*Lets talk with Pranati Acharya Mishra who hails from Nayagarh , Odisha for Suryodaya_Sambhranta_Saraswat_Samman – 2022*
ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ – ପ୍ରଣତି ଆଚାର୍ଯ୍ୟ ମିଶ୍ର
ପିତା – ଭଗବାନ ଆଚାର୍ଯ୍ୟ
ମାତା – ଶୈଳବାଳା ଆଚାର୍ଯ୍ୟ
ସ୍ବାମୀ – ଲଳିତ ମୋହନ ମିଶ୍ର
ଜନ୍ମଦିନ – ୩ ନଭେମ୍ବର ୧୯୭୮
ଶିକ୍ଷାଗତ ଯୋଗ୍ୟତା – ଏମ୍. ଏ (ଓଡ଼ିଆ)
ମେଲ୍ – [email protected]
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ମୁଁ ପ୍ରଣତି ଆଚାର୍ଯ୍ୟ ମିଶ୍ର ଘର ନୟାଗଡ଼ ଜିଲ୍ଲା। ୧୯୯୯ ରେ ବିବାହ କଲି ଶିକ୍ଷକ ଲଳିତ ମୋହନ ମିଶ୍ର ଙ୍କୁ। ବିବାହ ପରେ ସ୍ବାମୀ ଙ୍କ ସହ ସୁଦୂର ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ପରିବେଶ ନବରଙ୍ଗପୁର ରେ ରହିଲି। ବୋଧହୁଏ ସେ ପରିବେଶ ପରବର୍ତ୍ତୀ ସମୟରେ ଆମ ଦୁହିଁଙ୍କର ସାହିତ୍ୟ ଯାତ୍ରା ପଥ ସରସ ଓ ସୁନ୍ଦର କରିଛି।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ସତ କହିବାକୁ ଗଲେ ମୁଁ ଏ ସାହିତ୍ୟ ଜଗତ ରେ ପୁରୁଣା ନୁହେଁ। ଏଠାରେ ଅନେକ ବ୍ଯକ୍ତି ମହାବୃକ୍ଷ ସଦୃଶ ଦଣ୍ଡାୟମାନ
ହୋଇରହିଛନ୍ତି ସେମାନଙ୍କ ତୁଳନାରେ ମୁଁ ସାମାନ୍ୟ ତୃଣ ସଦୃଶ। ମୋର ପ୍ରଥମ କବିତା ଚେନ୍ନାଇ ର ଏକ ପତ୍ରିକା (ସୃଜନୀ) ୨୦୧୮ରେ ପ୍ରକାଶିତ ହୋଇଥିଲା ସେ କବିତା ଟି ପଢି କେତେଜଣ ମୋତେ ଫୋନ୍ କରିଥିଲେ ସେତେବେଳେ ମୁଁ ଜାଣିଲି ବୋଧହୁଏ ମୁଁ କଛି ଲେଖିପାରେ ।
ଏକ ଅନୁଭୂତି କହୁଛି – ଥରେ ଆମେ ଦୁଇଜଣ (ସ୍ବାମୀ ଓ ସ୍ତ୍ରୀ) ପାରଳାଖେମୁଣ୍ଡି ରୁ ବ୍ରହ୍ମପୁର ଯାଉଥିଲୁ ବାଟରେ ଏକ ଚେକ୍ ଗେଟ୍ ପଡିଲା ସେଠି ଫିସ୍ ଦେବା ସମୟରେ ଆମକୁ କାର୍ ରେ ଦେଖି ଜନୈକ ବ୍ଯକ୍ତି କାର୍ କୁ ପଛକୁ ନେବାକୁ କହିଲେ। ଆମେ କାର୍ ରୁ ଓହ୍ଲାଇଲା ପରେ ଆମକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ଆପଣ ଲେଖା ଲେଖି କରନ୍ତି ବୋଧହୁଏ.. ତାଙ୍କ ର ବିଶ୍ବାସ ହେଲାନି ସେ ମୋବାଇଲ ରେ ଫେସବୁକ ଖୋଲି ଦେଖିଲା ପରେ ଗୋଡ଼ ଧରି ମୁଣ୍ଡିଆ ମାରିଲେ। ଏହା ଦେଖି ଆମେ ନିଜ ଆଖି କୁ ବିଶ୍ବାସ କରିପାରିଲୁ ନାହିଁ । ଜଣେ ଅପରିଚିତ ଆମକୁ ଏତେ ଯଥାମାନ୍ୟ ସମ୍ମାନ ଦେଇଗଲା। ଏହାଠାରୁ ଅଧିକ ଆଉ କିଛି ନାହିଁ। ଆଖି ଖୋଲି ଦେବାର ସୁକ୍ଷ୍ମ ଭାବର ପରିପ୍ରକାଶ ହିଁ ସାହିତ୍ୟ।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
– ମୁଁ କବିତା ଲେଖିବାକୁ ଭଲପାଏ। ମୋତେ ମୋ କବିତା ହିଁ ପରିଚୟ ଦେଇଛି ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
– କବିତା ହିଁ ମୋର ଅନ୍ତରଙ୍ଗ ଆଳାପ। ରୂପ ନ ପାଇବା ପର୍ଯ୍ୟନ୍ତ ସେ କଳା ନୁହେଁ। ଏହା ବୋଧହୁଏ ମୋ ଅସ୍ତିତ୍ବ ର ପରିଚୟ। ଯେତେବେଳେ ମୋ କବିତା ପାଠକରି ୭୦ ବର୍ଷୀୟ ଜନୈକ ପାଠକ ଫୋନ୍ ମାଧ୍ୟମରେ ଜଣାନ୍ତି ଯେ, ଝିଅ କବିତା ଟି ବହୁତ ଭଲ ଲାଗିଲା ସେତେବେଳେ ମୁଁ ଜାଣେ ଏହା ଭଲ କବିତା ଟିଏ ନିଶ୍ଚୟ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ମୁଁ ଲେଖେ ଲେଖିବା ମୋର ବେଦାକ୍ତ ଚିତ୍ର। କବିତା ମୋ ଆତ୍ମା ର ମନୋରମ ଆଲୋକ। ସମାଜରେ ଘଟୁଥିବା ଘଟଣାବଳୀକୁ କବିତା ରେ ଆଙ୍କିବା ମୋର ଧର୍ମ ବୋଲି ମୁଁ ମନେକରେ। କିନ୍ତୁ ଏହା କେତେଦୂର ସମାଜ ଉପରେ ପ୍ରଭାବ ପକାଇବ ତାହା ପାଠକ କହିବେ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
– ସାହିତ୍ୟ ଏକ ଧାରା। ତାକୁ ଯେତେ ପାନକରିବ ଆହୁରି ପାନ କରିବାର ଈପ୍ସିତ ରହେ । ଏହା ଏକ ପ୍ରବାହ କିନ୍ତୁ ନଈ ପରି ନୁହେଁ। ସୁକ୍ଷ୍ମ ସୌନ୍ଦର୍ଯ୍ୟବୋଧତା ହିଁ ସାହିତ୍ୟ। ସୌନ୍ଦର୍ଯ୍ୟବୋଧରେ ଉତ୍କୃଷ୍ଟ ନିକୃଷ୍ଟ କିଛି ନଥାଏ। ଭଲ ମନ୍ଦ ନଥାଏ। ଏଥିରେ ଜଣେ ଲେଖକ ଓ ଜଣେ ପାଠକ। ସବୁ ଲେଖା ଯେ ସାହିତ୍ୟ ପଦବାଚ୍ୟ ତାହାନୁହେଁ। ଏହା ଏକ ସ୍ବତସ୍ପୃହ ଧାରା। ଯାହା ପାଠକର ମସ୍ତିଷ୍କ ସୂକ୍ଷ୍ମତନ୍ତୁ କୁ ଚହଲାଇ ଦିଏ ତାହା ହିଁ ସାହିତ୍ୟ।
