ଆମ କୃଷକ ଭାଇ
**************
ପୌଷ ମାସର ଏ ହାଡ଼ଭଙ୍ଗା ଜାଡ଼
ଥରାଇ ଦିଅଇ ଛାତି ,
କୃଷକ ଭାଇଟି ଖାତିରି ନ କରି
ଯାଏ ଧାନ ବିଲ କାଟି ।।
ବିଡ଼ା କରି ଧାନ ବୋହି ଆଣି ସବୁ
ଖଳାରେ ରଖନ୍ତି ମାଡ଼ି ,
ଟିଣ ଡବା ଥୋଇ କଚଡା ବାଡ଼ାନ୍ତି
ମଥାରେ ଗାମୁଛା ଭିଡ଼ି ।।
ଅନେକ ଉତ୍ସାହ ମନରେ ଭରିଣ
ଲକ୍ଷ୍ମୀ ମାତାଙ୍କୁ ସୁମରି ,
ପର ପାଇଁ ଖଟି ଅମଳ କରନ୍ତି
କେତେ ଯେ ଯତନ କରି ।।
ମଝିରେ ମଝିରେ ଥଟ୍ଟା ମଜା କଥା
କହି ମନକୁ ଭୁଲାନ୍ତି ,
ହାଟ ବଜାରର ଚାଲୁ ଗୀତ ଗାଇ
କଷ୍ଟକୁ ସହି ଯାଆନ୍ତି ।।
କଚଡ଼ା ଗୁଚ୍ଛକୁ ଗଦା କରି ମାଡ଼ି
କରିବେ ଘର ଛାଉଣୀ ,
ପଖାଳ କଂସାଏ ଧରିଣ ପହଞ୍ଚେ
ତାଙ୍କ ସୁନାନାକି ଘରଣୀ ।।
ଧାନ ନୁହେଁ ତାହା ଅନ୍ନପୂର୍ଣା ଦେବୀ
କରନ୍ତି ତା’ର ଯତନ ,
ସେସବୁ ତାଙ୍କର ଭାଗ୍ୟ ଓ ବିଧାତା
ଆମ ପାଇଁ ଅବଦାନ ।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର