ଦୁଃଖୀ ର ଦୁଃଖ ନାଶନ -ପ୍ରଭୁ ଶ୍ରୀ ଜଗନ୍ନାଥ
୨୦୦୮ ମସିହା ର କଥା । ମୋ ବଡ଼ ଭଉଣୀ ର ଚିକିତ୍ସା ଚାଲିଥାଏ । ଭଉଣୀ ର ବାହା ଘର ଛଅ ବର୍ଷ ହୋଇଥିଲା କିନ୍ତୁ ତା’ର ପିଲାପିଲି ହୋଇ ନ ଥାଏ ।
ତା ଓଭାରିରେ ୨ଟି ଟ୍ୟୁମର ହୋଇ ଗୋଟିଏ ଫାଟି ଯାଇଥିଲା କିନ୍ତୁ ଆମମାନଙ୍କୁ ଜଣା ନାହିଁ । ବଣେଇ ସରକାରୀ ଡାକ୍ତରଖାନା ରୁ ଓୗଷଧ ନେଇ ଖାଏ,ପରେ ପୁଣି ପେଟ ଯନ୍ତ୍ରଣା ହୁଏ । ଦିନେ ମୁଁ ଓ ମୋ ବଡ଼ଭାଇ ରାଉରକେଲା ର ଏକ ଘରୋଇ ହସ୍ପିଟାଲ୍ କୁ ଭଉଣୀ କୁ ନେଲୁ, ଡାକ୍ତର ତା ପେଟ ଛୁଇଁ କହିଲେ ପେଟରେ ପାଣି ଜମି ଯାଇଛି । ବାହାର କରିବାକୁ ହେବ କହି ୨ ବୋତଲ ପାଣି -ପାଇପ୍ ସାହାଯ୍ୟରେ ଟାଣିଲେ, ପାଣି ରେ ବ୍ଲଡ୍ ଆସିଥାଏ, ଡାକ୍ତର କହିଲେ, କ୍ୟାନ୍ସର କିମ୍ବା ଟି.ବି. ହୋଇଥାଇ ପାରେ । ଟେଷ୍ଟ ପାଇଁ ବମ୍ବେ ପଠେଇ ବାକୁ ପଡ଼ିବ,୨ଟି ଟେଷ୍ଟ ପାଇଁ ୧୪୦୦ ଟଙ୍କା ପଡ଼ିବ ।ଆମ ସହିତ ଜଣେ ଶିକ୍ଷକ (ପାଖ ସ୍କୁଲ ର) ଯାଇଥାନ୍ତି,ସେ କହିଲେ କେବଳ ଗୋଟିଏ ଟେଷ୍ଟ ପାଇଁ ପଠେଇ ବା , କାହିଁକି ଅଯଥାରେ ୨ଟି ଟେଷ୍ଟ ପାଇଁ ଟଙ୍କା ଦେବା । ଯଦି ଟି.ବି.ହୋଇଥିବ ତାହେଲେ କ୍ୟାନ୍ସର ହୋଇ ନ ଥିବ , ଯଦି କ୍ୟାନ୍ସର ହୋଇଥାଏ ତାହାହେଲେ ଟିବି ହୋଇ ନ ଥିବ । ତାପରେ ଅଲଟ୍ରାସାଉଣ୍ଡ ପାଇଁ ଆଉ ଏକ କ୍ଲିନିକ୍ କୁ ପଠେଇଲେ । ଅଲଟ୍ରାସାଉଣ୍ଡ ବେଳେ ଶିକ୍ଷକ (ଦାଶ ସାର୍ ) କହିଲେ କ୍ଷୀରେଶ୍ୱରୀ ତୁ ଯାଆ, ଭିତରେ ଦେଖିବୁ। ମୁଁ ଭିତରକୁ ଯାଇ ଦେଖୁଥାଏ,୨ଟି କ’ଣ ଜିନିଷ ତଳଉପର ହୋଇ ହଲୁଛି, ମୁଁ ଡାକ୍ତର ଙ୍କୁ ପଚାରିଲି ସାର୍ ସେଗୁଡିକ କ’ଣ ?ପଚାରିବାରୁ ସେ ମୋତେ ବାହାରକୁ ପଠାଇ ଦେଲେ ।
