*ସ୍ୱପ୍ନ ନାୟିକା*
ଲାବଣ୍ୟବତୀର ରୂପ ଲାବଣ୍ୟକୁ
କରିଥିବ ଯିଏ ଚୋରି
ସଲଜ୍ଜ ନୟନେ କଟାକ୍ଷ ଚାହାଣୀ
ହୃଦୟକୁ ଦବ ମାରି
ମଧୁଝରା ତା’ର ସ୍ମିତହସ ପୁଣି
ମନକୁ କରିବ ଗୁଣି
ରୂପସୌନ୍ଦର୍ଯ୍ୟକୁ ଦର୍ଶନ କରିଣ
ନୟନ ମୋ ହବ ଋଣୀ ।।
କଥନ ଭଙ୍ଗୀରୁ ଝରାଇବ ମଧୁ
ସତେ କୋକିଳର କୁହୁତାନ
ସରୋଜିନୀ ମୁଖେ ଔଜଲ୍ୟର ଆଭା
ମୋହିବ ଯେ ତନୁମନ
କୋମଳାଙ୍ଗୀ ପ୍ରିୟା ପଟାନ୍ତର ନାହିଁ
ସୁବର୍ଣ୍ଣକାନ୍ତି ତା’ କାୟା
ସ୍ୱର୍ଗ ଅପ୍ସରୀର ଭ୍ରମ ସୃଷ୍ଟିକରେ
ଲଗାଇ ଦିଏ ତା’ ମାୟା ।।
ପୂର୍ଣ୍ଣମୀର ଇନ୍ଦୁ ତୁମ ଆଗେ ଫିକା
ଜୋଛନା ତା’ କ୍ଷଣସ୍ଥାୟୀ
ଅମାବାସ୍ୟା ତିଥି ହୋଇଲେ ଆଗତ
ସୌନ୍ଦର୍ଯ୍ୟ ତା’ ଜୀବ ଧୋଇ
ପ୍ରାପ୍ତି ଅଭିଳାଷା ମନେ ଯେ ସାଇତା
ଏକା ପିପାସା ତୁମରି ସ୍ପର୍ଶ
ପ୍ରତୀକ୍ଷାରେ ତୁମ ଅତିବାହିତ ମୋ
କେତେ ମାସ କେତେ ବର୍ଷ ।।
ସତେ ଉର୍ବଶୀ ଗୋ ତୁମେ ରୂପସମ୍ଭାରର ବୈଚିତ୍ର୍ୟ ତୁମ ପ୍ରୀତି
ଚକ୍ଷୁଯୁଗଳ ହରିଣୀର ନେତ୍ର
ମନଲୋଭା ତା’ର ଜ୍ୟୋତି
ଜୀବନ୍ୟାସ ଦିଏ ପ୍ରାଣକୁ ମୋହର
ସତେ ଭରିଦିଏ ନବରସ
ଷୋଡଶୀ ତରୁଣୀ କାମଶର ବିନ୍ଧେ
ଚିତ୍ତକୁ ଯେ କରେ ବଶ ।।
କି ଉପମା ଦେଇ ବର୍ଣ୍ଣିବି ତାହାକୁ
ସେ ତ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି
ଚାଲିଯିବ କାଳେ ମତେ ତ୍ୟାଗକରି
ସୃଷ୍ଟିହୁଏ ମନେ ଭିତ୍ତି
ନୁହଁଇ ମୁଁ ଭଞ୍ଜ ନୁହେଁ ମାନସିଂହ
ନାହିଁ ମୋର ଶବ୍ଦ ଜ୍ଞାନ
ତୁମ ଲାବଣ୍ୟର ପୂଜାରୀ ଅଟେ ମୁଁ
ଥରେ କରିଦିଅ ପ୍ରେମଦାନ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର