ଖସି ପଡ଼ିଛି ପାଦର ପାଉଁଜି
ରସିକ କହ୍ନେଇ ଡାକେ ରାଧା ରାଧା
ଯମୁନା କୂଳରେ ଥାଇ,
ରାଧା ଲୁଚିଅଛି କଦମ୍ବ ମୂଳରେ
ଓଢ଼ଣୀ ଘୋଡେ଼ଇ ହୋଇ ।
ଚୋରା ପୀରତି ଲାଗେନା ବିରକ୍ତି
ପଡ଼ୁଥିଲେ ପ୍ରେମ ପୁଷ୍ପ ,
ପ୍ରେମର ସ୍ପର୍ଶେ ଭିଜା ଭିଜା ଲାଗେ
ଥିଲେ ବି ମନ ମରୁଭୂମି ପରି ଶୁଷ୍କ ।
ଗୋପି ଗୋପାଳୁଣୀ ପ୍ରୀତି ରଙ୍ଗ ବୋଳି
ନିତି ଖେଳନ୍ତି ପ୍ରେମର ଲୁଚକାଳି,
ଅମାନିଆ କାହ୍ନା ଏକା ଏକା ଆଜି
ଯମୁନା କୂଳକୁ ଯାଇଛି ଚାଲି ।
କୁଞ୍ଜବନ ଆଜି ଉଠୁଛି ପଡୁଛି
କିନ୍ତୁ ଶୁଭୁନି ଆଉ ରୁଣୁଝୁଣୁ ଶବ୍ଦ,
ଖସି ପଡ଼ିଅଛି ପାଦର ପାଉଁଜି
ନିଃଶବ୍ଦ ହୋଇଛି ରାଧାରାଣୀ ପାଦ ।
ଗୋପାଳ ଜଗିଛି ନଈ ତୁଠରେ
ମିଳନ ପ୍ରତୀକ୍ଷା ନେଇ ,
ପାଗେଳି ରାଧିକା ଛପି ଛପି
ପାଖକୁ ଆସିଲା ଧାଇଁ ।
ପାଉଁଜି ଶବଦ ଶୁଭିଲାନି ବୋଲି
ଜାଣି ପାରିଲାନି କାହ୍ନା,
ପ୍ରେମର ବାର୍ତ୍ତା ହେଲେ ପରସ୍ପର
କଲେ ନାହିଁ ମନ ଉଣା ।
ଦେବାଶିଷ ଗୌଡ
ଚନ୍ଦାହାଣ୍ଡି , ନବରଙ୍ଗପୁର