ଡାକ୍ତର ରିପୋର୍ଟ ଦେଖି ଜଣେ Gynic specialist( RGH) ପାଖକୁ ପଠାଇ ଦେଲେ । ସେଠି ଡାକ୍ତର କହିଲେ ପେଟରେ ଘା’ ହୋଇଛି, ତାକୁ କାଟି ବାହାର କରି ଦେବି , ଯଦି ଭଲ ନ ହୁଏ ତା ହେଲେ କଟକର SCB ପଠେଇ ଦେବି କିଛି ଔଷଧ ନେଇ ଘରକୁ ଫେରିଲୁ ।
ମୁଁ ଚିନ୍ତା କଲି ଭଲ ଲୋକଟିକୁ କଟକ ନ ନେଇ, ପେଟ କଟା ହେଲାପରେ କାହିଁକି ନେବି ।ଘରର ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ, ମୁଁ ଏକ ବେସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥାଏ, ଦରମା ମାତ୍ର ୨୨୦୦ ଟଙ୍କା, ଭାଇ ରାଜମିସ୍ତ୍ରୀ ସହିତ ହେଲପର୍ କାମ କରୁଥାଏ, ସେଥିରେ ବା କେତେ ଟଙ୍କା, ତଥାପି ଧାର ଉଧାର କରି କିଛି ଟଙ୍କା ଯୋଗାଡ କଲୁ ।
ମୁଁ ଯେଉଁ ସ୍କୁଲରେ ଥିଲି, ସେଠାକାର ଜଣେ ଅଭିଭାବକ କହିଲେ ମୁଁ ଏକ ହସ୍ପିଟାଲ୍ ଜାଣିଛି, କଟକରେ ସେଠି ପେଟରୋଗ ଭଲ ହୋଇଯାଏ । ଜଣେ ଲୋକର ପେଟ ବହୁତ ବଡ଼ ଫୁଲିଥିଲା, ସେ ଏବେ ସୁସ୍ଥ ଅଛି ଏବଂ ଆମକୁ କଟକ ନେଇ କରି ଗଲେ । ଷଡ଼ଙ୍ଗୀ କ୍ଲିନିକ୍, ଲିଙ୍କ୍ ରୋଡ଼, କଟକ ।
ସମ୍ପର୍କୀୟ ମାମୁଁ ମାଇଁ ଭୁବନେଶ୍ୱର ରେ ପୋଲିସ ବିଭାଗ ରେ ଚାକିରି କରନ୍ତି, ତାଙ୍କୁ ଫୋନ୍ କଲୁ ଆସିଲେ । ଆମେ ପ୍ରଥମ ଦିନ ହିଁ ପାଞ୍ଚ ହଜାର ଟଙ୍କା ଜମା କଲୁ ଟେଷ୍ଟ ପାଇଁ । ତାପରେ କହିଲେ, ଲୋକଟି ବହୁତ ଶୁଖି ଯାଇଛି ଆଠ ଦିନ ପରେ ଅପରେସନ ହେବ । ସେତେବେଳେ ପର୍ଯ୍ୟନ୍ତ ଆମେ ଜାଣି ନ ଥାଉ ତା ପେଟ ରେ ଟ୍ୟୁମର ହୋଇଛି ବୋଲି । ମୁଁ ସେ ଅଭିଭାବକ ସହିତ ଫେରି ଆସିଲି (କାରଣ ମୁଁ ଯେଉଁ ସ୍କୁଲରେ ଥିଲି ମୁଁ ପ୍ରଧାନ ଶିକ୍ଷୟିତ୍ରୀ ଥିଲି)ମୋ ମାଉସୀ ଝିଅ ଭଉଣୀ କୁ ଜଗିବା ପାଇଁ ସେଠାରେ ଛାଡି ଆସିଲି । ଆଠଦିନ ପରେ ଗଲୁ , ମାମୁଁ ମଧ୍ୟ ଆସିଲେ । ତିନି ୟୁନିଟ ବ୍ଲଡ୍ ଯୋଗାଡ ପାଇଁ କହିଲେ। ବ୍ଲଡ଼ କେମିତି ଯୋଗାଡ ହେବ , ମୁଁ ଜଗନ୍ନାଥ ଙ୍କୁ କେବଳ ଏତିକି ପ୍ରାର୍ଥନା କରୁଥାଏ ପ୍ରଭୁ,ମୋ ଭଉଣୀ କୁ ଭଲ କରିଦିଅ । ମାମୁଁ ଙ୍କ ସାଙ୍ଗ ମଧ୍ୟ ଆସିଲେ, ସରକାରୀ ବ୍ଲଡ୍ ବ୍ୟାଙ୍କ କୁ ଯାଇ ୨ଟି ୟୁନିଟ ବଦଳ ଦେଇ ସେଠାରୁ ତିନି ୟୁନିଟ ବ୍ଲଡ୍ ଆଣିଲେ । ପେସେଣ୍ଟ ବେଶି ସିରିଏସ୍ ଥିବାରୁ ନା କ’ଣ ଡାକ୍ତର ଅପରେସନ କରୁ ନଥାନ୍ତି । ଯେଉଁ ଦିନ ଅପରେସନ ପାଇଁ ଧାର୍ଯ୍ୟ ତାରିଖ ଦିଆଯାଇଥିଲା ସେଦିନ ମାମୁଁ ମାଇଁ ଆସିଥିଲେ,ଆମ ଅଭିଭାବକ ଜଣକ ମଧ୍ୟ ଯାଇଥାନ୍ତି, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ଅପେକ୍ଷା କଲୁ କିନ୍ତୁ ଅପରେସନ କଲେ ନାହିଁ କ’ଣ ପାଇଁ କେଜାଣି, ସେ କାଳିଆ ଠାକୁର ଙ୍କ ଲୀଳା । ଆସନ୍ତା କାଲି ଡାକ୍ତର ଙ୍କୁ କହିବ ଯାହା ହେବ ମୁଁ ରିସ୍କ ନେବି
ଅପରେସନ କରି ଦିଅନ୍ତୁ ।
ତା ପରଦିନ ମଧ୍ୟ ଅପରେସନ କଲେ ନାହିଁ ।
ତେଣୁ ମୁଁ ସନ୍ଧ୍ୟାରେ ଯାଇ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଙ୍କୁ କହିଲି, ରୋଗୀର ପେଟରୁ ପାଣି ବାହାର କରିଦିଅନ୍ତୁ ମୁଁ ତାକୁ ଘରକୁ ନେଇ ଯିବି। ଏବଂ ଜୋରରେ କାନ୍ଦିବାକୁ ଲାଗିଲି । ସେଠାରେ ଡାକ୍ତର ଙ୍କ ଝିଅ ଜୋଇଁ ଥିଲେ । ତାଙ୍କ ଜୋଇଁ ମଧ୍ୟ SCBରେ ପ୍ରସୂତି ବିଭାଗରେ ଡାକ୍ତର, ରାଧାକାନ୍ତ ଷଡ଼ଙ୍ଗୀ । ସେ ପଚାରିଲେ କାହିଁକି କାନ୍ଦୁଛ ? ମୁଁ ସବୁ କଥା କହିଲି । ତାପରେ ସେ କହିଲେ ହଉ ଅପରେସନ କରି ଦେବା, କାଲି ମୋତେ ଦଶଟା ବେଳେ ଭେଟିବ ତାପରେ ପେସେଣ୍ଟ ପାଖକୁ ଆସିଲି । ମୁଁ ଅହରହ ବାଜୁଥାଏ,ଠାଙ୍କୁରଙ୍କୁ ହେ ପ୍ରଭୁ ମୋ ଭଉଣୀକୁ ଭଲ କରିଦିଅ ।(ମୋତେ ବେଶି କଷ୍ଟ ଲାଗୁଥାଏ ,ମୋ ମା’ବାପା ଥାଉ ଥାଉ ଯଦି ଭଉଣୀ ଚାଲିଯାଏ ତେବେ ସବୁଠୁ ବେଶି ମୋ ମା’ଙ୍କୁ କଷ୍ଟ ହେବ ।)
