ସଦୟ ହୁଅ ହେ ଘନ
ନିଦାଘର ରୋଷ ବଢ଼େ ଅହର୍ନିଶ
ଉତ୍ପାତ ନିର୍ଘାତେ ସଂସାର ନାଶେ,
ଜଳୁଛି ବସୁଧା ଜଳ ହୀନ ବାଧା
ବଢ଼ିଲାଣି ଗ୍ରୀଷ୍ମ ଭୀଷ୍ମ ପ୍ରକାଶେ।
ବହୁ ଦୂରେ ମେଘ ଅଭାବେ ସରାଗ
ବାତ୍ୟା ଅଗତ୍ୟାରେ ଯାଉଛି ଉଡ଼ି,
ବିଶ୍ୱ କହେ ଘନ ରଖ ହେ ଜୀବନ
ଜଳ ବିନା ପ୍ରାଣ ଯାଉଛି ଛାଡ଼ି,
କର ଜୀବେ ଦୟା ତୁମରି ସୁଦୟା
କରୁ ଜୀବ ଦାନ ସୁଧା ପରଶେ,
ନିଦାଘର ରୋଷ ବଢ଼େ ଅହର୍ନିଶ
ଉତ୍ପାତ ନିର୍ଘାତେ ସଂସାର ନାଶେ।
ତୁମେ ଜଗତର ଚିର ସହଚର
ଏ ଘନ କାଳରେ ହେଲେ ଦାରୁଣ,
କେମିତି ବଞ୍ଚିବେ ଚରାଚର ଜୀବେ
ତରଳ ହୃଦୟ ହେଲେ କଠିନ।
ଦୟା କର ବାରେ ନିଦାଘ ବାଧାରେ
ଜଳୁଛି ଜଗତ ଅନଳ ସମ,
ଅଂଶୁଘାତ ପ୍ରାଣ ନାଶେ ଅନୁକ୍ଷଣ
ପଡ଼େ ହାହାକାର ଏ କି ବିଷମ!
ହେ କରୁଣାମୟ ହୁଅ ହେ ସଦୟ
ନାଶ କର ତ୍ରାସ ବାରି ପରଷେ,
ଜଳୁଛି ବସୁଧା ଜଳ ହୀନ ବାଧା
ବଢ଼ିଲାଣି ଗ୍ରୀଷ୍ମ ଭୀଷ୍ମ ପ୍ରକାଶେ।
ତୁମେ ପରା ଘନ ସାକ୍ଷାତ ଜୀବନ
ଆଶିଷେ ବଞ୍ଚଇ ଧରା, ତୁମରି,
ଗ୍ରୀଷ୍ମ ତ୍ରାସେ ମହୀ ଡାକେ ତ୍ରାହି ତ୍ରାହି
କର ହେ ସୁଦୟା ବରଷି ବାରି।
ସୀମାଞ୍ଚଳ ପଣ୍ଡା,ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