କି କବିତା ଲେଖିବି ମୁଁ
ହେମନ୍ତ କୁମାର ସାହୁ
ଉପରକୁ ଥରେ ଅନେଇ ଦେଖିଲେ
ସୂରୁଜ ଦେବତା ଚାହିଁଛି,
ତଳକୁ ଚାହିଁଲେ ମାତା ବସୁମତୀ
କଣେଇ କଣେଇ ଦେଖୁଛି ।
ବାଆଁକୁ ଦେଖିଲେ ପାପାଚାରୀ ଗଣ
କଟାସ ଭଳି ଦେଖନ୍ତି,
ଡାହାଣକୁ ଧର୍ମ ରଖିଥିବା ବ୍ୟକ୍ତି
କରୁଣରେ ଚାହିଁଛନ୍ତି ।
କୋଳାହଳ ପୂର୍ଣ୍ଣ ଏ ମିଛ ସଂସାର
ଜବରଦସ୍ତ ଅଭିନୟ,
କହି ହେଉ ନାହିଁ ସହି ହେଉ ନାହିଁ
କାକୁସ୍ଥର ପରିଚୟ ।
କିଏ ଯେପରିକି ପାଟି ଚାପି ଧରେ
କହିବାକୁ ନାହିଁ ସାହସ,
କିଏ ଝାମ୍ପି ନିଏ କାହା ଗଳାହାର
କିଏ ଫୁଲାଏ ତାହା ନିଶ ।
କିଏ ଅବା ନିଜ ଫାଇଦା ପାଇଁ କି
କରୁଛି ବସି ବିଚାର,
କାହା ଆଖି ତିନ୍ତେ ଲୁହ ପୂର୍ଣ୍ଣ ହୋଇ
କିଏ ଯାଏ ଶବାଗାର ।
କିଏ ମଦ ପିଇ କରଇ ଗର୍ଜନ
କିଏ ଗଳେ ରଶି ଦେଇ,
ଝୁଲି ପଡ଼ିଅଛି ବରଗଛ ଡାଳେ
ଆଗ ପଛକୁ ନ ଚାହିଁ ।
କିଏ ପଢୁଅଛି ଭାଗବତ ବସି
ମନ ତାର ଅଛି କେଣେ,
କିଏ ଖେଳୁଅଛି ବଲ୍ ବ୍ୟାଟ୍ ଧରି
କିଏ ଚାଲେ ଗିରି ବଣେ ।
କିଏ ଟଙ୍କା ଗଛ ଉପରେ ବସିଣ
ଅଟ୍ଟହାସ୍ୟ କରୁଅଛି,
କିଏ ଭିକ୍ଷା ଥାଳ ଧରିଣ ମାଗଇ
କିଏ ପଶୁ ବଧୁ ଅଛି ।
କିଏ ଟଙ୍କାକରେ ଜିନିଷ କିଣିଣ
ପାଞ୍ଚ ଟଙ୍କାରେ ବିକଇ,
କିଏ ମାଡ଼ ଖାଇ ତଳେ ଗଡୁଅଛି
ସ୍ଵାମୀ ତା ବକି ଚାଲଇ ।
କିଏ ଉଡୁଅଛି ଗଗନ ମାର୍ଗରେ
କିଏ ଜଗି ଅଛି ସୀମା,
କିଏ ମାଦକ ଦ୍ରବ୍ୟ ଖାଇକରି
ଦେଖାଏ ତାର ଗାରିମା ।
କିଏ ଖାଏ ବସି ଖିରି ପୁରି ଧରି
କିଏ ପଖାଳ ତୋରାଣୀ,
କାହା ପିଲା ଦୋକାନରେ ମାଜୁଅଛି
ଅଇଁଠା ବାସନ ପୁଣି ।
ଏସବୁ ଦେଖି ମୋ ହାତ ଚଳୁ ନାହିଁ
କ’ଣ ଅବା ଲେଖିବି,
ବତାଇ ଦେବେ କି ମୋ ବନ୍ଧୁ ବାନ୍ଧବୀ
କ’ଣ ଲେଖି ଶାନ୍ତି ଦେବି ?
ମାହାଙ୍ଗା