ଯୌବନ ଜାନ୍ ଜାଉ
ଶୋଇଥାଏ ଯେବେ,ନିଦ ମାଉସୀର ଘନନୀଳ ଜରାୟୁରେ
କେହି ଆସେ ବାଟ ଭୁଲି,ପାହାନ୍ତି ତିନିଟା ପଇଁଚାଳିଶରେ
ପ୍ରୀତି ବାଢେ ତା’ର ପଦ୍ମମୁଖ, ବିମ୍ବ ଉଠ ତଳ କଳାଯାଇ
ମୋ ରୁକ୍ଷ ଫଣ୍ଡରୁ ଜନ୍ମେ ଉତ୍କଣ୍ଠାରେ ଭର୍ତ୍ତି, ଚିରସ୍ରୋତା ନଈ।।
ମୁଁ ଅଜଣା ରାଇଜର ସବୁ ଅସୁନ୍ଦର ପଣର ସାରାଂଶ
ଡହଡହ ବାଲି, ଆୟୁଷ ହଜା ମୁଠାଏ ଅଲୋଡ଼ା ପାଉଁଶ
ବିବର୍ଣ୍ଣ ଭାଗ୍ୟାକାଶ ତଳେ ଶାପିତ ଦରପୋଡ଼ା ମଧୁବନ
ପିତୃଶୁନ୍ୟ ଉପାଧି ଭୂଷିତ ଏକ ଧଡ଼ିବାଜ ପ୍ରୀତିତୃଷ୍ଣ ।।
ସେ ହେମଗୋରୀ,ସପନ ନାୟିକା ମଧୁସ୍ମିତା ମାଧବୀଲତା
ସ୍ନେହୀ ସ୍ମୃତିରେଖା, ଅଳସୀ,ଲାଜୁକୀ, ଅଭିମାନିନୀ କବିତା
ଦେହ ଢିହ, ହୃଦ ଅଧୀଶ୍ଵରୀ ପ୍ରଣୟ ବିରହୀ ପୁଣ୍ୟସ୍ମିତା
ଯାହାପାଇଁ ଲେଖେ ବିନିଦ୍ର ରଜନୀରେ ଫାଜିଲ ପ୍ରେମକଥା।।
ତା ଜାଫରାନ୍ ରଙ୍ଗ ଦେହର ଯୌବନ ଜାନ୍ ଜାଉ ତତଲା
ଚାଖିବାକୁ ଲୋଡ଼ା ପ୍ରୀତିମୟ ବେଳ ତାନ୍ତ,ପାଗଟେ କୋହଲା।।
ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା ସମ୍ପାଦକ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