ଚିଠି
ସେଦିନର ଚିଠି କଥା ମନେପଡିଲେ
ମନରେ ସ୍ମୃତିମାନ ସବୁ ଉଙ୍କିମାରେ
ଭାବନାର ଶବ୍ଦ ମାଳା ଗୁନ୍ଥା ହେଉଥିଲା
ସାଧା କାଗଜରେ କାଳୀର ଅକ୍ଷର
ସଜେଇ ମଜେଇ ହୃଦୟର କନ୍ଦରରୁ
ସୁଖ,ଦୁଃଖ,ହସ,ଲୁହର ସମଷ୍ଟିରେ
ଉତୁରି ପଡୁଥାଏ ନିଭୃତ କୋଣରୁ
ଆପେ ଆପେ ଲେଖିହୋଇଯାଏ
ମାନ, ଅଭିମାନ, ଆରୋପ,ପ୍ରତ୍ୟାରୋପ
ଏମିତି କେତେ ଖୁନ୍ଦି ହୋଇ ଲେଖୁଥିଲେ
କାଗଜରେ ପୃଷ୍ଠା ପରେ ପୃଷ୍ଠା ସରୁଥାଏ
ମନର ଅଭିବ୍ୟକ୍ତି ପ୍ରକାଶ ହୋଇଯାଏ
ଚିଠିଟି ଲେଖିହୋଇଯାଏ ନିର୍ବିବିଘ୍ନରେ
କିଛି ପାଠ ପଢି ନ ଥିବା ବୋହୁଟିଏ
ପରଦେଶୀ ମନର ମଣିଷପାଖକୁ
ଚିଠିଟିଏ ଲେଖୁଥିଲା ଲୁଚେଇ ଲୁଚେଇ
କେଉଁ ପଢୁଆ କୁଆଁରୀ ଝିଅଟି ପାଖରେ
ନିଜର ମନର ଆବେଗକୁ କହିଚାଲୁଥାଏ
ଲେଖିହୋଇଯାଉଥିଲା ଅନ୍ୟ ହାତରେ
ଆଉ ପ୍ରେମିକାଟିଏ ତା’ର ଭଲ ପାଇବାର
ମନର ଶବ୍ଦସବୁ ଭାଷାରେ ସଜେଇ
ଲେଖୁଥିଲା ଥାକ ଥାକ ପ୍ରେମ ଚିଠି ମାନ
ଡାକଘର ଥିଲା ଆଦାନ ପ୍ରଦାନର ମାଧ୍ୟମ
ସିଏ ପ୍ରେମିକା ହେଉ ବା ପ୍ରେମିକ ଅବା
ପୁଅର ବାପା ମାଆକୁ ,ବା ଭାଈ ଭଉଣୀକୁ
ମନର ଅକୁହା,ଆକଟ,ଉପଦେଶ,ସ୍ନେହଁ
ଶ୍ରଦ୍ଧା,କର୍ତ୍ତବ୍ୟ,କିମ୍ବା ଭୁଆସୁଣିର ବୀରହ
ବାର୍ତ୍ତା ,ସବୁ ମନର ଭାବକୁ ପ୍ରକାଶିତ
କରୁଥିଲା ଏଇ କାଗଜର ଚିଠିଟି
କିନ୍ତୁ ଏବେ ଆଧୁନିକତାରେ ତା’ର ଲୋଡ଼ା
ନାହିଁ କାହାରି ପାଖରେ ,ସିଏ ଅଲୋଡ଼ା
ହୋଇପଡିଛି ପୁରୁଣାକାଳିଆର କଥାରେ ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।