ତା ପରଦିନ ଦଶଟା ବେଳକୁ ଡା. ରାଧାକାନ୍ତ ଷଡ଼ଙ୍ଗୀ ଙ୍କୁ ଭେଟିଲୁ ।ସେ ସେଠାରେ SCB ର ନିଶ୍ଚେତକ ଡାକ୍ତର ଙ୍କ ସହିତ ଥିଲେ । ସେ କହିଲେ ପେଟରେ ଦୁଇଟି ଟ୍ୟୁମର ଅଛି ଏବଂ ଫାଟି ଯାଇଛି, ସେଥିପାଇଁ ପାଣି ବାହାରୁଛି । ଯଦି ଏବେ ପାଣି ବାହାର କରିଦେବୁ ତ ଘରକୁ ଗଲେ ପୁରୀ ପାଣି ବାହାରି ପେଟ ଫୁଲିଯିବ । କେବଳ ଅପରେସନ ପାଇଁ ପାଞ୍ଚ ହଜାର ଜମା କରିଦେଲେ ଅପରେସନ କରିଦେବୁ , ବେଡ୍ ଚାର୍ଜ ନେବୁ ନାହିଁ । ମୁଁ କହିଲି ସାର୍ ଅପରେସନ ପାଇଁ ଟଙ୍କା ଜମା କରିଛି, ଏହା ଶୁଣି ନିଶ୍ଚେତକ ଡାକ୍ତର କହିଲେ ସେଥିପାଇଁ ବୋଧେ ଝିଅ ଟି କାନ୍ଦୁଛି । ତାପରେ କହିଲେ ପେସେଣ୍ଟ ବହୁତ ଦୁର୍ବଳ ଅଛି ବ୍ଲଡ଼ ଦରକାର ହେବ । ମୁଁ କହିଲି ସାର୍ ଆମେ ତିନି ୟୁନିଟ ବ୍ଲଡ୍ ଜମା ଦେଇଛୁ ।
ତାପରେ ସେ କହିଲେ ହଉ ଅପରେସନ କରି ବା ପେସେଣ୍ଟ କୁ ନେଇ ଆସ । ତାପରେ ଭଉଣୀ କୁ ଆଣି ଅପରେସନ ଥିଏଟର କୁ ଗଲୁ, ତାକୁ ଭିତରକୁ ଛାଡ଼ିଦେଇ ଆମେ ମାଉସୀ ଝିଅ ସହିତ ଦୁଇ ଭଉଣୀ ଥିଏଟର ବାହାରେ ଦୁଇ ୟୁନିଟ ବ୍ଲଡ୍ ଧରି ବସିଥାଉ , କାରଣ ଫ୍ରିଜ୍ ରୁ ବ୍ଲଡ଼ ଗୁଡ଼ିକ କାଢି ଆମକୁ ପେଟ ତଳେ ଜାକି ଗରମ କରିବାକୁ ଡାକ୍ତର ଦେଇଥିଲେ । ଅ.ଟି.ବାହାରେ ବସି ବସି ଜଗନ୍ନାଥ ଙ୍କୁ ଆକୁଳ ନିବେଦନ କରୁଥାଏ, ଭଉଣୀକୁ ଭଲ କରିଦିଅ ବୋଲି । ସେଠାରେ ଥିବା ଅନ୍ୟ ରୋଗୀ ଜଗୁଆଳି ମାନେ ମଧ୍ୟ ଆମ ଦୁର୍ଦ୍ଦଶା ଦେଖି ଠାକୁରଙ୍କୁ ଆମ ପାଇଁ ଡାକୁଥାନ୍ତି ।(କାରଣ ସେଦିନ ଆମେ ଦୁଇ ଭଉଣୀ ଛଡ଼ା ଆମର କେହି ବଡ଼ ଲୋକ/ଅଭିଭାବକ ରୋଗୀ ପାଖରେ ନ ଥିଲେ )।
କିଛି ସମୟ ପରେ ଅପରେସନ ସାରି ରୋଗୀ କୁ I.C.U.କୁ ପଠେଇଲେ । ସେଠାରେ ତିନି ଦିନ ରଖାଯାଇଥିଲା । ଡାକ୍ତର ମୋତେ ଡାକି ପଠେଇଲେ-ଛୋଟ ଝିଅ ଟିକୁ ଡାକି ଆଣ ବୋଲି (ମୋ ମାଉସୀ ର ଝିଅ ଠାରୁ ବୟସରେ ବଡ଼ ହେଲେ ବି ଡେଙ୍ଗା ରେ ଛୋଟ ଥାଏ)। ମୁଁ ଗଲି, ମୋତେ ଗୋଟିଏ ପ୍ୟାକେଟ ରେ ଭର୍ତ୍ତି କରାଯାଇଥିବା ଟ୍ୟୁମର ଗୁଡିକ ଦେଇ କହିଲେ,ଦେଖୁଛୁ ଏଇଟା କେମିତି ଫାଟି ଯାଇଛି (ଗୋଟିଏ ଟ୍ୟୁମର ଫାଟି ଯାଇ ପୋଡା ବାଇଗଣ ମଞ୍ଜି ଭଳି ଦେଖାଯାଉଥାଏ) ଏହାକୁ ନେଇ ଲାବୋରେଟୋରିରେ ଦେଇ ଦବୁ ଯାଆ , ଟେଷ୍ଟ ପାଇଁ ପଠାହେବ ।ଓଭାରିରେ ଟ୍ୟୁମର ଫାଟି ଯିବା ରୁ କ୍ୟାନସର ହୋଇଛି । ସରକାରୀ ଡାକ୍ତରଖାନା ନେଇ କେମୋଥେରାପି ଦେବ ତାହେଲେ ସେ ପନ୍ଦର/ଷୋହଳ ବର୍ଷ ବଞ୍ଚିବ ।(ଡାକ୍ତର ଙ୍କ ଠାରେ ଚିରଋଣୀ ହୋଇ ରହିଲୁ) ।
ତାପରେ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟର ରେ କିଛି କିଛି ଦିନ ବ୍ୟବଧାନରେ ଚାରିଥର କେମୋଥେରାପି ଦେଲୁ । ସବୁଠୁ କମ୍ ଦାମ୍ ର ମେଡିସିନ ସାଢେ଼ ଚାରି ହଜାର ଟଙ୍କା, ପ୍ରତି ଥର ପୁଣି ଗୋଟାଏ ୟୁନିଟ ବ୍ଲଡ୍ ଲାଗୁଥାଏ । ବର୍ତ୍ତମାନ ସେ ସୁସ୍ଥ ଅଛି ।
କେମୋଥେରାପି ସମୟରେ ମୋ ଭଉଣୀ କୁ ନେଇ କୃତଜ୍ଞତା ଜଣାଇବା ପାଇଁ ଶ୍ରୀକ୍ଷେତ୍ର ଯାଇଥିଲି । ଧନ୍ୟପ୍ରଭୁ, ଧନ୍ୟ ତୁମେ ଲୀଳା । ଡାକ୍ତର ରାଧାକାନ୍ତ ଭାବରେ ଆସି ମୋ ଭଳି ଜଣେ ଦୁଃଖୀନୀର ଡାକ ଶୁଣି ମୋ ଦୁଃଖ ଦୂର କରି ତୁମ ମାନ ରଖିଲ ।
ଜଗତର ନାଥ, ଦୁଃଖୀ ର ଦୁଃଖ ନାଶନକାରୀ
ପ୍ରଭୁ ଯୁଗେ ଯୁଗେ ରଖିଅଛ ତବ ମାନ,
ଦୁଃଖୀ ଦୁଃଖ କରି ନାଶନ ।
ଜୟ ଜଗନ୍ନାଥ
କ୍ଷୀରେଶ୍ୱରୀ କିଷାନ୍
ସୁନ୍ଦରଗଡ଼
ହୃଦୟ କନ୍ଦରରୁ ଅନେକ ଅନେକ ଧନ୍ୟବାଦ, ମନୋଜ ଭାଇ