ଏ ରଙ୍ଗ ରହିବ ନାହିଁ
ରଙ୍ଗ ଭୂମି ରଙ୍ଗ ରହୁନାହିଁ ଲାଖି
ଝଡୁଛି ଅକାଳେ ପଡି
କେତେ ଯୁଗ କେତେ ଗଲାଣି ତ ଆସି
ଯାଉଛି ତା ରଙ୍ଗ ଛାଡି।
ରହିନାହିଁ ରଙ୍ଗ କାହାରି ପାଖରେ
ମଳିନ ହୋଇଛି ଦେଖ
ଗର୍ଵ ଅହଂକାର ଦମ୍ଭକୁ ଜାବୁଡ଼ି
ଜୀବନକୁ କିବା ରଖ।
ଧନ ଯୌବନ କ୍ଷଣିକ ଜୀଵନେ
ଦେଖୁ ଦେଖୁ ଯାଏ ଚାଲି
ଜୀବନର ରଙ୍ଗ ନୁହଇଁ ତ ସ୍ଥିର
ସତେକି ସେ ଚୋରା ବାଲି।
ଶୈଶଵର ରଙ୍ଗ ଅତିଵ ସୁନ୍ଦର
ସବୁଜ କଅଁଳ ଵନ
ଖିଲି ଖିଲି ହସ କ୍ଷଣେ କ୍ଷଣେ କାନ୍ଦ
ମୋହିତ କରଇ ମନ।
ବାଲ୍ୟ ଚପଳତା ସୂନ୍ଦର ଅଳତା
ହୋଲି ପରଵର ଦିନ
ଏକ ଦିନ ରହି ଛାଡିଯାଏ ଅଙ୍ଗେ
ଅଵିରର ହୃଦ ମନ।
ଯୌଵନର ରଙ୍ଗ ସବୁଠୁ ସରସ
ଦେହ ମନେ ଭରେ ପ୍ରେମ
ଝିଲିମିଲି ଜ୍ୟୋତ୍ସ୍ନା କରେ ଆନମନା
ହୃଦୟରେ ଵଢେ କାମ।
ରାତି ପାହିଯାଏ ଜହ୍ନ ଲୁଚିଯାଏ
ଯୌବନ ଯାଆଇ ସରି
ଵୃଦ୍ଧ ରଙ୍ଗ ଯେଵେ ଦେହରେ ଲାଗଇ
ସଵୁ ରଙ୍ଗ ଯାଏ ହାରି।
ଫିକା ଫିକା ସଵୁ ଜୀବନର ରଙ୍ଗ
ଵାର୍ଦ୍ଧକ୍ୟର କଷାଘାତେ
ଦୀର୍ଘ ନିଃଶ୍ବାସଟା ଛାଡି ଗଲା ପରେ
କି ରଙ୍ଗ ରହିବ କେତେ।
ସଵୁ ରଙ୍ଗ ତୋର ମାଟିରେ ମିଶିବ
ହାଡ଼ କଙ୍କାଳର ସାଥେ
ଗୁଣ ରଙ୍ଗ ଯଦି ଥିବ ତୋ ସାଥୀରେ
ଝଲକୁଥିବ ସେ ପଥେ।।
ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା।