ଆଶୀର୍ବାଦ
ନିଃସ୍ୱାର୍ଥ ସେବା କ୍ଷମତା ଧନ ବିନିଯୋଗ
ସରଳ ନିର୍ମଳ ପ୍ରାଣେ ମିଳେ ଆଶୀର୍ବାଦ।
ଗୁରୁଜନ ସାଧୁ ବ୍ରହ୍ମତେଜା ଦେବଗଣ
ଆଶୀର୍ବାଦ ଦେବା ପାଇଁ ହୁଅନ୍ତି ଭାଜନ।
ଆଶୀର୍ବାଦ ଦେବା ଲୋକ ସମୁଚ୍ଚ ମହତ
ଦେବା ଠାରୁ ପୁଣ୍ୟ ନାହିଁ ଅଛି ବେଦ ସୁକ୍ତ।
ଆଶୀର୍ବାଦ ଦାବି ନୁହେଁ ସ୍ୱେଛା ବରଦାନ
ଆସୁରିକ ତପସ୍ୟାର ଫଳ ନୁହେଁ ଗଣ୍ୟ।
ପିତାମାତା ଆଶୀର୍ବାଦେ ପୁତ୍ର କନ୍ୟା ସୁଖୀ
ସେମାନଙ୍କୁ ଦୁଃଖ ଦେଲେ ପରିଣାମ ଦୁଃଖୀ।
ପିତାମାତା ଜରାଶ୍ରମେ ଥିଲେ ଆଶୀର୍ବାଦ
ବକ୍ଷୁ ଲହୁ ଝରୁଥିବ କାହୁଁ ବା ମିଳିବ !
ବ୍ରହ୍ମା ଶିବ ଯୁଗେଯୁଗେ ଯେଉଁ ପାଦେ ଆଶ
କୈବର୍ତ୍ତ ଧୋଇଲା ପାଦ ଶ୍ରୀରାମ ଆଶିଷ।
ସେତୁବନ୍ଧେ ଯୋଗଦାନ ଗୁଣ୍ଡୁଚି ମୂଷାର
ଶ୍ରୀରାମ ଶ୍ରଦ୍ଧାରେ ହାତ ରଖିଲେ ତା ଶିର।
ପାଟ କାନି ଚିରି କୃଷ୍ଣ କ୍ଷତରେ ବନ୍ଧନ
ପ୍ରଭୁ କୋଟି ବସ୍ତ୍ର କଲେ କୃଷ୍ଣାଙ୍କୁ ପ୍ରଦାନ।
କୃଷ୍ଣ ଆଶୀର୍ବାଦ ପାଇ ନିରସ୍ତ୍ର ଗୋପାଳ
ପାଣ୍ଡବ ଜିତିଲେ ଯୁଦ୍ଧ ଧରମର ବଳ।
ଅମର ବର ଲାଭରେ ଅଶ୍ୱତଥାମା ବୀର
ଖଳ ବୁଦ୍ଧି ଆଶୀର୍ବାଦେ କଲା ଛାରଖାର।
ଭାରତ ଯୁଦ୍ଧରେ ଗାନ୍ଧାରୀଙ୍କ ଆଶୀର୍ବାଦ
ଧରମର ଜୟ ଦୁର୍ଯ୍ୟୋଧନେ ପରାଭବ।
ପ୍ରକୃତିର ପରାଭବ ଭୂତାଣୁ ପ୍ରଭାବ
ବିଶ୍ୱ ଡାକେ ତ୍ରାହି ତ୍ରାହି ଉଦ୍ଧର ମାଧବ।
ହାହାକାର ଧରା ଡାକେ ଅତିବ କାକୁସ୍ଥ
ଧରାବତରଣ ହେଉ ରଖ ଏ ଜଗତ।
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।