❤️ ଏକା ତୁମ ଅଧିକାର ❤️
————————————
ଆସ ପ୍ରିୟ ଫେରି ତୁମ ପ୍ରୀତି କୁ ସୁମରି
ତନ୍ୱୀ ହେଲାଣି ମୋ ତନ,
ଅରୁଚି କରୁଚି ଅଶନେ ବସନେ
ଲାଗୁନାହିଁ ଆଉ ମନ |
ଆଜି ତ ପୁନେଇଁ ଜହ୍ନ ଗଲା ଉଇଁ
ଢାଳି ଶୀତଳ ଜୋଛନା,
ତୁମେ କାହିଁ ସାଥୀ ବୁଝ ନାହିଁ କିଛି
ମୋ ପାଖେ ଫେରି ଆସନା |
ଦେଖ ଗଗନ ରେ ହସୁଛି ଚନ୍ଦ୍ରମା
ପ୍ରିୟା ଦେହ ଛୁଇଁ ଛୁଇଁ,
ତୁମ ପ୍ରିୟତମା କେମିତି ହସିବ
ପ୍ରିୟତମ ପାଶେ ନାହିଁ |
ଜହ୍ନ ଆଲୋକରେ ତମସ୍ୱିନୀ କୋଳେ
ବସିଛି ଚାନ୍ଦ କୁ ଚାହିଁ,
ତୋଫା ଆଲୁଅରେ ନିଜ ଛାଇ ପାଶେ
ଖୋଜୁଛି ମୁଁ ତୁମ ଛାଇ |
ନୟନ ମୋ ଦୁଇ ସାଜି ତରଙ୍ଗିଣୀ
ବହିଯାଏ ଅବିରତ,
ପହିଲି ଶିଶିର ଦେହ ଛୁଇଁ ଯାଏ
ମାନେ ନାହିଁ ଅଭିମତ |
କେମିତି ତାକୁ ମୁଁ ବୁଝାଇବି କୁହ
ତୁମେ ମୋର ମୁଁ ତୁମର,
ତୁମରି ପରଶ ପାଇଗଲେ ଟିକେ
ବ୍ରତ ମୋ ହେବ ସାକାର |
ତୁମ ଆତ୍ମା ସହ ଆତ୍ମା ପରା ମୋର
ହୋଇଅଛି ଏକାକାର,
ଦେହ ନୁହେଁ ଖାଲି ମନ, ହୃଦୟ ରେ
ଏକା ତୁମ ଅଧିକାର |
——————————————
ଦୀପଶିଖା ପ୍ରଧାନ