଯାତରାରେ !
ଶିଳ ଚକି ଠାରୁ ଛାଞ୍ଚୁଣୀ ପହଁରା
ଅବା ଆସବାବ ପତ୍ର,
ଖଟ ଆଲମାରୀ ଗଦି ତକିଆକୁ
ଛତା ଜୋତା ବହିପତ୍ର ।
ଖେଳନା କଣ୍ଢେଇ ବେଲୁନ କଣ୍ଢେଇ
ଭଳି ଭଳି ତିଆରିରେ,
କେଡ଼େ ମନୋହର ଦିଶୁଅଛି ସତେ
ଖୁସି କହିଲେ ନ ସରେ ।
ଉପନ୍ୟାସ ଗୀତା ରାମାୟଣ ବହି
ଗଳ୍ପ ପୁଣି ଡିଟେକଟିଭ୍,
ସବୁ ତ ମିଳୁଛି ଏହି କଟକରେ
ନେବନାହିଁ ଜମା ଲିଭ୍ ।
ଲକ୍ଷାଧିକର ଏ ଜନ ସମାଗମ
କେତେ କେତେ ଦୂରୁ ଆସନ୍ତି,
କଟକର ଏହି ବାଲିଯାତରାକୁ
ଉପଭୋଗ କରି ଚାଲନ୍ତି ।
ଆଲୋକ ମାଳାରେ ଝଲସି ଉଠଇ
ସାରା ଯାତ୍ରା ଆଲୋକିତ,
ବିଭିନ୍ନ ରଙ୍ଗର ବିଭିନ୍ନ ଆଲୋକ
ମନ କରେ ଆନନ୍ଦିତ ।
ପୂର୍ବ ପରମ୍ପରା ପୂର୍ବ ସଂସ୍କୃତିକୁ
ମନେ ପକେଇବା ପାଇଁ,
ବହୁ ଦିନୁ ଚାଲୁଅଛି ଏ ଯାତରା
ଲୋକଙ୍କର ଖୁସି ପାଇଁ ।
ସାରା କଟକରେ ଯାହା ନ ମିଳିବ
ବାଲିଯାତରାରେ ଥିବ,
ମଥୁରା କେକ୍ ଆନନ୍ଦେ ଖାଇବା
ଭାରି ବଢିଆ ଲାଗିବ ।
ଥରେ ବୁଲିଗଲେ ଆସିବା ପାଇଁ କି
ଆଉ ମନ ବଳିବନି,
ବାପା ମାଆ ଛାଡି ସବୁ ତ ମିଳୁଛି
ଆଉ କୁଆଡ଼େ ଯିବନି ।
ଗଡ଼ଗଡ଼ିଆ ସେତ ଖିଲା ପଡିଆ
ଆଗରୁ ନାମିତ ଅଛି,
ଗଡ ଚଣ୍ଡୀ ଦେଖି ପାପ ଛଡାଇବ
ଯିଏ ଯିବ ଆସ କତି ।