ଆମେ ଶୀତର ମିତ
ପ୍ରିୟମ୍ବଦା ରାଉତ
***************
ଶୀତରେ ଶୀତ, ଶୀତ
ଆମେ ତୋହରି ମିତ
ତୁଉ ଆମ ଜୀବନର ପରାଣ ମିତ,
କହୁଛି ସତ ।
ପଉଷ, ମାଘ ମାସରେ ଆସୁଛୁରେ ତୁହି,
ଉଷୁମ ଟାଣୁ ରେଜେଇ ଘୋଡେଇ ଯେ ହୋଇ,
ସକାଳ ସୂରୁଜ ତାତି ଦେହ ପାଇଁ ହିତ ।
କୁହୁଡି ଚାଦରେ ଧରା ଘୋଡାଇ ଦେଉ,
ଟୋପା ଟୋପା କାକରରେ ସୁନ୍ଦର ମହୀ,
ମୁକୁତା ବିନ୍ଦୁ ପରାଏ ହୁଏ ପ୍ରତୀତ ।
ସକାଳ ବୁଲା ଯେ ହୁଏ ଦେହ ପାଇଁ ହିତ ।
ସୋରିଷ ଫୁଲରେ ଧରା ନାଚି ଉଠଇ,
ସେବତୀ ଫୁଲରେ ଧରା ହସି ଉଠଇ,
କୃଷକର ମନ ନାଚେ ଦେଖି ତା କ୍ଷେତ ।
ପନିପରିବାରେ ଭରା ବାଡ଼ି ବଗିଚା,
ତଳେ ପଡିଛି କି ସତେ ଘାସ ଗାଲିଚା,
ବର୍ଷକର ଖାଦ୍ୟ ଦେଇ କରୁ ତୁ ହିତ ।
ଫୁଲଫଳେ ଭରା ଧରା କି ଉପମା ଦେବା ।
ଲକ୍ଷ୍ମୀମାଆ ବିଜେ କରିଛନ୍ତି ସତେ ଅବା,
କଷ୍ଟ କଲେ କୃଷ୍ଣ ମିଳେ ଦେଉ ଏ ଶିକ୍ଷା ତ ।
ପ୍ରିୟମ୍ବଦା ରାଉତ