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ମୁଁ ନିଜକୁ ଆଦର୍ଶ ସାହିତ୍ୟିକ ଭାବରେ ପରିଗଣିତ କରିନାହିଁ। ଯଦିଓ ମୋର ଅନେକ ଲେଖା ପାଠକରି କେହି କେହି ପ୍ରଶ୍ନ କରନ୍ତି? ଆପଣ କେବେଠାରୁ ଲେଖା ଲେଖି କଲେଣି। ଆପଣଙ୍କର ଲେଖା ବହୁତ ଉଚ୍ଚ କୋଟୀର। ସେତେବେଳେ ମୁଁ ଭାବେ ବୋଧହୁଏ ମୋ ଲେଖା ଲୋକଙ୍କ ମନକୁ ଛୁଇଁ ପାରିଛି। ମୁଁ ତ କେବଳ ଲେଖେ… ଯାହା ଦେଖେ ଅନୁଭବ କରେ। ସାହିତ୍ୟଜଗତ ଏତେ ବ୍ୟାପ୍ତ ଯେ ତାକୁ କଳନା କରିବା ନିରର୍ଥକ। ଯଦି ସାହିତ୍ୟ ଜଗତର ଆକାଶ ରେ ଦପ୍ ଦପ୍ ହେଉଥିବା ସମସ୍ତ ନକ୍ଷତ୍ର ଜଣେ ଜଣେ ସାହିତ୍ୟିକ ତେବେ ହଁ, ମୁଁ ସେ ମହାକାଶ ର ଅସଂଖ୍ଯ ତାରକା ମଧ୍ୟରୁ ବୋଧହୁଏ ଗୋଟିଏ।
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
ମୁଁ ଯେଉଁ ଦିନଠାରୁ ପତ୍ରିକା ପଢିବା ଆରମ୍ଭ କଲି ସମ୍ବାଦ ଓ ସମାଜ ପଢିବାକୁ ଭଲପାଏ। ସେଥିରେ ଥିବା କବିତା ଗୁଡିକ ପଢି ଖାତାରେ ଲେଖିରଖେ। ମୋର ପିଲାଦିନ ଅତିପ୍ରିୟ ପୁସ୍ତକ ଟି ହେଉଛି ଜହ୍ନମାମୁଁ। ଆମ ଘରକୁ ଆସେ ମୁଁ ସେଥିରେ ଥିବା ଗଳ୍ପ ଗୁଡିକ ବଡ ଆନନ୍ଦ ସହକାରେ ପଢ଼ିଥାଏ।
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
– ସାହିତ୍ୟ ମଧ୍ୟରେ ଅଦୃଶ୍ୟ ଶକ୍ତି ନିଶ୍ଚୟ ବିଦ୍ୟମାନ। ଯିଏ ସେ ଅଦୃଶ୍ୟ ଶକ୍ତିକୁ ଅନୁଭବ କରିଛି ତାର ସାନିଧ୍ୟ ଲାଭ କରିଛି ସେ ସାହିତ୍ୟ ଜଗତ ରେ ଜଣେ ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତିତ୍ବ। ଜଣେ ସାଧାରଣ ମଣିଷ ଠାରୁ ଆରମ୍ଭ କରି ଶାଶକ ପର୍ଯ୍ୟନ୍ତ ସମସ୍ତେ ସାହିତ୍ୟାମୃତ କୁ ପାନ କରିବା ଦରକାର। ସାହିତ୍ୟ ସମସ୍ତଙ୍କୁ ସକାରାତ୍ମକ କରାଏ ତାର ଲୁକାୟିତ ଶକ୍ତି ସଭିଙ୍କୁ ଆନନ୍ଦ ଦିଏ।
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
ଓଡ଼ିଆ ସାହିତ୍ୟର ଅତ୍ୟାଧୁନିକ ପର୍ବରେ ବ୍ୟକ୍ତିର ସ୍ବତନ୍ତ୍ର ଆତ୍ମାନ୍ବେଷ ଓ ବାମାବାଦ ଉପରେ ଗୁରୁତ୍ବ ଆରୋପ ଦିଆଗଲା। ସାହିତ୍ୟ ଏକାନ୍ତ ବ୍ୟକ୍ତିଗତ ଚିନ୍ତାଧାରା ଓ ଚେତନା ର ରୂପ ବିନ୍ୟାସ।
ପୁରାତନ ଓଡ଼ିଆ ସାହିତ୍ୟ ସାଧାରଣ ଲୋକଙ୍କ ଜୀବନ ଯାପନ କୁ ନେଇ ଗଢି ଉଠିଥିଲା, ନିତିଦିନିଆ ଜୀବନରେ ଉପୁଜୁଥିବା ଅସୁବିଧା ଓ ତାର ସମାଧାନ ର ଅବତାରଣା… ସେଥିରେ ରହିଥାଏ ।
ମାତୃଭୂମି ଓ ମାତୃଭାଷା ପ୍ରିତି ରୁ ଜନ୍ମ ନେଲା ଆଧୁନିକ ଓଡ଼ିଆ ସାହିତ୍ୟ। ତରୁଣ ଶିକ୍ଷିତ ଗୋଷ୍ଠୀ ମଧ୍ୟରୁ କେତେକ ସୃଷ୍ଟି କଲେ କବିତା କାବ୍ୟ ଉପନ୍ୟାସ ଓ ନାଟକ। ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟ ହେଲା ପାଶ୍ଚାତ୍ୟ ସାହିତ୍ୟ ର ଅମୃତମୟ ଫଳଶ୍ରୁତି। ଯେଉଁ ନବରୂଚି ଓ ନବଚେତନା ଦେଖାଗଲା ତାହା ହିଁ ଆଧୁନିକ ସାହିତ୍ୟ ର ଆଦିପର୍ବ ର ହେଲା ପ୍ରଧାନ ଉପଜୀବ୍ୟ।
ସାହିତ୍ୟ କେବେବି ନକରାତ୍ମକ ପ୍ରଭାବ ପକାଇ ନ ଥାଏ। ଏହା ସାମାଜିକ ଶୃଙ୍ଖଳରୁ ମନୁଷ୍ଯକୁ ମୁକ୍ତି ଓ ବ୍ୟକ୍ତି କୁ ସ୍ବତନ୍ତ୍ରତା ପ୍ରଦାନ କରେ। ସାହିତ୍ୟ ଜୀବନର ବାସ୍ତବ ଚିତ୍ର ଅଙ୍କନ କରିଥାଏ। ମନୁଷ୍ଯ ର ଆଶା ଓ ଆକାଂକ୍ଷା ର ରୂପ ପ୍ରଦାନ କରେ।
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
– ମୁଁ ଭାବେ ସାହିତ୍ୟ ପାଠକୀୟ ଆଦୃତି ହେବା ଦରକାର। ଜଣେ ପାଠକର ମନରେ ଯଦି ଆନନ୍ଦ ଆସିଲା, ଜଣେ ବୃଦ୍ଧ ବ୍ୟକ୍ତି ଙ୍କୁ ଯୁବକ ର ସାନିଧ୍ୟ ଦେଲା, ଜଣେ ରୋଗୀଙ୍କୁ ଜନ୍ତ୍ରଣା ରୁ ସାମାନ୍ୟ ଲାଘବ ମିଳିଲା, ଶିଶୁ ର ମନରେ ଖୁସି ଭରିଲା, ଯୋଦ୍ଧା କୁ ସାହାସ ଓ ଧୈର୍ଯ୍ୟ ଦେଲା ତାହାହିଁ ସାହିତ୍ୟ ପଦବାଚ୍ୟ। ମୋର କୌଣସି ବି ଲେଖା ଯଦି ଜଣକୁ ବି ଆନନ୍ଦିତ କରି ତା ଜୀବନକୁ ନୂତନ ଦିଗ୍ ଦର୍ଶନ ଦିଏ ତେବେ ମୁଁ ନିଜକୁ ସାର୍ଥକ ମଣିବି।
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
୧୨- ଯାହାର ଅତୀତ ଥାଏ ତାର ଥାଏ ବର୍ତ୍ତମାନ ଓ ଭବିଷ୍ୟତ। ଅତୀତ ଯାର ମହିମାମୟ, ଐତିହ ମଣ୍ଡିତ ଇତିହାସ ମାର୍ଜିତ। ତାର କେବେ ବି ବିଲୟ ହୁଏନାହିଁ । ଯେତେ ବାଧାବିଘ୍ନ ଆସିଲେ ବି ସେ ହିରା ପରି ଝଟକୁଥାଏ। ସେହିପରି ଆମ ଓଡ଼ିଆ ଭାଷା ସାହିତ୍ୟ ର ଅତୀତ ଗୌରବ ମଣ୍ଡିତ ହୋଇଛି ବହୁ ଘାତ ପ୍ରତିଘାତ ପରେ ବି ଏହା ବଞ୍ଚିଛି ଓ ବଞ୍ଚିଥିବ ମଧ୍ୟ।
୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
– ସାହିତ୍ୟ ଜଗତ ରେ କେହି ନୂଆ ବା କେହି ପୁରୁଣା ନୁହେଁ। ସମସ୍ତେ ସବୁ କିଛି ଜାଣି ନ ଥାନ୍ତି ସବୁବେଳେ କିଛି ନା କିଛି ଜଣେ ଅନ୍ୟ ଠାରୁ ଶିକ୍ଷା ଲାଭ କରିଥାଏ। ମୋତେ ଅନେକ କିଛି ଶିଖିବାର ଅଛି। ଯଦି ଅନ୍ୟକୁ କିଛି କହିବାକୁ କୁହାଯାଏ, ମୁଁ କହିବି ସମସ୍ତେ ଲେଖନ୍ତୁ ଲେଖିବା ଏକ ଧାରା ଧିରେ ଧିରେ ଏହା ମାର୍ଜିତ ହୁଏ।
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଆମେ ବର୍ତ୍ତମାନ କୁ ନେଇ ଗର୍ବ କରୁ ଓ ସ୍ବପ୍ନ ଦେଖୁ କିନ୍ତୁ ମନେ ରଖିବାକୁ ହେବ ଯଦି ବର୍ତ୍ତମାନ ସବୁକିଛି ହୋଇଯାଏ ତେବେ ଭବିଷ୍ୟତ ପାଇଁ କିଛି ରୁହେନି। ଭବିଷ୍ୟତ ଆମ ଲକ୍ଷ୍ୟ ବର୍ତ୍ତମାନ ଆମ କର୍ମ, ଅତୀତ ଆମର ସାକ୍ଷୀ। ଆମେ ଆମ ଭାଷା ପ୍ରତି ଶ୍ରଦ୍ଧାଶୀଳ ହେଲେ ଏହା ଜାତି ପାଇଁ ଗୌରବ ଆଣିବ। ସମଗ୍ର ଜାତି ର ଭବିଷ୍ୟତ କୁ ସୁଦୃଢ କରିବାରେ ସହାୟ ହେବ।
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ଥରେ ଜଣେ ବ୍ୟକ୍ତି ଖବରକାଗଜ ରୁ ମୋର କବିତା ଟିଏ ପଢି, ମୋତେ ଫୋନ୍ କଲେ ଓ କହିଲେ, ଝିଅ ମୁଁ ବଲାଙ୍ଗୀର ରୁ କହୁଛି। (ତାଙ୍କ ନାମ ମୋର ମନେନାହିଁ କ୍ଷମାଦେବେ)ମୋତେ ୭୨ ବର୍ଷ ମୁଁ ଜଣେ ହୃଦ୍ ରୋଗୀ। ତୁମ କବିତା ଟି ପଢିଲି ବହୁତ ଭଲ ଲାଗିଲା କିନ୍ତୁ ସେଥିରେ ଗୋଟିଏ ଶବ୍ଦ ହିନ୍ଦୀ ର ଲେଖିଛ। ଓଡ଼ିଆ ଭାଷା ରେ ଅନେକ ଶବ୍ଦ ରହିଛି ତେଣୁ କବିତା ରେ ହିନ୍ଦୀ ବା ଇଂରାଜୀ ଶବ୍ଦ ଦେବାର ଆବଶ୍ୟକତା ନାହିଁ। ପରବର୍ତ୍ତୀ କବିତା ରେ ମୁଁ ନିଶ୍ଚିତ ଧ୍ୟାନ ଦେବି ବୋଲି କଥା ଦେଇଥିଲି। ସେହି ଦିନ ବୋଧହୁଏ ମୁଁ କବି ର ପରିଚୟ ପାଇଲି।
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଭାଷା ଭାବର ବାହକ। ସେହିପରି ସାହିତ୍ୟ ଜାତି ର ପରିଚୟ। ସେହି ପରିଚୟ କୁ ନେଇ ଗର୍ବ କରେ । ଜାତି ବିପର୍ଯ୍ୟୟ ସମୟରେ ସାହାସ ଓ ଧୈର୍ଯ୍ୟ ଆଣେ ସାହିତ୍ୟ। ସାହିତ୍ୟ ଆମ ଜାତି କୁ କରେ ଗୌରବାନ୍ୱିତ । ଆମେ ଏବେ ଏକ ବିରାଟ ମହାମାରୀ କୁ ସାମ୍ନା କରିଅଛେ, ଯେତେବେଳେ ଭାଇଭାଇ ବାପା ମା ଜ୍ଞାତି ପରିଜନ ସମସ୍ତେ ନିଜ ନିଜ ଠାରୁ ଦୂରେଇ ଯାଉଥିଲେ । ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଅନ୍ ଲାଇନ ଯୋଗେ ସାହିତ୍ୟ ତିଷ୍ଠି ରହି ସମସ୍ତ ଙ୍କୁ ଧୈର୍ଯ୍ୟ ଓ ସାହାସ ଯୋଗାଇ ପାରିଛି। ତେଣୁ ମୁଁ ଭାବୁଛି ସାହିତ୍ୟ ରେ ପ୍ରବେଶ କରି କ୍ଷତି କରିନାହିଁ, ବରଂ କିଛି ପାଦ ମୋତେ ଆଗେଇ ନେଇଛି।
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
-ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ୱରେ ଏକ ସୁନାମଧନ୍ୟ ଅନୁଷ୍ଠାନ ରୂପେ ପରିଚିତ। କାରଣ ଏହା କୋଣ ଅନୁକୋଣ ରୁ ସାହିତ୍ୟ ସ୍ରଷ୍ଟା ମାନଙ୍କୁ ଖୋଜି ବାହାର କରି ନିଜ ଅନୁଷ୍ଠାନ ରେ ସାମିଲ କରିଥାନ୍ତି। ମୁଁ ଏବେ ଏବେ ଏହା ସହିତ ଯୋଡି ହୋଇଛି। ତଥାପି ଅଳ୍ପ ରେ ଅନେକ କିଛି ବ୍ୟକ୍ତ ହେଲାପରି କିଛି ଦିନର ସଂମ୍ପର୍କ ରେ ମଧ୍ୟ ମୁଁ ଏହାର ବିଶାଳତା କୁ ଉପଲବ୍ଧି କରିଛି।
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
– ଆଜି ପର୍ଯ୍ୟନ୍ତ ମୋର କୌଣସି ସଙ୍କଳନ ପ୍ରକାଶିତ ହୋଇନାହିଁ। ମୋର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ଓ ଖବରକାଗଜ ରେ ପ୍ରକାଶିତ ହେଉଛି। ସୁଯୋଗ ଆସିଲେ ଭବିଷ୍ୟତ ରେ ନିଶ୍ଚିତ ପ୍ରକାଶ କରିବା ପାଇଁ ଆଶା ରଖିଛି।
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
– ଆଗରୁ ଲେଖିଛି ମୁଁ ଏ ଅନୁଷ୍ଠାନ ରେ ନୂଆ। ଏବେ କିଛିଦିନ ତଳେ ଯୋଗଦେଇଛି। ତଥାପି ଅଳ୍ପ ଦିନ ମଧ୍ୟରେ ମୋର କେତୋଟି କବିତା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ରେ ପ୍ରକାଶିତ ହୋଇଅଛି। ମୁଁ ଯେତେବେଳେ ଏହାର ୱେବସାଇଟରେ ମୋର ମୋର କବିତା ‘ମିଠା ସମ୍ମୋହନ’ ଟିକୁ ଦେଖିଲି ମୋତେ ବହୁତ ଖୁସି ଲାଗିଲା। ତେଣୁ ଏହି ଅନୁଷ୍ଠାନ କୁ ଅନେକ ଧନ୍ୟବାଦ।
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
– ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ୱେବସାଇଟ କୁ ଗଲେ ଏହା ଏକ ବିଶାଳ ପ୍ରତିଷ୍ଠାନ ବୋଲି ଜଣାପଡେ। କସ୍ତୁରୀ ମୃଗ ର ସୁଗନ୍ଧ ଚତୁର୍ଦ୍ଦିଗ କୁ ବିମୁଗ୍ଧ କଲାପରି ଏହା ଚତୁର୍ଦ୍ଦିଗ ପରିବ୍ୟାପ୍ତ।
ସତ୍ ଚେଷ୍ଟା ଓ ନିର୍ଭୁଲ ମାନ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବାର ସୁଯୋଗ ଦେବ।
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ
ମୁଁ ଭାବେ ସାହିତ୍ୟ ଏକ ଭଣ୍ଡାର –
~ଭବନ ଶୋଭାର ଭଣ୍ଡାର ~
ସ୍ବପ୍ନ ବାସ୍ତବତା ନିର୍ଜନ ରାସ୍ତାରେ ମନେ ମନେ କରି ବିଚାର
ସୁଖ ମିଶାଣର ଦୁଃଖ ଫେଡାଣରେ ଗଢାହୁଏ ଏହି ସଂସାର ।।
ଏରୁଣ୍ଡି ବନ୍ଧକୁ ଟପିଯିବା ପରେ ଲାଭ କ୍ଷତି କଥା ନ ଥାଏ
ଅତୀତ ସୁମରି ହୃଦେଗାର ଟାଣି ମିଳଇ ସୁଖ ଆଞୁଳାଏ ।।
ସାଉଁଟି ହୋଇବ ସମ୍ପର୍କର ଡୋରି ଆତ୍ମୀୟତା ଦିଗ୍ ବଳୟେ
ଫୁଲର ବାସନା ଅସରାଏ ବର୍ଷା ସବୁକିଛି ଦେଖାଇହୁଏ ।।
ଆଘାତ ପାଇବ କ୍ଷତାକ୍ତ ହୋଇବ ହୃଦୟରୁ ଲୁହ ଝରିବ
ତଥାପି ଏ ଗୃହେ ଝରିବାର ସୁଖ ଉଚ୍ଚ ଆକାଶରେ ମିଳିବ ।।
ସ୍ନେହ ଶ୍ରଦ୍ଧା ପ୍ରେମ ହାତ ପାହାନ୍ତାରେ ଭବନ ଶୋଭାର ଭଣ୍ଡାର
ସୁଖ ସାଉଁଟିଣ ଦୁଃଖ ଭୁଲି ହୁଏ ସଜାଡି ହୁଅଇ ସଂସାର ।।
ମନ ମୁତାବକ ବସା ତୋଳି ହୁଏ ଦେଇ କେତେ ପୁଟ ଆଧାର
ପ୍ରଳୟର ଚିନ୍ତା ନ ଥାଏ ଏଠାରେ ବୁଝି ହେଜି ହୁଏ ବିଚାର ।।
ଫୁଲର ଗଜରା କବରୀରେ ଖୋସି ସଜାଏ ତନୁରେ ତନ୍ମୟୀ
ବୃଦ୍ଧା ବୟସରେ ଯୁବାର ସାନିଧ୍ୟ ସ୍ବପ୍ନ ପିଆଲାରେ ଭିଜଇ ।।
କେତେ ଯେ ଅତିଥି କେତେ ଆଗନ୍ତୁକ ଆସି ପୁଣି ଫେରି ଗଲେଣି
ନିଜ ବାହୁବଳେ ନିଜେ ତୋଳି ଦେଇ ପରି ରାଇଜର କାହାଣୀ ।।
ସୁବର୍ଣ୍ଣ ପାଲିଙ୍କି ଚଢି ଦେବଦୂତ ଓହ୍ଲାଇ ଆସନ୍ତୁ ଗୃହକୁ
ନବ ଚେତନାରେ ରମ୍ୟ ପାରିଜାତ ନନ୍ଦନବନରେ ମହକୁ ।।
ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼, ୯୪୩୭୬୪୨୯୪୭
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।
ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335