ଚାରିଧାମ
ଜାନକୀ ମହାନ୍ତ
ସନାତନ ଧର୍ମେ ମୋକ୍ଷ ପ୍ରାପ୍ତ ହୁଏ
ଗସ୍ତକଲେ ଚାରି ଧାମ,
ସତ୍ୟେ ବଦ୍ରିନାଥ ଦ୍ୱ।ପରେ ଦ୍ୱାରିକା
ତ୍ରେତୟା’ ରାମେଶ୍ବରମ୍ ।।
ପ୍ରଭୁ କଳିଯୁଗେ ଜଗନ୍ନାଥ ଧାମେ
ଶ୍ରୀକ୍ଷେତ୍ରରେ ବିରାଜିତ,
ଚତୁର୍ଥ ଧାମଟି ଓଡ଼ିଶାର ମାଟି
ସନାତନ ଧର୍ମେ ଖ୍ୟାତ।।
ଚାରୋଟି ଯୁଗରେ ଚାରୋଟି ଧାମରେ
ପ୍ରଭୁ ହରି ଅବତରୀ,
ଧର୍ମ ସଂସ୍ଥାପନେ ଭକ୍ତଙ୍କ ଦର୍ଶନେ
ଧରାରେ ଆସ ଶ୍ରୀହରି ।।
୧)ବଦ୍ରିନାଥ:
ସତ୍ୟ ଯୁଗେ ତୁମେ ବଦ୍ରିନାଥ ନାମେ
ପ୍ରଭୁ ମୁକୁନ୍ଦ ମୁରାରି,
ହିମାଳୟ ପାଦେ ଉତ୍ତରାଖଣ୍ଡରେ
ସ୍ଥାପିତ ପ୍ରଭୁ ଶ୍ରୀହରି ।।
ଅଳକାନନ୍ଦାର କୂଳେ ବସି ଅଛ
ପ୍ରଭୁ କେଦାର ଖଣ୍ଡରେ,
କ୍ଷୀର ସାଗରରୁ ଆସି ଶାଳଗ୍ରାମେ
ବଦ୍ରିନାଥ ମନ୍ଦିରରେ ।।
କାର୍ତ୍ତିକୁ ବୈଶାଖ ଛ’ମାସ ବରଫ
ରୁଦ୍ଧ ମନ୍ଦିରର ଦ୍ୱ।ର,
ତପ୍ତ କୁଣ୍ଡ କୂପ ବିଚିତ୍ର ଏ ଦୃଶ୍ୟ
ପ୍ରସିଦ୍ଧ ଏହି ଜାଗାର ।।
ଛଅ ମାସ ବନ୍ଦ ଛଅ ମାସ ଖୋଲା
ଏ ମନ୍ଦିର’ ବିଶିଷ୍ଟତା,
ବଦ୍ରିନାଥ ଧାମ ଦର୍ଶନ କରିଲେ
ପୂଣ୍ୟ ଲଭେ ଅଛି କଥା ।।
୨) ରାମେଶ୍ବରମ:
ତ୍ରେତୟାରେ ରାମ କରିଲେ ତପସ୍ୟା
ଶିବଲିଙ୍ଗ ସ୍ଥାପନରେ,
ତାମିଲନାଡୁର ରାମେଶ୍ବର ଦ୍ଵୀପ
ସାଗର ସଙ୍ଗମ ସ୍ଥଳେ ।।
ବଙ୍ଗୋପ ସାଗର ଆରବ ସାଗର
ଭାରତ ମହାସାଗର,
ଏହି ସ୍ଥାନରେ ଯେ ହୁଅନ୍ତି ମିଳନ
ପୂଣ୍ୟତୋୟା ଏହି ଧାମ ।।
ଏହି ସ୍ଥାନେ ପ୍ରଭୁ କରି ମହାଯଜ୍ଞ
ଆଶୁତୋଷେ ତୋଷ କରି,
ଲଙ୍କା ଜୟ ଆଉ ସୀତାଙ୍କୁ ଉଦ୍ଧାର
ରାମଚନ୍ଦ୍ର ଥିଲେ କରି ।।
ରାମେଶ୍ଵରମ ଯେ ମହାପୂଣ୍ୟ ସ୍ଥାନ
ଦର୍ଶନରେ ମିଳେ ତୃପ୍ତି,
ଅସ୍ଥି ବିସର୍ଜନ କରିଲେ ସୁଜନ
ହୋଇ ଥାଏ ସ୍ୱର୍ଗ ପ୍ରାପ୍ତି ।।
୩)ଦ୍ବାରିକାନାଥ:
ଦ୍ୱାପର ଯୁଗରେ ଗୁଜରାଟ ରାଜ୍ୟେ
ପ୍ରଭୁ ସୌର।ଷ୍ଟ୍ର କ୍ଷେତ୍ରରେ,
ଗୋମତୀ ନଦୀ ଓ ସାଗର ସଙ୍ଗମେ
ସ୍ଥିତ ଦ୍ୱାରିକା ଧାମରେ ।।
ମଥୁରାରେ କୃଷ୍ଣ ଜନ୍ମ ଲାଭ କରି
ବ୍ରଜେ କଲେ ଗୋପଲୀଳା,
ଦ୍ୱାରିକାରେ ଆସି ଦ୍ୱାରିକାଧୀଶ ଯେ
ରାଜା ହେଲେ ରଚି (ନର) ଲୀଳା ।।
୪) ପୁରୀ ଜଗନ୍ନାଥ:
ନୀଳାଚଳ ଧାମେ ପ୍ରଭୁ ଜଗନ୍ନାଥ
ବସି ପୁରୀ ଶଙ୍ଖ କ୍ଷେତ୍ରେ,
ଧର୍ମ ନ୍ୟାୟ ରକ୍ଷା ଭକ୍ତଙ୍କ ସୁରକ୍ଷା
ପାଇଁ ନର ଦେହ ଧରେ ।।
ନୀଳ ଦରିଆର ମହୋଦଧି କୂଳେ
ନୀଳ କନ୍ଦରରେ ବସି,
ଶବର ଦିଅଁ ଯେ ଶୋଭା ପାଉଥାଏ
ଶ୍ରୀମନ୍ଦିରେ ହସି ହସି ।।
ଚତୁର୍ଥ ଧାମରେ ଚତୁର୍ଦ୍ଧାମୂର୍ତ୍ତି ଯେ
ପୁରୀରେ ଅଛନ୍ତି ବିଜେ,
ତାଙ୍କ ଦର୍ଶନରେ ପ୍ରଫୁଲ୍ଲିତ ମନେ
ଆତ୍ମା ଝୁମି ମୁକ୍ତି ଖୋଜେ ।।
ଚାରିଧାମର ଯେ ସଂସ୍ଥାପକ ଥିଲେ
ଆଦିଗୁରୁ ଶଙ୍କରାଚାର୍ଯ୍ୟ,
ସନାତନ ଧର୍ମ ପ୍ରଚାର ପ୍ରସାର
କଲେ ନ ହରାଇ ଧୈର୍ଯ୍ୟ ।।
ବେଙ୍ଗାଲୁରୁ
ଘର: ଲହୁଣୀପଡ଼ା ,ସୁନ୍ଦରଗଡ଼