*ଅନ୍ଧବିଶ୍ଵାସ ଓ କୁସଂସ୍କାର *
••••••••••••••••••••
ବନଲତା ଜାଲି
°°°°°°°°°°°°
ଘୃଣ୍ଯ ଏକ ସାମାଜିକ ପ୍ରଥା
ଆଧ୍ୟାତ୍ମିକ,ନୈତିକ ସ୍ଫଳନ
ଯାହାକୁ ପାଥେୟ କରି
ମଣିଷ ହୋଇଯାଏ ବିବେକହୀନ
କରିଚାଲେ ଅଦୂରଦର୍ଶିତାର
ରକ୍ଷଣଶୀଳ କାର୍ଯ୍ୟମାନ
ସମାଜକୁ ସଂସ୍କାର ଦେବାକୁ ଯାଇ
ଭୁଲ୍ ର ପାହାଡ କରେ ଦଣ୍ଡାୟମାନ ନିଜେ ହୋଇ ଅସଜଡା
ମାନବକୁ ଦିଏ ଦିଗ୍ ଦର୍ଶନ
ଯାହାର ଫଳସ୍ବରୂପ ସୃଷ୍ଟିହୁଏ
ବିଭତ୍ସ,କୁତ୍ସିତ ମାନସିକ ପରିବର୍ତ୍ତନ।।
ବଡବଡିଆ ପ୍ରତିଷ୍ଠିତ ବ୍ଯକ୍ତିଙ୍କର
ଏ ମନଗଢା ଅନୁଶାସନ
ଲୋକ ଦେଖାଣିଆ ଢଙ୍ଗରେ
ସାଜନ୍ତି ନୀତି ପରାୟଣ
ନିଜ ସ୍ବାର୍ଥ ପାଇଁ କରନ୍ତି
ଦଳିତ,ନିସ୍ପେଷିତଙ୍କୁ ଶୋଷଣ
ସେମାନଙ୍କ ପାଇଁ ନାହିଁ ପ୍ରତିବନ୍ଧକ
ମାନନ୍ତିନି ନିୟମ କାନୁନ୍
ଅନ୍ୟକୁ ସଜାଇ ଦୋଷୀ
ପାଲଟନ୍ତି ନିଜେ ଭଗବାନ
ଆଇନ୍ କାଠଗଡାରେ ଠିଆହୋଇ
ସପକ୍ଷରେ ରଖି ଯୁକ୍ତିମାନ
ଅଭିନୟ ଯାଦୁରେ ସମସ୍ତଙ୍କୁ କରିବଶ
ଲକ୍ଷ୍ୟକୁ କରନ୍ତି ସାଧନ
ସରଳ ମନରେ ଗରଳ ଭରି
ମୁକ୍ତିର ଦେଖାନ୍ତି ପ୍ରଲୋଭନ
ଧର୍ମଭୀରୁତାର ସୁଯୋଗ ନେଇ
ପାଲଟନ୍ତି ବିଚ୍ଛୁଆତିରୁ ଗୋଟା ତୁଳସୀ ମାନ ।।
ଉଚ୍ଚନୀଚ ,ଧନୀଦରିଦ୍ର,ଜାତୀୟାଣ ପ୍ରଥା
ଅସ୍ପୃଶ୍ଯତା,ଛୋଟବଡ ଭାବ
ନିରୀହ,ସରଳ ମନରେ ଭରି ବିଷ
ବଦଳାନ୍ତି ତାଙ୍କର ସ୍ବଭାବ
ନିଜ ଲାଳସାର ଚରିତାର୍ଥେ ଦେଖାନ୍ତି
ଧାର୍ମିକତା ଲୋଭ
କଣ୍ଢେଇ ଭଳି ନଚାଇ ଆଙ୍ଗୁଳିମୁନରେ
ପକାନ୍ତି ନିଜର ପ୍ରଭାବ
ବାଟବଣା ପଥିକକୁ ଅସ୍ତ୍ରକରି
ସୃଷ୍ଟିକରି ଅଯଥା ଗୁଜବ
ପ୍ରଚ୍ଛଦ ପଟରେ ଲୁଚିରହି
ଦେଖାନ୍ତି ବାହାନାର କ୍ଷୋଭ
ଅନ୍ୟ ପରେ ଅଜାଡି ସଙ୍କଟ
ଅସମ୍ଭବକୁ କରଇ ସମ୍ଭବ ।।
କେତେ ଜୀବନ ହୁଏ ନାରଖାର
କାହା ହୃଦେ ଭରଇ ଶୂନ୍ୟତା
କେତେ ଭବିଷ୍ୟତ ହୁଅଇ ଅନ୍ଧାର
ଲୁଟିଯାଏ କେତେଯେ ମମତା
ଅକାଳରେ ଝରେ କେତେ ନୀରିହ ପରାଣ
ଭାଙ୍ଗିଯାଏ ମନ ଦାମ୍ଭିକତା
ଉଜୁଡ଼ଇ ସୁନାର ସଂସାର
ଦେଖୁଥାଏ ନିଷ୍ଠୁର ସଭ୍ୟତା
ଉଦ୍ ବୋଧନ ବଦଳରେ
ଅନ୍ୟ ଦ୍ବାରା ହୁଅଇ ଲାଞ୍ଛିତା
ଅନିଚ୍ଛା ସତ୍ତ୍ବେ ବଦଳଇ
ନିଷ୍ପାପ ,ସରଳ ମାନସିକତା
ସୃଷ୍ଟି ହୋଇ ସଂଗ୍ରାମର ଝଡ
ପ୍ରକାଶଇ ଅମାନୁଷିକତା ।।
ସୁସ୍ଥ ସମାଜ ଗଠନର ଧାରା ନେଇ
ସମାନତା,ଅଧିକାର ନାର୍ଯ୍ଯ ଦେଇ
ଜ୍ଞାନର ଆଲୋକେ, ଅଜ୍ଞାନ ହଟାଇ
ଭ୍ରାନ୍ତ ଧାରଣା ମନରୁ ଲିଭାଇ
ଦାର୍ଶନିକ ଯୁକ୍ତିକୁ ଚଳାଇ
ଶିକ୍ଷା ଅଭିଯାନକୁ ଆଗେଇ
ନୂତନ ଉତ୍ସାହ,ଉଦ୍ଦିପନା ପାଇଁ
ବିଜ୍ଞାନର ସତ୍ୟତା ଦର୍ଶାଇ
ନବ ପ୍ରେରଣାର ବାର୍ତ୍ତା ବହି
ମାନସିକତା ବଦଳାଇ
ଅନ୍ଧ ବିଶ୍ଵାସ ଓ କୁସଂସ୍କାରକୁ ଧୋଇ
ସମାଜରୁ କୁଟିଳତା ଦେବାଟି ଦୂରେଇ।।
••••••••••••••