ଓଡ଼ିଆ ଲୋକଗୀତରେ ଓଡ଼ିଆଣୀଙ୍କ ଜୀବନ ଚରିତ
ଆମ ସମାଜ ପୁରୁଷ ପ୍ରଧାନ ।ନାରୀର ସ୍ବାଧୀନତା ଆଉ ସ୍ବାଧୀକାର ପ୍ରାୟ ସଙ୍କୁଚିତ ।ସେ ପୁରୁଷ ଉପରେ ନିର୍ଭରଶୀଳ ଓ ପରୋମୁଖୀପେକ୍ଷିତା।ପ୍ରତ୍ୟେକ ନାରୀ ଓ ପୁରୁଷର ଭାବ ଓ ଚେତନାର ସ୍ୱାତନ୍ତ୍ର୍ୟ ବୈଶିଷ୍ଟ ଥାଏ ।ନାରୀର ବକ୍ତବ୍ୟ ପ୍ର୍ରକାଶ କଲାବେଳେ ତାର ଅଜ୍ଞାତ ସାରରେ ପ୍ରତିଧ୍ବନିତ ହୋଇଥାଏ ।ପୁରୁଣା ଯୁଗରେ ସେମାନଙ୍କ ଚଳଣି ଏକଦମ ସରଳ ,ନିରାଡ଼ମ୍ବର ଥିଲା ।ସେମାନେ ବହୁତ କଷ୍ଟ ସହିଷ୍ଣୁ ,ପରିବାରର ଗୁରୁଜନମାନଙ୍କ ଆଜ୍ଞାକାରୀ ଆଉ ନିଜର ମତ କୁ କେବେ ବ୍ୟକ୍ତ କରିବାର ସୁଯୋଗ ଦିଆଯାଉ ନଥିଲା ।ସେତେବେଳେ ଯଦି ସମସ୍ତଙ୍କ ମନ ନେଇ ,ଜୀବନକୁ ତିଳ ତିଳ କରି ପରିବାରର କହୁଥିଲା ପାଇଁ ନିଜ ସୁଖକୁ ଜଳାଞ୍ଜଳି ଦେଇ ଉପରେ ହସି ହସି କଥା କହୁଥିଲା,ସେ ଆଦର୍ଶ ବୋହୁ,ଆଉ ନିର୍ମଳ ଦାମ୍ପତ୍ୟ ପ୍ରେମ ବୋଲି କୁହାଯାଉଥିଲା ।ସେମାନଙ୍କୁ ଦେଖି ଗାଆଁ ମାଇପେ ବିଭିନ୍ନ ଢଗ ମେଳନ୍ତି ,
କଇଁଛ କାଢ଼ିଛି ବେକ ଲୋ
ବଗ ବଗୁଲିକୁ ଟିକେ ଦେଖ ।
ସେତେବେଳେ ଗାଆଁ ସ୍ତ୍ରୀ ଲୋକମାନଙ୍କର ଗାଉଁଲି ସ୍ତ୍ରୀ-ସୁଲଭ ଭାଷା ବିଭିନ୍ନ ପ୍ରକାର ଦୃଷ୍ଟାନ୍ତ ଅଛି।ସେହିପରି ଓଡ଼ିଆ ଲୋକ ସାହିତ୍ୟ ଓ କାବ୍ୟ କବିତାରେ ମଧ୍ୟ ଏଇ ନାରୀ ମୁଖ ନିସୃତ ଭାଷାର ଚମତ୍କାର ଅଭିବ୍ୟକ୍ତି ୟ ମିଳେ ।ଓଡ଼ିଆ ଲୋକ ସାହିତ୍ୟରେ ସେତେବେଳେ କାନ୍ଦଣାର ଏକ ମହତ୍ତ୍ୱପୂର୍ଣ୍ଣ ସ୍ୱତନ୍ତ୍ର ସ୍ଥାନ ଅଛି ।ସେ ସମୟରେ କାନ୍ଦଣା ବହି ର ସଂକଳନ ହେଉଥିଲା ।ଯେତେବେଳେ ଝିଅଟିଏ ଅପରିଚିତ ,ଅଜ୍ଞତା ଶାଶୁ ଘରକୁ ବୋହୁ ହୋଇ ଯାଉଥାଏ,ସେ ନିର୍ଯ୍ୟାତିତା ,ନିପୀଡିତା ହେବାର ଆଶଙ୍କା କରି ସିଏ କାରୁଣ୍ୟ ସ୍ୱରରେ ବାହୁନୁଥାଏ ,ତାର ବାପା,ମାଆ ଆଉ ଆତ୍ମୀୟସ୍ଵଜନଙ୍କୁ ଉଦ୍ଦେଶ୍ୟ କରି ।