ଅନୁଭୂତିରେ ପିଲାଦିନ ଓ ମୋ ବିଦ୍ୟାଳୟ
******************************
ସତ କହିବାକୁ ଗଲେ ବିଦ୍ୟାଳୟରେ ନାଁ ଲେଖାପରେ
ମୋର କୌଣସି ଅନୁଭୂତି ମନେ ନାହିଁ ।କିନ୍ତୁ ପ୍ରଥମ ଦ୍ୱିତୀୟ
ତୃତୀୟ ପରେ ଚତୁର୍ଥ ଶ୍ରେଣୀ ବେଳେ ବିଦ୍ୟାଳୟରେ ଗୋଟେ
ଘଟଣା ମୋର ଝାପ୍ସା ମନେ ପଡେ ଆଉ ଜାଣିନି କାହିଁକି ଏବେବି
ସେଇ ଘଟଣା ମୋ ଦେହର ପ୍ରତିଟି ଲୋମ ରେ ଏକ ଅଜଣା
ଶିହରଣ ଖେଳାଇଦିଏ । ମୋ ବାପା ହାଇସ୍କୁଲ ର ଶିକ୍ଷକ
ଥିଲେ ଆଉ ମୋର ନାଁ ପ୍ରାଇମେରୀରେ ଲେଖିଦେଇ ମୋତେ ପ୍ରତିଦିନ ସାଇକେଲରେ ବସାଇ ବିଦ୍ୟାଳୟ କୁ ନେଉଥିଲେ ।
ଘରେ ବାପା ମୋତେ ପାଠ ପଢାନ୍ତି , ଆଉ ଗାଧୋଇ ଖାଇ
ବାପାଙ୍କ ସହିତ ମୁଁ ବିଦ୍ୟାଳୟ ଯାଏ ।ମୁଁ ଭଲ ପଢେ ବୋଲି
ଆମ ସାର୍ ମାନେ ମୋତେ ବହୁତ ଭଲ ପାଆନ୍ତି । ବାପାଙ୍କ
ସ୍କୁଲ ପାଚେରୀକୁ ଲାଗି ଆମ ସ୍କୁଲ ।ବାପା ତାଙ୍କ ପିରିୟଡ଼
ଫାଙ୍କା ବେଳେ ଝରକା ବାଟେ ମୋତେ ଟିକେ ଦେଖି ଦେଉଥାନ୍ତି
କାହିଁକିନା ମୁଁ ଅତି ଗେହ୍ଲା ଥିଲି ।ସବୁ ସାର୍ ମାନଙ୍କରମଧ୍ୟ ଗେହ୍ଲା
ଥିଲି ।
ବିଦ୍ୟାଳୟ ରେ ସରସ୍ୱତୀ ପୂଜା ଦିନ ର ଘଟଣା ।।ମୋର
ତୃତୀୟଶ୍ରେଣୀ ହୋଇଥାଏ ଆଉ ମୁଁ ବାପାଙ୍କ ସହ ପୂଜା
କରିବାକୁ ବିଦ୍ୟାଳୟ ଯାଇଥାଏ ।ନୂଆ ଡ୍ରେସ ସହ ନଡିଆ
କଦଳୀ ନେଇ ଥାଏ ପୂଜା କରିବାକୁ । ଆମ ବିଦ୍ୟାଳୟରେ
ପଞ୍ଚମ ଶ୍ରେଣୀ କୋଠରୀଟି ଟିକେ ବଡ଼ ।ତେଣୁ ସାର୍ ମାନେ
ସେଇ କୋଠରୀରେ ସବୁ ପୂଜା ସଭାସମିତି କରିଥାନ୍ତି ।
ସେତେବେଳେ ସବୁ ପିଲାଙ୍କର ସଂଖ୍ୟା ବୋଧେ 102 ଥିଲା । ଆଉ ମୁଁ ସେକେଣ୍ଡ ମନିଟର ଥିଲି ।କାହିଁକିନା ମୋର ପିଲାବେଳୁ ଟିକେ ନେତୃତ୍ୱ ନେବାର ଗୁଣଥିଲା । ଉଚ୍ଚ ସ୍ୱରରେ କଥାକହି ମୁଁ ସମସ୍ତଙ୍କ ପାଟି ଚୁପ କରିଦେଉଥିଲି ।ସେଦିନ ସମସ୍ତଙ୍କ
ହାତରେ ନଡିଆ ।ବ୍ରାହ୍ମଣ ପୂଜା କରିବାକୁ ଆସି ନଥାନ୍ତି ।
ସାର୍ ମାନେ ମଧ୍ୟ ସମସ୍ତେ ଆସି ନଥାନ୍ତି ।ଟିକେ ଟିକେ
ବର୍ଷା ହେଉଥାଏ ।ସେଥିପାଇଁ ପ୍ରଧାନଶିକ୍ଷକ କହିଲେ
ସମସ୍ତେ ପୂଜା ହଲ ରେ ବସ ।ଆଉ ମୋତେ ଜଗିବାକୁ
କହି ଅଫିସ ଯାଇ ଅନ୍ୟ ଦାୟିତ୍ୱ ବୁଝିଲେ ।
ସେଦିନ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ମନିଟର ଭାଇ
ମଧ୍ୟ ଆସିନଥାନ୍ତି ବର୍ଷା ହେଉଥିବାରୁ ।ପିଲାମାନେ ଖୁବ ଜୋରରେ ପାଟି କରୁଥିଲେ ।ଦଳେ ପିଲା ମାଡଗୋଳ ଲାଗି
ଆଣିଥିବା ଭୋଗ କଦଳୀ କୁ ଖାଇ ଚାଲିଥାନ୍ତି ଛଡାଛଡ଼ି ହୋଇ
ମୁଁ ବହୁତ ମନା କଲି ଆଉ ସେମାନେ କେହି ବୁଝୁ ନ ଥାନ୍ତି
ମୁଁ ବି ବିରକ୍ତ ହୋଇଗଲିଣି ପାଟି କରିକରି ।ଶେଷରେ
ସେମାନେ ନ ଶୁଣିବାରୁ ଜଣେ ପିଲାର ନଡିଆଟା ଆଣି
ସବୁଠାରୁ ବେଶୀ ମାଡ଼ଗୋଳ କରୁଥିବା ପିଲାଟି ମୁଣ୍ଡରେ
ପିଟିଦେଲି ।ତା’ ମୁଣ୍ଡ ଫାଟି ସଂଗେ ସଂଗେ ରକ୍ତ ବୋହିଲା ।
ତା’ ରକ୍ତ ଦେଖି ମୋର ହୋସ ଉଡ଼ିଗଲା ।ସାର୍ ମାରିବେ
ଏବଂ ବାପା ବି ମାରିବେ ଭୟରେ ମୁଁ ଦୌଡ଼ି ଯାଇ ସ୍କୁଲରେ
ଭଙ୍ଗା ଆସବାବପତ୍ର ଥିବା ଏକ କୋଠରୀରେ ଲୁଚିଗଲି
ଆଉ ଦେହ ଜୋରରେ ଥରୁଥାଏ ଆଉ କାନ୍ଦୁଥାଏ ମୁଁ ।ଠାକୁରଙ୍କୁ
ଡାକୁଥାଏ ମୋତେ ରକ୍ଷା କରିବାକୁ ।ମୁଁ ଟିକେ ଛୋଟବେଳୁ
ମା’ ତାରିଣୀଙ୍କୁ ପୂଜାକରେ । କାହିଁକିନା ଆମ ଘର କେନ୍ଦୁଝର
ଜିଲାରେ ଘଟଙ୍ଗା ନିକଟବର୍ତ୍ତୀ ଥିବାରୁ ଆମ ପରିବାର
ପ୍ରାୟ ସମୟରେ ମା’ଙ୍କ ଦର୍ଶନ ପାଇଁ ଯାଇଥାଉ ।ତେଣୁ ମୁଁ ମା’ଙ୍କୁ ବହୁତ ଭଲପାଏ ଏବଂ ଭକ୍ତିକରେ ।
ମୁଁ କେତେବେଳେ ମା’ ତାରିଣୀଙ୍କୁ ଡାକି ଡାକି ଶୋଇପଡିଛି ।
ହଠାତ ଜୋର ପାଟି ଶବ୍ଦରେ ମୋ ନିଦ ଭାଙ୍ଗିଗଲା ।
ସେତେବେଳକୁ ଦିନ 2 ଟା ହେଲାଣି ।ଚାହିଁଦେଖିଲାବେଳକୁ
ସବୁ ସାରମାନେ ଏବଂ ମୋ ବାପା ମୋ ପାଖରେ ଠିଆ ହୋଇଛନ୍ତି ।ବାପା ପୁରା ବ୍ୟସ୍ତ ହୋଇ ପଡିଛନ୍ତି ।ମୁଁ ଡରି ଡରି
ଚାରିଆଡକୁ ଅନାଇଲି ଆଉ ସବୁ ଛୁଆମାନଙ୍କ ଆଗରେ
ସେଇ ଛୋଟ ପିଲାଟି ମଧ୍ୟ ଠିଆ ହୋଇଥିଲା ।ତା’ ମୁଣ୍ଡରେ
ପଟି ବନ୍ଧା ହୋଇଥିଲା ।ମୁଁ ପ୍ରବଳ ଡରିଗଲି ଆଉ ରକ୍ଷା ନାହିଁ
ଭାବି ଜୋରରେ କାନ୍ଦି ଉଠିଲି ।ସାର୍ ମୋ ମୁଣ୍ଡ ଆଉଁସି
ଦେଲେ ଆଉ କହିଲେ,” ତୁ ଡରନା ପିଲାଟିର ବେଶୀ କିଛି
ହୋଇନି ତା’ ଭୁଲ ସେ ମାନି ନେଇଛି ସେ ଆଉ ଚଗଲା ହେବନି
କି ଝରକା କବାଟରେ ତା’ ମୁଣ୍ଡ ବାଜି ଫାଟିବନାହିଁ ବୋଲି
ସେ ଶପଥ କରିଛି । ତତେ ଖୋଜି ଖୋଜି ଆମେ ସମସ୍ତେ
ବ୍ୟସ୍ତ ହୋଉପଡିଲୁଣି ତୁ ରକ୍ତ ଦେଖି ଏତେ ଡରୁଛୁ କାହିଁକି
ଜୀବନରେ ଅନେକ କଷ୍ଟ ଆଉ କଣ୍ଟକିତ ପଥ ଦେଇ ଚାଲିବାକୁ
ହେବ ।ତେଣୁ ସାହସ ଓ ଧୈର୍ଯ୍ୟ ରଖିବୁ ସବୁବେଳେ ।”
ବାପା ମୋତେ କାନ୍ଧରେ ପକାଇ ନେଉଥିଲେ ।ମୁଁ ଚାହିଁଥିଲି
ସେଇ ଛୋଟ ପିଲାଟିକୁ ଯିଏ କି ମୋତେ ହସି ହସି ହାତ ହଲାଉଥିଲା ।ତା’ ପରଦିନ ମୁଁ ଜାଣିବାକୁ ପାଇଲି ଯେ
ପିଲାଟି ସାରଙ୍କୁ ମୁଁ ପିଟିଥିବା କଥା ନ କହି ମିଛରେ ନିଜେ
ଦୋଷ ମୁଣ୍ଡାଇଛି ।ମୋ ମନରେ ତା’ ପ୍ରତି କେମିତି ଏକ
ଶ୍ରଦ୍ଧା ଭରିଯାଇଥିଲା ଆଉ ମୁଁ ତାକୁ ସେଦିନ ମୋ ଟିଫିନ
ବି ଖାଇବାକୁ ଦେଇଦେଇଥିଲି ।ସେ ବହୁତ ଖୁସି ହୋଇଯାଇଥିଲା । ଆଉ ମୁଁ ସେଭଳି ଭୁଲ କେବେବି କରିବି ନାହିଁ ବୋଲି ମନେ ମନେ ଶପଥ କରିଥିଲି ।
ଆଜି ଜାଣିନି ସେ କେଉଁଠି ! କାରଣ ବାପାଙ୍କର ଚାକିରୀ ବଦଳି ହେତୁ ମୁଁ ବିଭିନ୍ନ ବିଦ୍ୟାଳୟରେ ପଢ଼ିଲି ।କାହା ଖବର
ରଖିପାରିଲିନାହିଁ । ଆଉ ମଧ୍ୟ ଗାଁ ଛାଡି ସହରରେ ଘରକରି ରହିଲୁ ।ମୁଁ ଏବେ ଶିକ୍ଷୟିତ୍ରୀ ଆଉ ମୋର ଛାତ୍ର ଛାତ୍ରୀଙ୍କୁ ଦେଖିଲେ ସେଇ ସ୍ମୃତି ଝାପ୍ସା ଦେଖାଦେଇ ପୁଣି ଲୁଚିଯାଏ ବିଦ୍ୟାଳୟର ଘଣ୍ଟା ଶବ୍ଦରେ ।
ଦୀପ୍ତି ଦେବଦର୍ଶିନୀ ସୁତାର (ଶିକ୍ଷୟିତ୍ରୀ)
ଓରାଳି ,ହାଟଡିହୀ,କେନ୍ଦୁଝର -758083