*ରାମ ନବମୀ*
ହୃଦୟର ମନ୍ଦିରେ ରମଣ କରନ୍ତି ଯେ
ସେ ହିଁ ତ ପ୍ରଭୁ ଶ୍ରୀ ରାମ,
ତ୍ରେତୟା ଯୁଗରେ ବିଷ୍ଣୁ ଅବତାରେ
ପୁରୁଷ ଉତ୍ତମ ଭଗବାନ l
ପାପ-ସନ୍ତାପ-ଅସୁର ସଂହାରକ
ସିଏ ଦଶରଥ ସନ୍ତାନ,
ଚୈତ୍ର ଶୁକ୍ଳ ପକ୍ଷେ ନବମୀ ତିଥିଗତେ
ଆଗତ ପ୍ରଭୁ ଧରାଧାମ l
ପୁତ୍ର ପ୍ରାପ୍ତି ହେତୁ ଅଯୋଧ୍ୟା-ରାଜନ
କରିଣ ପାବନ ହୋମ-ଯଜ୍ଞ,
ବିତିଲା ବରଷ ଦଶରଥଙ୍କ ଆଶ
ପୂରଣ ହେଲା ମନସ୍କାମ l
କୌଶଲ୍ୟା ମାତ ଗରଭରୁ ଯେ’ ଜାତ
ମୁଖ ମଣ୍ଡଳ ଦୀପ୍ତିମାନ ,
ଅତିବ ହର୍ଷିତ ପ୍ରାପ୍ତେ ଶ୍ରେଷ୍ଠ ସୁତ
ଉତ୍ସବ ମୁଖରିତ ଧାମ l
ରାମ-ଲକ୍ଷ୍ମଣ ଭରତ ଶତ୍ରୁଘନ
ତ୍ରି-ରାଣୀ ତନୟ ଯେ ଚାରି ,
ଶ୍ରେଷ୍ଠ ସୁତ ରାମ ଶାନ୍ତ ଶୀଳଗୁଣ
ସର୍ବପ୍ରିୟ ହୃଦୟ ବିହାରୀ l
ତ୍ରେତା ଯୁଗ କଥା ରାମ ଗୁଣ ଗାଥା
ଯୁଗେଯୁଗେ କରିଣ ପୂଜନ,
ଚୈତ୍ର ଶୁକ୍ଳପକ୍ଷ ନବମୀ ପବିତ୍ର
*ରାମ ନବମୀ* ତିଥି ଜାଣ l
ହୃଦୟ-କଳୁଷ ଶୋକ ଯେ କ୍ଳେଶ
ହରେ ପାବନ ଏକ ନାମ ,
ଶୀଳତା ଗୁଣ ଜାଗେ ଅନ୍ତରମନ ଚିତ୍ତେ
ଯେ ଜନ ଜପ କରେ ରାମ l
ପୂଣ୍ୟ ପବିତ୍ର ମାସ ଅଟଇ ଚଇତ୍ର
ରାମ ନବମୀ ଅତିବ ପାବନ,
ଶାନ୍ତି-ତୃପ୍ତି-ମୁକ୍ତି ସନ୍ତୋଷ ଦାୟୀ
ପାବନ ନାମ ଯେ ଶ୍ରୀରାମ l
*ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର*
ଜୁନାଗଡ଼ (କଳାହାଣ୍ଡି )
ଜନ୍ମଭୂମି-ମଣ୍ଡଳ (ବଲାଙ୍ଗିର)