ଶାନ୍ତି – ବିଶ୍ୱର ସ୍ପନ୍ଦନ
ମୁଖମଣ୍ଡଳର ସ୍ମିତ ହାସ୍ୟ ଆଉ ରସସିକ୍ତ ଜୀବନର
ଏକ ଶାବ୍ଦିକ ଅଭିବ୍ୟକ୍ତି “ଶାନ୍ତି ” ।
ଶାନ୍ତି ଏକ ବ୍ୟାପ୍ତି
ଶାନ୍ତି ଦୁଇଟି ଶବ୍ଦର ମିଶ୍ରଣରେ,
ଜୀବନର ଅଫୁରନ୍ତ ଆନନ୍ଦର ସଂଜ୍ଞା ବା ପରିଚୟ
ଯାହା ସୃଷ୍ଟି କରେ
ମନ ସିନ୍ଧୁ ତୀରେ ଅସରନ୍ତି ଢେଉ
ସେଇ ଢେଉ ବ୍ୟକ୍ତ କରେ ବିଶ୍ବର ସ୍ପନ୍ଦନ ।
ଠିକ୍ ଯେତେବେଳେ
ବିଶ୍ୱରେ ଆସେ
ଏକ କବଳିତ ବିଭୀଷିକାର ଅନ୍ତିମ ଦିନ ।
ଗୋଳାବାରୁଦର ଯୁଦ୍ଧ ହେଉ ଅବା ଶୀତଳ ଯୁଦ୍ଧ
ବଳର ଯୁଦ୍ଧ ହେଉ ଅବା କଳର
ମନର ଯୁଦ୍ଧ ହେଉ ଅବା ବିବେକର
ପ୍ରତି ସ୍ପନ୍ଦନରେ ଶୁଭେ ଶାନ୍ତିର କ୍ରନ୍ଦନ ।
ସେଥିପାଇଁ ମନ୍ଥନ ହୁଏ “ଜ୍ଞାନ” ର
ହଠାତ୍ ମିଳିଯାଏ ,
ଶାନ୍ତିର ଆଶା ଅସୁମାରୀ ଆଉ ଆଲୋକିତ ପଥର ସନ୍ଧାନ
ସେହି ପଥର ପଥାନ୍ତେ ଦିଶେ ଶାନ୍ତିର କାୟା
ଶୁଭ ଶଙ୍ଖ ଧରି ଠିଆ ହୋଇଅଛି ଆଜି,
ପ୍ରତି ସ୍ପନ୍ଦନରେ ଆଙ୍କିବାକୁ ଶାନ୍ତିର ଛବି ।
“ଶାନ୍ତି” ହୃଦୟର ଏକ ଶୀତଳ ଅଭିବ୍ୟକ୍ତି,
ଯେଉଁଥି ପାଇଁ ନିର୍ଦ୍ୱନ୍ଦରେ ବଢିପାରେ ସ୍ପନ୍ଦନର ଗତି ।
“ଶାନ୍ତି” ଗଢିପାରେ ବିଶ୍ବ ଐତିହ୍ୟର ସବୁଜ ବନ,
ଆଉ ତାହା ହୋଇଯାଏ ବିଶ୍ବର ସ୍ପନ୍ଦନ ।
ନିକୁଞ୍ଜ କୁମାର ଘୋଷ
ବାଲେଶ୍ୱର