ସେ ସମୟଟା ଭାରି କରୁଣ ଭରା ଦୃଶ୍ୟ ଘଟିଥାଏ,ଆଉ ଝିଅ ବିଦା ସମୟରେ କାହାର ଆଖିରୁ ଲୁହ ବାଡ଼ ମାନି ନଥାଏ ।ଝିଅର ମନ ଭିତରୁ ସବୁ ଦୁଃଖର ନିର୍ଯାସ ବାହାରି ଆସେ କାନ୍ଦଣା ମାଧ୍ୟମରେ ।ଏମିତି କିଛି କୁହେ:-
ଶାଶୁ ଘର ନୁହେଁ ଯମ ପୁର ଲୋ ବୋଉ
କାହିଁକି କଲୁ ମୋତେ ସାତ ପର ଲୋ ବୋଉ
ଏନ୍ତୁଡ଼ି ଶାଳରୁ ମାରି ନଦେଲୁ ଲୋ ବୋଉ
କଂସ ପୁରକୁ ପଠାଇଦେଲୁ ଲୋ ବୋଉ
ଏଠି ଶାଶୁ ,ନଣନ୍ଦ,ଯାଆଙ୍କୁ କଳ୍ପିତ କରି ରୂପକଳ୍ପଗୁଡିକ ପରିପ୍ରକାଶ ଅନ୍ତରାଳରେ ନାରୀ ସୁଲଭ ଭାଷା ଓ ଭାବର ଚମତ୍କାର ସମନ୍ୱୟ କହୁଥିଲା ।ବୋଲାଯାଇଥିବା ବାହୁନାରେ ଲୋ ଶବ୍ଦଟି ବ୍ୟବହାର ଅତି ହୃଦୟସ୍ପର୍ଶୀ ହୋଇଥାଏ ।
କାହିଁକି ମୋତେ ଦୂରକୁ ପଠାଇ ଦେଲ ହେ ବାପା
ବୁଢା ବର ଦେଖି ଛନ୍ଦି ମୋତେ ଦେଲ ହେ ବାପା
କି ଦୋଷ କରି ଥିଲି ମୁଁ ତୁମର ହେ ବାପା
କେମିତି ଦିନ କାଟିବି ଶାଶୁଘର ହେ ବାପା।
ସତରେ ଓଡ଼ିଆଙ୍କ ଚାଲି ଚଳଣି,ଭାଷା ,ସଂସ୍କୃତି ଅତି ମହାନ ଆଉ ବିଶେଷକରି ପୁରପଲ୍ଲୀ ର ପର୍ବ ମହୋତ୍ସବ ଅତି ବିଚିତ୍ର । ଉଦାହରଣ ସ୍ୱରୂପ ରଜ,କୁମାର ପୂର୍ଣ୍ଣିମା,ଖୁଦୁରୁକୁଣୀ,ପଂଚୁକ ପର୍ବ ର ବୈଚିତ୍ରତା ଅତ୍ୟନ୍ତ ସୁନ୍ଦର ।ସେଥିରେ ବି ପଲ୍ଲୀଗୀତ ର ମାଳା ଗୁନ୍ଥା ଥାଏ ।
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନ ନୂଆ ସଜବାଜ ।
ନଈରେ ପୋତିଲି ଛୁରୀ
ସେପଟେ ଯାଉଛି କନକ ଗୋରୀ
କନକ ଗୋରୀ ଲୋ
ଟିକିଏ ଅନାଲୋ ଫେରି ।
ଏଠାରେ ଏହି ଆକ୍ଷେପ ଉକ୍ତି ଛୋପରା ଗାଉଁଲି ସ୍ତ୍ରୀ ଲୋକମାନେ ବ୍ୟବହାର କରିଥାଆନ୍ତି ।ଆଜିକାଲି ଏ ସବୁ ଗାଆଁରୁ ଲୋପ ପାଇଗଲାଣି ।ପଲ୍ଲୀ ଆଜି ସହରମୁଖୀ ସାଜିଛି ।
ସଂଯୁକ୍ତା ସାହୁ
ମାଟିଘର(ଉପସଭାପତି)
ରାହାମା
ଜଗତସିଂହପୁର
ମୋ-୭୩୭୭୨୮୭୦୦୮