ବୃଥା ବିଳାପ (ଅଣୁ ଗଳ୍ପ)
ଥରେ ନୁହେଁ ବହୁଥର ଆସିଛି ସେ ସୁନେଲି ସ୍ୱପ୍ନ ବୟସର ଦ୍ରାଘିମା ଡେଇଁ, ପରିସ୍ଥିତିର ବିବଶତା ଡେଇଁ, ତୁମ ସହ ମୋ ମଧୁର ମିଳନର ବାର୍ତ୍ତା ନେଇ। ମାତ୍ର ମିଳନ ପୂର୍ବରୁ ହିଁ ଭାଙ୍ଗିଯାଏ କାହିଁକି କେଜାଣି ସେ ସୁନାଝରା ସ୍ୱପ୍ନସବୁ। ବୋଧହୁଏ ଅବଚେତନରେ ମଧ୍ୟ ମୋର ବିବେକରୂପି ବାସ୍ତବତା ମୋତେ ଦୂରେଇ ଦିଏ ଅନୁଚିତ କଳ୍ପନାରୁ।ଆଉ ରକ୍ଷା କରିଦିଏ ଅସତୀ ହେବାରୁ। କାରଣ ମୁଁ ଏବେ ସେ ସ୍ୱପ୍ନର ବିପରୀତ ଦିଗରେ ବାସ୍ତବତାର ଅନ୍ୟ ଏକ ସଂସାର ସହ ଯୁଝିବାରେ ବ୍ୟସ୍ତ ଅଛି।ତେଣୁ ସେଇଥିପାଇଁ ମୋତେ ତୁମ ଆଡେ ବଢ଼ିବାକୁ ଦିଏନି ମୋର ବାସ୍ତବତା ।ଆଉ ସ୍ୱପ୍ନ ରେ ମଧ୍ୟ ବାଧକ ସାଜେ। ରାତିଶେଷେ ଛାଡିଯାଏ ଅଦେଖା,ଅକୁହା ଅନ୍ତଃ ବିଳାପର ଅନୁଭୂତି କିଛି ଯାହା ମୋତେ ଭାଙ୍ଗି ଚୂରମାର କରିଦିଏ ଗୋଟିଏ କାଚ କଣ୍ଢେଇଭଳି ।ଆଉ ପଶ୍ଚାତାପର ଦାବାନଳ ମନଶରୀରକୁ ଜାଳିପୋଡି ସତେ ଯେମିତି ପାଉଁଶ କରି ପକାଏ। ମୁଁ ରହିଯାଏ ବିଦଗ୍ଧ ତନୁର ଭସ୍ମିଭୂତ କାୟା ହୋଇ। ଆଉ ମନ ମୋର କହେ ସତେ ଏ ସମୟ କେତେ ନିଷ୍ଠୁର ! କେବେ ବି ଅସଜଡାକୁ ସଜାଡିବାକୁ ସମୟ ଦିଏନି କାହିଁକି ? ସତରେ ଏମିତି ହୋଇପାରନ୍ତା କି ? ପୁଣି ଥରେ ପଛକୁ ଯାଇ ନିଜ ତ୍ରୁଟିକୁ ସୁଧାରି ହୁଅନ୍ତା। ତେବେ, ମୁଁ ତୁମକୁ ଆଉ ପ୍ରତ୍ୟାଖ୍ୟାନ ନ କରି ଏ ଦୁନିଆ ସହ ଲଢିଯିବି ତୁମକୁ ପାଇବା ପାଇଁ।ନିର୍ବୋଧ ପଣରେ କରିଥିବା ଭୁଲର ପଶ୍ଚାତାପ ତ ଆଜି ଯାଏ କରିଆସୁଛି। ଅବୁଝା ପଣରେ ମାଗିଥିବା ବରଦାନର ବିକୃତ ରୂପକୁ ଏବେ ହିଁ ତ ଅନୁଭବ କରୁଛି। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ସେ ପରମପିତାଙ୍କ କଥା ଯାହାଙ୍କୁ, ମୁଁ ଏକାନ୍ତ ବିଶ୍ୱାସ ଓ ଭକ୍ତି କରୁଥିଲି ! ସେ କ’ଣ ବୁଝିପାରିଲେନି ନିଜ ସନ୍ତାନର ନିର୍ବୋଧପଣିଆ ! ଶିଶୁଟିଏ ଯଦି ସାପଟିଏ ମାଗେ ଖେଳିବାକୁ ତେବେ, ତାକୁ କ’ଣ ମାଆ/ବାପା ଦେଇଦେବା ଉଚିତ୍ ? ନୁହେଁ ନା ? କାରଣ ସାପ ବିଷଧର , ଭୟଙ୍କର ତଥା କ୍ଷତିକାରକ। ତେଣୁ ମାଆ ଶିଶୁକୁ ବାରଣ କରି ଦୂରେଇ ରଖିବା ଉଚିତ୍। ତେବେ ପ୍ରଭୁ ମୋର ନିର୍ବୋଧପଣିଆରେ ମାଗିଥିବା ବରଦାନକୁ ତଥାସ୍ତୁ କାହିଁକି କହିଲେ ? ସେତେବେଳେ ମୁଁ କେତେ ବା ସଂସାରବେଭାରକୁ ବୁଝିଥିଲି ?
….. ଛାଡ !ଏ ବୃଥାବିଳାପ ବର୍ତ୍ତମାନ ପକ୍ଷେ ମୂଲ୍ୟହୀନ। ତେଣୁ ବାସ୍ତବତା ଯେତେବା କଠୋର ହେଉ ତାହା ହିଁ ତ ବାସ୍ତବ ଯାହାକୁ ନେଇ ଆମେ ବଞ୍ଚୁ। ତେଣୁ ସେଇ କଠୋରତାକୁ କୋମଳତା , ଦୁଃଖକୁ ସୁଖରେ ତଥା ଅବସୋସକୁ ଆଶାରେ ପରିଣତ କରିବାର ପ୍ରୟାସ ହିଁ କରଣୀୟ।କାରଣ ବୃଥାବିଳାପ ବୃଥା ଚିନ୍ତା ର କାରଣ।ଆଉ ବୃଥା ଚିନ୍ତା ଶାନ୍ତି ନଷ୍ଟ ତଥା ଅସୁସ୍ଥତାର କାରଣ।ତେଣୁ ବର୍ତ୍ତମାନରେ ବଞ୍ଚିବା ଶ୍ରେୟସ୍କର।
ଚିନ୍ମୟୀ ସାହୁ
ମୂଳିସିଂ,ସହର
ଜଗତସିଂହପୁର।