ମନେ ଅଛି ମୋର ସେହି ବିଦ୍ୟାଳୟ
♾️♾️♾️♾️♾️♾️♾️♾️
ମନେ ଅଛି ମୋର ସେହି ବିଦ୍ୟାଳୟ
ଯହିଁ ପାଇଥିଲି ମୋର ପ୍ରଥମ ଶିକ୍ଷା,
ସେହି ଅନୁଭୂତି ଆଜି ଯାଏଁ ମୋର
ମନ ସିଲଟ ରେ ରହିଛି ଲେଖା।
ମୋର ଶୈଶବ ର ପ୍ରଥମ ଶିକ୍ଷା ଲବ୍ଧ ସେହି ବିଦ୍ୟାଳୟ ଟି ଥିଲା ଆସ୍କା ଏନ୍,ଏ,ସି ସ୍ଥିତ କୃଷ୍ଣ ସିଂହ ନଗରରେ ଥିବା ସେହି ନି.ପ୍ରା ବିଦ୍ୟାଳୟ ରେ ୧୯୬୬ ମସିହା ରେ ତୃତୀୟ ଶ୍ରେଣୀ ରେ ନାମ ଲେଖାଇଥିଲି। ବିଦ୍ୟାଳୟ ଟିର ଆୟତନ ରେ ଯଥେଷ୍ଟ ବଡ଼ ନହୋଇ ଥିଲେ ହେଁ ତିନି ଗୋଟି ଶ୍ରେଣୀ କୁ ନେଇ ତିନି ଜଣ ଶିକ୍ଷକ ପାଠ ପଢାଇବାର ସୁବ୍ୟବସ୍ଥା ଥିଲା।
ବିଦ୍ୟାଳୟ ରେ ପ୍ରଥମ ପାଦ ଥାପିଲା ଦିନ ମୋତେ ଏତେ ଖୁସି ଲାଗିଲା ଯେ ତାହା ଅବର୍ଣ୍ଣନୀୟ। ପ୍ରଧାନ ଶିକ୍ଷକ ଶ୍ରୀ ସୀତାରାମ ଦାସ ମୋତେ ପାଖକୁ ଡାକି ମୋତେ ମୋର ନାମ ପଚାରିଥିଲେ। ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଦୁଇ ଜଣ ଶିକ୍ଷକ ଙ୍କ ଶିକ୍ଷା ଦାନ ପଦ୍ଧତି ଅତି ଉତ୍କୃଷ୍ଟ ଧରଣର ଥିଲା। ପ୍ରତି କାଳ ଚକ୍ର ର ଶିକ୍ଷା ଦାନ ପରବର୍ତ୍ତୀ ସମୟରେ ଜଣେ ମେଧାବୀ ଛାତ୍ର ହେବାରେ ଗଢି ତୋଳିଥିଲା। ପ୍ରଧାନ ଶିକ୍ଷକ ସାହିତ୍ୟ ଶିକ୍ଷା ଦାନ କରିବାରେ ଜଣେ ଧୁରୀଣ ଶିକ୍ଷକ ଥିଲେ। ଗଣିତ ଶିକ୍ଷା ଦାନ ସାଙ୍ଗକୁ ପ୍ରତିଦିନ ସାହିତ୍ୟ
ଶ୍ରୁତଲିଖନ ଏବଂ ଦୃଷ୍ଟଲିଖନ ପ୍ରତି
ଅଧିକ ଗୁରୁତ୍ବ ଆରୋପ କରୁଥିଲେ।
ମୋତେ ମଧ୍ୟ ସାହିତ୍ୟ ହିଁ ବେଶୀ ଭଲ ଲାଗୁଥିଲା, କାରଣ ଗଣିତରେ ମୁଁ ଦୁର୍ବଳ ଥିଲି। ଶ୍ରୁତଲିଖନ ଏବଂ ଗଣିତ ଚାରି ସୂତ୍ର ମଧ୍ୟ ଅତି ପ୍ରାଞ୍ଜଳ ଭାବରେ ବୁଝାଉଥିଲେ।
ଦୃଷ୍ଟ ଲିଖନ ରେ ଗୋଟିଏ ବନାନ ଅଶୁଦ୍ଧି ହେଲେ ଦଶବେତ ମାଡ ଖାଉଥିଲି,କାରଣ ଆଜିକାଲି ଭଳି ସେ ସମୟରେ ଦଣ୍ଡ ମୁକ୍ତ ବ୍ୟବସ୍ଥା ନଥିଲା। ଗୁରୁ ଭାବରେ ଶାସ୍ତି ଓ କ୍ଷମା ଉଭୟ ଗୁଣରେ ସେ ଆମକୁ ଶାସନ କରୁଥିଲେ। ସେହି ଶ୍ରୁତଲିଖନ , ଦୃଷ୍ଟଲିଖନ, ପଦ୍ୟାବୃତ୍ତି ପ୍ରଭୁତି ଆଜି ମୋତେ ସାହିତ୍ୟିକା ହେବା କ୍ଷେତ୍ରରେ ବାଟ କଢାଇ ନେଇଛି।
ଏହା ମୋର ପୂର୍ବ ଅନୁଭୂତି ରେ ଏକ ମହାନ ସୋପାନ। ପାଠପଢା ବ୍ୟତୀତ ଶୃଙ୍ଖଳା ଉଦ୍ୟାନ କର୍ମ,ଭାଷଣ,ବଡ ଲୋକଙ୍କର ଜୀବନୀ ପାଠ , ପ୍ରଭୁତି କାର୍ଯ୍ୟରେ ଆମେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଥିଲୁ । ଥରେ ବିଦ୍ୟାଳୟ ପରିଦର୍ଶକ ଆମ ବିଦ୍ୟାଳୟ କୁ ଆସିଥିଲେ। ସାହିତ୍ୟ ବହିର ପଦ୍ୟ ଟିଏ ବହି ନ ଦେଖି ଆବୃତ୍ତି କରିବାକୁ କହିଥିଲେ। ମୁଁ ହସ୍ତ ଉତ୍ତୋଳନ ପୂର୍ବକ ଅନୁମତି କ୍ରମେ ଦଣ୍ଡାୟମାନ ହୋଇ ତୁମ ପରି ଛୋଟ ପିଲା ଟିଏ କବିତା ଟିକୁ ଆବୃତ
କରି ନେଲି। ପରିଦର୍ଶକ ମହାଶୟ ମୋତେ ମୋର ନାମ, ବାପା ଙ୍କ ନାମ ପଚାରିଥିଲେ। ବାପା ଙ୍କ ନାମ କହିବା କ୍ଷଣି ସେ ବହୁତ ଖୁସି ହେଲେ। କାରଣ ମୋର ବାପା ମଧ୍ୟ ଜଣେ ଶିକ୍ଷକ ଥିଲେ। ପାଠ ପଢା ବ୍ୟତୀତ ଗୁରୁ ଭକ୍ତି ହିଁ ଥିଲା ସେ ସମୟର ଗୁରୁ ଶିଷ୍ୟର ସମ୍ପର୍କ ଭିତରେ ଚାବିକାଠି ଯାହା ଆଜି ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆଜି ହଜିଯାଇଛି ସେ ସମୟର ଶିକ୍ଷା ଦାନ ର ମାନ, ଗୁରୁ ଭକ୍ତି ର ମହତ ମୂଲ୍ୟ, ଛାତ୍ର ଟି ଆଗଭଳି ଆଉ ଗୁରୁଙ୍କୁ ଭୟ ଭକ୍ତି କରୁ ନାହିଁ। ହଜିଯାଇଛି ଅତୀତ, ହଜିଯାଇଛି ମୋର ପିଲାଦିନର ବିଦ୍ୟାଳୟ ପାଠପଢ଼ା। କେବଳ ଅନୁଭୂତିକୁ ପାଥେୟ କରି ଆଜି ମୁଁ ବାର୍ଦ୍ଧକ୍ୟରେ ଉପନୀତ । ଗୁରୁ ଙ୍କୁ ସ୍ମରଣ କରୁଛି ମୋ ପିଲାଦିନର ପାଠ ପଢା ସହିତ ସେହି ବିଦ୍ୟାଳୟକୁ।
ବିଦ୍ୟାଳୟ ସିଏ ବିଦ୍ୟା ର ମନ୍ଦିର
ଗୁରୁ ଙ୍କୁ ହୃଦୟେ ଥାପି,
ଅନୁଭୂତି ପୂର୍ଣ୍ଣ ବିଦ୍ୟାଳୟ କଥା
ଗଳପରେ ଦେଲି ଲେଖି।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର,ଆସିକା ,ଗଞ୍ଜାମ
ମୋ-୯୭୭୭୮୮୭୯୪୨