ନୀତିବାଣୀ
ହେମନ୍ତ କୁମାର ସାହୁ
ଆଜି ପରା ସୋମବାର ଲୋ ସଜନୀ
ଆଜି ପରା ସୋମବାର,
ବେଗେ ବେଗେ ଉଠ ନ କରିଣ ମଠ
ପିତାମାତା ପାଦ ଧରଲୋ ସଜନୀ
ପିତାମାତା ପାଦ ଧର ।
ତାଙ୍କ ଆଶୀର୍ବାଦ ରହିଲେ ଉପରେ
ସବୁ କ୍ଷେତ୍ରେ ହେବ ଜୟ,
ସିଏ ଆମ ଗୁରୁ ସିଏ ତ ଦେବତା
ତାଙ୍କ ସମ କିଏ କହ ?
ଆମ ଜନ୍ମଦାତା ସକଳ କରତା
ତାଙ୍କରି ପାଇଁ ଟି ଆମେ,
ଏତେ ଗର୍ବ ଏତେ ଅହଙ୍କାର କାଢ଼ୁ
ସବୁ ତାଙ୍କ ପ୍ରତିଦାନେ ।
ତାଙ୍କ ଯୋଗୁଁ ଆଜି ଦୁନିଆ ଜାଣୁଛି
ଅମୁକ ଲୋକର ପୁଅ,
ଆଇ ଏ ଏସ୍ ଅଫିସର ହେଲା
ଛୁଟଇ ଟଙ୍କାର ସୁଅ ।
ସମୁକ ଲୋକର ପୁଅ ଗୋଟା ପୁଣି
ଗୁଣ୍ଡା ଗିରି କରୁଅଛି,
କାହାକୁ ମାରୁଛି ଇଜ୍ଜତ ନେଉଛି
କେମିତି ଜନ୍ମ ପାଇଛି !
ବେକାରିଆ ପୁଅ ଜନମ କରିଲେ
ଧିକ ସେ ପିତାମାତାଙ୍କୁ,
ଜନମ କାଳରୁ ତଣ୍ଟି ଚିପି ଦେଇ
ନ ମାରିଲେ କିମ୍ପା ତାକୁ ?
ଯେମିତି ବାପକୁ ସେମିତିଆ ପୁଅ
ଜନମ ହେଇଛି ଦେଖ,
ଆମ୍ବ ଗଛେ କ’ଣ ଆମ୍ବଡା ଫଳନ୍ତା
ଇଏ ଲୋକଙ୍କର ମତ ।
ପିତାମାତା ଗଣେ ସଠିକ୍ ରହିଲେ
ପିଲା ହେବେ ଭଲ ଜାଣ,
ଉଚିତ ଶିକ୍ଷାକୁ ଉଚିତ ବେଭାର
ଦେଇ ଗଢ଼ିବା ସନ୍ତାନ ।
କଞ୍ଚାବେଳୁ ଯାହା କରିବାର କଥା
ସେ କାମ ଆଗ ସାରିବା,
ନ ହେଲେ ପଛକୁ ମୁଣ୍ଡ ଆଉଁସିଣ
କର୍ମକୁ ଆଦରି ନେବା ।
ଆଜି ପାଇଁ ମୋର ଏତିକି ଗୁହାରି
ଆଶା କରୁଅଛି ରଖିବେ,
ଅଧମ ହେମନ୍ତ ନ ଧରିବ ଦୋଷ
ଦୋଷ ତ୍ରୁଟି କ୍ଷମା ଦେବେ ।
ମାହାଙ୍ଗା