କ୍ଳାନ୍ତ ପ୍ରେମିକ
ମୁଠାଏ ପ୍ରେମ
ପାଇବାର ଆଶାରେ
ବିକିଦେଲି ସର୍ବସ୍ବ ମୋର
ଯାହାକୁ ନିଜର ଭାବିନିଏ
ସିଏ ହିଁ ହୋଇଯାଏ ଦୂର !
ଆଉ ତ କିଛି ଆଶା ନ ଥିଲା
କେବଳ ଥିଲା ଆପଣାର ବୋଲି
ଯାହାକୁ ଭାବି ନେଉଛି ସିଏ
ମୋତେ ଓ ମୋ ଭଲପାଇବାକୁ ବୁଝିପାରୁ
ହେଲେ ସେମିତି କିଛି ଘଟେନା
ଯିଏ ବି ଆସେ ଜୀବନର ଯନ୍ତ୍ରଣା ପଥରେ
ସାଥିଟିଏ ହେବାର ସ୍ୱପ୍ନ ଦେଖୁଥିବା ହୃଦୟ
ପାଲଟି ଯାଏ ମରୁଭୂମି ବାଲି ।
ବର୍ଷାର ଛିଟାରେ ଯେପରି
ବାଲିକଣିକା ଝଲସି ଉଠୁଥାଏ
ସୁବର୍ଣ୍ଣ କଣିକା ପରି
ଠିକ କାହା ପାଖରେ
ମୋ ନିଜର ଅଳ୍ପ ଭଲ ପାଇବା ଦେଖି
ଆପଣେଇ ନିଏ,
ହୃଦୟରେ ସାଇତିରଖେ
ସମ୍ପର୍କର ପବିତ୍ର ବନ୍ଧନରେ
ବନ୍ଧି ହେବାର ସ୍ୱପ୍ନ ଦେଖେ
ମୋ ଭାବନାକୁ ନେଇ ଭାବିବସେ
ରଙ୍ଗୀନ ରଙ୍ଗୀନ ପ୍ରଚ୍ଛଦ ଆଙ୍କିବସେ
କିନ୍ତୁ କେଇଦିନ ଗଲାପରେ
ଅଚାନକ ଅଜଣା ସାଗରର ଲହରୀ ଆସି
ଧୋଇ ଦେଇ ଯାଏ
ହୃଦୟରେ ଅଙ୍କିଥିବା ପ୍ରେମର ଜ୍ୟାମିତି ।
ମୋତେ ଭଲପାଅ,
ମୋତେ ପ୍ରେମକର
ଏମିତି କହି ନିଜରପଣିଆ
କାହା ଉପରେ ଜାହିର କରିବା ଅପେକ୍ଷା
ହୃଦୟର ମରୁଭୂମିରେ କ୍ଳାନ୍ତ ପଥିକଟେ ହୋଇ
ବିଚରଣ କରିବା ବୋଧେ ଠିକ ।
କାହା ଆଗରେ ହାତ ପତେଇ
ହୃଦୟରେ ନିସୃତ ପ୍ରେମର ଝଙ୍କାରକୁ
ହୃଦୟଙ୍ଗମ କରିବାର ପ୍ରେରଣାଦେବା ଅପେକ୍ଷା
ଆଖିରୁ ଝରୁଥିବା କେଇ ବୁନ୍ଦା ପୀୟୂଷକୁ
ଓଠରେ ପିଇ, ନିଜ ପ୍ରେମର ଆହୁତି ଦେବା
ବୋଧେ ଠିକ ହେବ ଏବେ ମୋ’ପକ୍ଷେ ।।
କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି