ହଁ ମୁଁ ଧର୍ଷିତା
କିଏ କହିଲା !
କିଏ କହିଲା ନାହିଁ ମୋର
ସ୍ଵୀକୃତ ପରିଚୟ
ତୁମେ ସେ ଅବା ସେମାନେ ।।
ସତରେ! ଠିକ କହିଛ ତୁମେ
ମୁଁ ତୁମ ସୁନ୍ଦରୀ ପତ୍ନୀ ନୁହେଁ ,
ନାଁ କାହାର ଗେହ୍ଲା ଭଉଣୀ
ନାଁ ସ୍ନେହମୟୀ ମାଆ
ଅବା ଜେଜୀ ମାଆ କା’ର ।।
ଓଃ! ଲଜ୍ଜାବୋଧ ନା କ’ଣ
କହିବାକୁ ମୁଁ ତୁମ ନିଜର
କେବେ ବହିଛି ହୋଇ
ସ୍ନେହ ପାରାବାର
କେବେ ଧାରିଛି ଏ ଶକ୍ତ ବକ୍ଷରେ
ତୁମ ଉତ୍ତର ଦାୟଦଙ୍କୁ ।।
କିନ୍ତୁ ପଚାର ପଚାର ଆରେ ପଚାରନା
ଏଇ ବାକଶୂନ୍ୟ ମାଟିକୁ
ଯିଏ ଆଶ୍ରୟଦେଇଛି ମୋ ନଗ୍ନ ଦେହଟାକୁ
ଆରେ ପଚାର ଏ ବୃକ୍ଷରାଜିକୁ
ଯିଏ ଆବୃତ୍ତ କରିଥିଲା
ମୋର ଦାମୀ ନାରୀତ୍ବକୁ ।।
ପୁଣି ପଚାର ଏ ନୃତ୍ୟାଙ୍ଗନା ଝରଣାକୁ
ଯିଏ ନିଭେଇ ଦେଇଥିଲା
ଅପ୍ରତ୍ୟାଶିତ କଳଙ୍କମାନଙ୍କୁ
ଏଇ ପାହାଡ଼ କନ୍ଦରକୁ ପଚାର
ଯିଏ ଧୈର୍ଯ୍ୟ ଦେଇଥିଲା ମୋତେ
ସହିବାକୁ ଧର୍ଷଣର ନିଷ୍ଠୁର ପ୍ରହାର।।
ଏ ସଭିଏଁ ତ ଦେଇଥିଲେ ଆଶା
ନିଜେ ବଂଚି ଅନ୍ୟକୁ ବଞ୍ଚାଇବାର
ତେବେ ଭୟ ବା କାହାକୁ
ଯୋଡ଼ି ନୁହେଁ କାହା ସହ ମୁଁ
ମୋର ଅଛି ନିଜସ୍ୱ ପରିଚୟ
ମୁଁ ତ ଧର୍ଷିତା । ହଁ ହଁ ମୁଁ ଧର୍ଷିତା ।।
ସରସ୍ବତୀ ନାୟକ, ପୁରୀ