ଦୟାମୟ:-ଗୌତମ ବୁଦ୍ଧ
ଯୁଗେ ଯୁଗେ ଭଗବାନ ନାନା ରୂପେ
ନେଇଥାନ୍ତି ଅବତାର,
ସ୍ଥାପନ କରିବେ ଶାନ୍ତି ଓ ଧର୍ମର
ଜୟ କରିବେ ସତ୍ୟର..l
କୋଟିପୂଣ୍ୟ ପରେ ଲଭି ଆସିଥାନ୍ତି
ମଣିଷର କାୟା ଧରି,
ସେଇ ମଣିଷଙ୍କ ମଧ୍ୟରେ “ସିଦ୍ଧାର୍ଥ”
ଦୈବଗୁଣ ଦେହଧାରୀ l
ବୈଶାଖ ମାସ ଏ ପୂର୍ଣ୍ଣିମାତିଥିରେ
ମାୟାଦେବୀ-ଶୁଦ୍ଧୋଦନ,
ପୁତ୍ରରତ୍ନ ଟିଏ ଲୁମ୍ବିନୀ ଉଦ୍ୟାନେ
“ସିଦ୍ଧାର୍ଥ”ପ୍ରାପ୍ତ ଏ ଦିନ l
ବାଲ୍ୟକାଳୁ ନିଜ ମାତାଙ୍କୁ ହରାଇ
ବଢିଲେ ମାଉସୀ କୋଳେ,
ମାଉସୀଙ୍କ ନାମ ଗୌତମୀ ବୋଲିଣ
ଗୌତମ ନାମ ପାଇଲେ l
ବାଲ୍ୟକାଳଠାରୁ ଜୀବେ ଦୟାକରି
ହଂସଟିକୁ ପ୍ରାଣ ଦେଲେ,
ମହାଋଷିଙ୍କର ଅକାଟ୍ୟ ସେ ବାଣୀ
ଭବିଷ୍ୟେ ସନ୍ୟାସୀ ହେଲେ l
ବରଷ ଯେ ସେଇ ଛଅଶହ ତେଇଶି
ଖ୍ରୀଷ୍ଟପୂର୍ବେ ଜନ୍ମନେଇ,
“ଚାରିସତ୍ୟ” ର ସେ ଉଦ୍ଘାଟନ କଲେ
ଦିବ୍ୟଜ୍ଞାନ ପ୍ରାପ୍ତ ହୋଇ l
ଶାକ୍ୟରାଜା-ରାଣୀଙ୍କର ସେଇ ପୁତ୍ର
ରାଜକୀୟ ଯା’ ଜୀବନ,
ଯଶୋଧାରା ପତ୍ନୀ ପୁତ୍ରଟି ରାହୁଳ
କଟେଇ ଗୃହ ଜୀବନ l
ଉଦ୍ୟାନରେ ବୁଲି ଅନେକ ସମୟେ
ଦେଖି ଜୀବନ ସୋପାନ,
ବିତୃଷ୍ଣା ଜାଗ୍ରତ ହେଲା ତାଙ୍କ ପ୍ରାଣେ
ବିଳାସେ ବିମୁଖ ମନ l
ଏକଦା ବୃଦ୍ଧଙ୍କ ଜୀର୍ଣ୍ଣ ଶୀର୍ଣ୍ଣ କାୟା
ଋଗ୍ଣ ମଣିଷକୁ ଦେଖି,
ଦେଖି ଶବଟିଏ ଟେକା ଚାରିକାନ୍ଧେ
ତାଙ୍କ ମନ ହେଲା ଦୁଖି l
ଦେଖିଲେ ସନ୍ୟାସୀ ଆନନ୍ଦିତ ଅତି
ବିନା ଭୋଗ-ବିଳାସରେ,
ସେଇ ସନ୍ୟାସୀଙ୍କ ଅନୁଗାମୀ ହୋଇ
ଗୃହ ତ୍ୟାଗିଲେ ତତ୍ପରେ l
ବୋଧଗୟାଠାରେ ପିପ୍ପଳରମୂଳେ
ବୋଧିମନ୍ଦିର ପ୍ରାଙ୍ଗଣେ,
ଦିବ୍ୟଜ୍ଞାନାଲୋକ ପ୍ରାପତ କରିଲେ
ବିତରିଲେ ଶୁଦ୍ଧପ୍ରାଣେ l
ଆଷାଢ଼ ପୂର୍ଣ୍ଣିମା କାଶୀ-ସାରନାଥେ
ପ୍ରଥମ ଶିକ୍ଷା ସେ ଦେଲେ,
ଅଷ୍ଟାଙ୍ଗିକ ମାର୍ଗ ପଞ୍ଚଶୀଳ ତଥ୍ୟେ
ଅହିଂସା ନୀତି କହିଲେ l
ଜୀବେ ମାତ୍ରେ ଦୟା ଅହିଂସା ଆଚରି
କ୍ରୋଧ ରୁ ହେଲେ ନିବୃତ୍ତ,
ବୁଦ୍ଧଙ୍କ ଅହିଂସା ନୀତି ମୋକ୍ଷ ଦାୟୀ
ଚିରାନନ୍ଦ ଥିବ ଚିତ୍ତ l
ଅନ୍ତିମ କ୍ଷଣରେ ଭାରତବର୍ଷରେ
କୁଶୀନଗର ସେ ଜାଣ,
ପ୍ରାଣତ୍ୟାଗ କରି ଦିବ୍ୟାଲୋକ ଘେନି
ଲଭିଗଲେ ସେ ନିର୍ବାଣ l
ଦୁନିଆଁ କୁ ସିଏ କଲେ ଆଲୋକିତ
ଦେଖାଇ ଅହିଂସା ଦୀପ୍ତି,
ଧ୍ୟାନଯୋଗ ବଳେ ଜୀବେ ଦୟାକଲେ
ସର୍ବେ ଲଭିବାରେ ମୁକ୍ତି l
ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର
ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି-ମଣ୍ଡଳ (ବଲାଙ୍ଗିର)