କଥା ନୈବେଦ୍ୟ
***************
ଧନ ଦଉଲତ କି’ହେବରେ ଭାଇ
ଥିଲେ ଥାଉ ଯେତେ ପାଶେ
ଅନ୍ୟର ହିତରେ ନ ଲାଗିଲା ଯଦି
ତାହାର ମୂଲ୍ୟ କି ଆସେ ।
ଆନ ପ୍ରାଣୀ ଦୁଃଖ ଦେଖିକରି ଯଦି
ନେତ୍ର ଯାଏ ନାହିଁ ଭରି
ଆପଣା ଦୁଃଖରେ ଜନ ସମାଜରେ
କେମିତି କର ଗୁହାରି ।
ସାହାଯ୍ୟ କରିଲେ ସାହାଯ୍ୟ ମିଳଇ
ଏକଥାକି ଗଲ ଭୁଲି
ହାତ ଦେଇଥିଲେ ହାତ ଦେବାପାଇଁ
ପର ବି ଆସିବ ଚାଲି ।
ମଣିଷ ହୋଇଣ ମଣିଷର ବ୍ୟଥା
ହରିବାକୁ ଦ୍ୱିଧା କାହିଁ
ଏଇପରା ଅଟେ ପଶୁର ପ୍ରବୃତ୍ତି
ଅନ୍ୟ କଥା ଭାବେ ନାହିଁ ।
ବିପଦ ସମୟେ ହାତ ଯିଏ ଦିଏ
ଜଗତେ ମହତ ଜାଣ
ଅଳ୍ପ ହେଉ ପଛେ ସାହାସ ବଢ଼ାଇ
ହୃଦୟ ତାହାଙ୍କ ଜିଣ ।
ସାମାଜିକ ପ୍ରାଣୀ ଆମେ ଯେ ସଭିଏଁ
ବିପଦ ଆପଦ ଥାଇ
ବିପଦ ସମୟେ ପାଶେ ଠିଆ ହେଲେ
ବିପତ୍ତି ଯିବ ଦୁରେଇ ।
ସବୁଦିନ ପରା ସମାନ ନୁହଁଇ
ସୁଖ ପରେ ଦୁଃଖ ଆସେ
ଆପଣା ଖୁସିରେ ଅନ୍ଧ ଯିଏ ଥାଏ
ତାର କେତେ ଯାଏ ଆସେ ?
ବୋଝର ଉପରେ ନଳିତା ବିଡା ସେ
ଭାଙ୍ଗିଦିଏ ମନ ବଳ
ଅସମୟ ପୁଣି ଚିହ୍ନାଏ ସମ୍ପର୍କ
ବିଧିର ବିଚିତ୍ର ଖେଳ ।
ଆନ ଦୁଃଖେ ଯିଏ ପାଶେ ଠିଆ ହୁଏ
ଭୁଲି ସକଳ ସ୍ୱାର୍ଥକୁ
ସାଥେ ତାର କିଏ ରହୁ କି ନରହୁ
ଦୀନବନ୍ଧୁ ସାହା ତାକୁ ।
ମଣିଷ ଅଟଇ ମଣିଷର ବନ୍ଧୁ
ଏହା ହିଁ ବଡ଼ ବିବେକ
ବନ୍ଧୁ ଯଦି ବନ୍ଧୁ ବ୍ୟଥା ନ ହରଇ
କାହିଁ ଅଛି ତା’ ବିବେକ ।
ସାରା ବସୁଧାକୁ ନିଜର କୁଟୁମ୍ବ
ଯେଉଁ ନର ମଣୁଥାଏ
ମୃତ୍ୟୁ ପରେ ମଧ୍ୟ ଜନମାନସରେ
ଅମର ହୋଇକି ରୁହେ ।
ଧର୍ମାନନ୍ଦ ମହାରଣା
ମର୍ଦ୍ଦକୋଟ, ଗଞ୍ଜାମ
ଦୂରଭାଷ – 8917446441