#ବାପା
ବାପା! ତୁମେ ହିଁ ତ ନିଜ ସୃଷ୍ଟିମାନଙ୍କୁ
ସୁଚରିତ୍ର କରି ଗଢ଼ିବାକୁ…
ନିଜ ଚରିତ୍ର କୁ ଭିନ୍ନ ଭିନ୍ନ କରି ତୋଳି ଧରିଲ,
ପ୍ରତ୍ୟେକ ମଞ୍ଚରେ…..
ତୁମ ମାଂସ ମାନଙ୍କୁ ନିସଂକୋଚେ କାଟି ବିକି ଦେଲ
କେଇଟି ଆଉଟୁପାଉଟୁ ପେଟ ଥିରି ଯାଉଥିବା
ତେଜରାତି ଦୋକାନ ରେ….
ତୁମେ ! ତୁମ ରକ୍ତ କୁ ଝାଳ କହି
ବିଦ୍ବନ୍ଦେ ନିଗଡ଼େଇ ଦେଲ
କେଇଟି ଶୁଷ୍କ ଓଠ ବତୁରୁଥିବା ବିଲ ମଝିରେ….
କେବଳ ଝାଳ ନୁହେଁ ତ
ଲୁହ କୁ ବି ପିଇ ତୁମେ ତଣ୍ଟି ଚିପିଦେଲ
ନିଜ ଶୋଷ ମାନଙ୍କ ର…. !
କେବଳ ଲୁହ ନୁହେଁ ତ
କଷ୍ଟ, ଯନ୍ତ୍ରଣା, ଦୁଃଖ, ବେଦନା ର ବିଷ କୁ
ଗଳା ରେ ଚାପି ଧରି ସାଜିଲ ରୁଦ୍ର….!
ଶେଷରେ ଚାରିଆଡ଼େ ଡାକରା ପଡ଼ିଲା
ତୁମେ କୁଆଡେ, ପଥର ହୃଦୟ ମଣିଷ…..!!
ବାପା !
ତୁମେ ଶିଖେଇ ଦିଅ ନା
ବିନା ଅଭିଯୋଗେ ସବୁ ଅଭିଯୋଗ କୁ
ମୁଣ୍ଡପାତି ଆପଣାଇବା ର କଳା ଟା…,
ବୁଝାଇ ଦିଅ ନା
ଦୁଃଖ ମାନଙ୍କୁ ସୁଖ କହି ଖୁସି ହେବାର ସୂତ୍ର ଟା…,
ତୁମେ ବତେଇ ଦିଅ
ନିଜ ନିଦ କୁ ଭାଙ୍ଗି ଅନ୍ୟର ସ୍ଵପ୍ନମାନଙ୍କୁ ପୂରଣ କରିବାର ଇଚ୍ଛା ଟା….
ମୁଁ ଜାଣେ ,ମୋ ହାତ ପରସା ଅସମର୍ଥ
ତୁମ ଫଟା ଗୋଇଠି ର
ଆଁ କୁ ଚାପି ଧରି ନିବୁଜ କରିବାକୁ….
ମୁଁ ଜାଣେ ,ମୋ ଶିକ୍ଷିତ ପଣିଆ ଅଯୋଗ୍ୟ
ତୁମ କରଜ ଖାତା ର
ଦରଜ ମାନଙ୍କୁ ଫେଡିବା କୁ….
ମୁଁ ଜାଣେ, ମୋ କବିତା ର ଶବ୍ଦ ମାନେ ନିଅଣ୍ଟ
ତୁମ ଅଭାବୀ ମନ ର
ଭାବମାନଙ୍କୁ ବ୍ୟକ୍ତ କରିବାକୁ…..
ମୁଁ ଜାଣେ, ଏ କବିତା ଅସହଜ
ତୁମ ପୂର୍ଣ୍ଣ ହୃଦୟ ର
ଅପୂର୍ଣ୍ଣ ଭାବ ମାନଙ୍କୁ ବ୍ୟକ୍ତ କରିବାକୁ…
ହେଲେ ମୁଁ ତ ,
ତୁମ ରକ୍ତ,ମାଂସ, ଝାଳ ର ଜଣେ ପରୋକ୍ଷ ଗ୍ରାହକ….
ମୁଁ ତ,
ତୁମ ଇଚ୍ଛା, ସ୍ବପ୍ନ,ହସ,ଖୁସି,ସୁଖ ମାନଙ୍କୁ ଛଡେଇ ଆଣି
ତୁମ ଦୁଃଖ ମାନଙ୍କୁ ବଢ଼ାଇଥିବା
ଜଣେ ଅକିଞ୍ଚନ ମହାଜନ…
କେମିତି ଚେଷ୍ଟା କରି ନଥାନ୍ତି ,
ତୁମ ସହିଷ୍ଣୁ ପଣ ର ଅସହନୀୟ କାହାଣୀ ମାନଙ୍କୁ
ଲେଖିବା କୁ….
କେମିତି ଚାହିଁ ନଥାନ୍ତି,
ତୁମ ବିନା ଅଭିଯୋଗ ଭରା ଜୀବନ ବହିରୁ
ଦୁଃଖ ର ଗୋଟେ ପୃଷ୍ଠା ଚିରିବାକୁ….
ବାପା ତୁମେ କହି ଦିଅନା ,
ବିନା ପ୍ରଶ୍ନରେ ବଡ଼ ପ୍ରଶ୍ନବାଚୀ ଛାଡ଼ି ଯିବାର ଉତ୍ତର ଟା…..
ବାପା ତୁମେ ଜଣେଇ ଦିଅନା…
ପ୍ରତିଦିନ ଜୀବନ ସହ ଲଢ଼ି
କେଇ ଜଣ ଙ୍କୁ ଜୀବିତ କରିବାର ଆନନ୍ଦ ଟା….
ଶୀତ ରେ କମ୍ବଳ ,ଖରାରେ ପଖାଳ
ରୋଗରେ ବଇଦ,ଭୋଗରେ ଦଇବ
ବୋଲାଇବା ର କୌଶଳ ଟା..
ବାପା…!।
ଦୀପିକା ପେରେଇ
କେନ୍ଦୁଝର,