ଅନୁଭୁତିରେ ମୋ ବିଦ୍ୟାଳୟ ଏବଂ ପିଲାଦିନ
📚📔🎒🚌🏫📼📇👨🏻🎓👩🏻🎓
କେବେକେବେ କିଛି କଥା ଆମ ଅସୁମାରୀ ସ୍ମୃତିଭରା କୋଠରୀର ଦରଜା ଖୋଲି ଦିଅନ୍ତିଯେ ଆମେ ନିର୍ବାକ ହୋଇଯାଇ କିଛି ସମୟ ଉତ୍ଫୁଲ୍ଲିତ ହୋଇଯାଉ।ବହୁ ଉଲ୍ଲାସପୂର୍ଣ ହୋଇଥାଏ ଏହି ସ୍ମୃତିର ଦୁନିଆ। ବିତି ଯାଇଥିବା ଗତକାଲିର କ୍ଷୁଦ୍ର କ୍ଷୁଦ୍ର ଉପାଦାନ ସବୁ ଆମ ଭାବନାରେ ଜୀବନ୍ତ କିମ୍ବଦନ୍ତୀ। ନା ତାକୁ କ୍ୟାମେରାରେ ରେକର୍ଡ କରିହୁଏ ନା ପୁନଃପ୍ରସାରଣ ହୁଏ ତାର ନା ତାକୁ ଅନ୍ୟକେହି ଅନୁଭବ କରି ପାରେ।କଲମ ଆଉ କାଗଜରେ ଯାହା ବି କିଛି ବର୍ଣ୍ଣନା କରାଯାଏ ତାହା ସେ ଅନୁପମ ଦିବ୍ୟ ଅନୁଭବର କଣିକାଟେ ମାତ୍ର। ସମୁଦ୍ରେ ସ୍ମୃତିକୁ ଶଙ୍ଖେ କରି ବର୍ଣ୍ଣନା କରିବା ଅସମ୍ଭବ। ତଥାପି ଯେତିକି ଲେଖିବି ସେ ତ ଅକୁହା କଥା, ଜାଣି ପାରୁନି , “କେମିତି ଲେଖିବି ମୁଁ!!!……”
ଶୀର୍ଷକ – କେମିତି ଲେଖିବି ମୁଁ!!!
✍🏻✍🏻✍🏻✍🏻✍🏻✍🏻✍🏻✍🏻✍🏻
ଭୋର ୪ଟା ରୁ ଉଠି ୧୫ମିନିଟ୍ ରାଜଯୋଗ। ତା ପରେ ଗାଧୋଇ ସାରି ଠାକୁର ପୂଜା। ପ୍ରାର୍ଥନା ମନ୍ତ୍ର ଘଣ୍ଟ ଘଣ୍ଟା ଘଣ୍ଟି ଆଳତି ରେ ନିଦ ଭାଙ୍ଗିଯାଏ ପୁରା ପରିବାର ର। ତା ପରେ ସମସ୍ତେ ନିତ୍ୟକର୍ମ କୁ ଯାଆନ୍ତି। ମୁଁ ଚା କରି ସମସ୍ତଙ୍କୁ କପେ କପେ ଦେଇ ବାହାରି ଯାଏ କୋଚିଂ। ସେଇଠି ବି ଭଗବାନଙ୍କ ଫଟୋ ଥାଏ। ତାଙ୍କୁ ପୂଜା କରିବା ପରେ ସହପାଠୀ ମାନେ କୋଠରୀ ରେ ପ୍ରବେଶ କରନ୍ତି। ତାଙ୍କ ମଧ୍ୟରେ ଶିକ୍ଷକ ମହୋଦୟ। ହେଲେ ମୋର ମାତ୍ର ୨ ଟା ମାତ୍ର ଲକ୍ଷ୍ୟ
୧- ସାର୍ ଙ୍କ ପାଦ ପାଖରେ ବସିବି।
୨- କବାଟ କୁ ସାମ୍ନା କରି ବସିବି।
ସାରଙ୍କ ପାଦ ପାଖରେ ବସି ଯେତେ ଜଲ୍ଦୀ ସମ୍ଭବ ପାଠ କରି ଦେଖେଇ ଦିଏ। ତା ପରେ ଅନ୍ୟ ସାଙ୍ଗ ମାନେ ଖାତା ଦେଖାଇବା ଭିତରେ ମୁଁ କବାଟ ଫାଙ୍କ ଦେଇ ବାହାରକୁ ଚାହେଁ। ସେଇଠି ଥିବା ଭିନ୍ନ ଭିନ୍ନ ବୃକ୍ଷଲତାରେ ଅସୁମାରୀ ବିହଙ୍ଗ। ତାଙ୍କ ମିଠା ମିଠା ସ୍ୱର ମୋତେ ଆକର୍ଷିତ କରିଥାଏ। ମାତ୍ର ଯାହା ମୁଁ ଅନୁଭବ କରେ ସେ ସବୁ ଆଉ କେହି ଅନୁଭବ କରି ପାରନ୍ତିନି। ସେଇ ପଟେ ମୁଁ ଗୁଣ୍ଡୁଚି ମାନଙ୍କ ଖେଳ, ବିଲେଇର ମିଆଉଁ ଶବ୍ଦ ଆହୁରି କେତେ କଣ ସବୁ ଶୁଣେ। ସେଇ ଭିତରେ ସାର୍ ଙ୍କ ଖାତାଦେଖା ସରିଯାଏ। ସାର୍ ମୋର ଏଇ ଗୁଣ ବିଷୟରେ ଭଲ ଭାବରେ ଜାଣିଥିଲେ। ତେଣୁ ସେ ମୋତେ ବାଡ଼ିରେ କିମ୍ବା ହାତରେ ଛୁଇଁ ଫେରେଇ ଆଣନ୍ତି ପାଠ ପଢ଼ା ଦୁନିଆ କୁ।ଏମିତିରେ କଟିଯାଏ ମୋ ପ୍ରତି ପ୍ରଭାତ। ତା ପରେ ଘରକୁ ଫେରେ ସାଇକେଲ ରେ। ସାଇକେଲ ଚଳାଏନି ତ , ଚଳାଏ ରକେଟ୍। ଘରେ ପହଞ୍ଚିଲା ପରେ ଜେଜେମା ଙ୍କୁ ଗାଧୋଇ ଦେଇ ଲୁଗା ସଫା କରି ସାରିବା ବେଳକୁ ମାଆ ସକାଳ ଜଳଖିଆ ପ୍ରସ୍ତୁତ କରି ଦିଅନ୍ତି। ମୁଁ ଖୁଆଇଦେଇ ନିଜେ ସ୍କୁଲ୍ ପାଇଁ ପ୍ରସ୍ତୁତ ହୁଏ। ସେଇ ଭିତରେ ମା ଗୋଟେ ପ୍ଲେଟ୍ ରେ ଭଜା କି ଚଟଣୀ ଆଣି ସେଥିରେ ପଖାଳ ଚିପୁଡ଼ି ଦିଏ। କାରଣ ମୋ ପାଖରେ ଖାଇବାକୁ ସମୟ ନଥାଏ। ମାଆ ଦେହ ବି ପ୍ରାୟ ଭଲ ରହେନା ସେତେବେଳେ। ଖାରବେଳ ରୋଷେଇ ପାଇଁ କିଛି ସାହାଯ୍ୟ କରିଦେଇ ଦଣ୍ଡାୟମାନ ଅବସ୍ଥାରେ ଖାଇ ଦେଇ ସାଇକେଲ କୁ ଧରି ବାହାରି ଯାଏ ସ୍କୁଲ୍। ସେଠି ଯାଇ ପହଁଞ୍ଚିବାକୁ ଡେରି ହୋଇଯାଏ। ପ୍ରାର୍ଥନା ପ୍ରାୟ ସାରିବା ଉପରେ କିମ୍ବା ସରିଯାଏ। ଶ୍ରେଣୀ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ୧୦୦ ପିଲାଙ୍କ ସାମ୍ନାରେ ଦଣ୍ଡ ଦିଅନ୍ତି। ତଥାପି ଖୁସି ରେ ସହିଯାଏ। କାରଣ ଡେରି ଜାଣି ଜାଣି ହେଇନି। ସ୍କୁଲ୍ ର ମଧ୍ୟାହ୍ନ ବିରତି ଓ ଛୁଟି ପରେ ମଧ୍ୟ ଘରେ ବହୁତ୍ କାମ ବାକି ଥାଏ। ସେତେବେଳେ ବି ମୋ ସାଇକେଲ ମୋ ପାଇଁ ରକେଟ୍ ହୋଇଯାଏ। ସେଥି ପାଇଁ ସ୍କୁଲ୍ ପିଲାମାନେ ମୋତେ ଚେନାଇ ଏକ୍ସପ୍ରେସ ଡାକୁଥିଲେ।
ଏପଟେ ସ୍କୁଲ୍ ର କ୍ୟାପଟେନ ଓ ଶ୍ରେଣୀର ମୁଖ୍ୟ ମନିଟର ପୁଣି ହେଡ୍ କମାଣ୍ଡର। ଦାୟିତ୍ଵ ଉପରେ ଦାୟିତ୍ଵ। ତା ଉପରେ ପାଠ ପଢ଼ା। ତା ଭିତରେ ଅପେକ୍ଷା ମୋ ସେଇ ସହପାଠୀ କୁ ଯିଏ ମୋର ଏକ ଧାରାରେ ସହପାଠୀ, ଅତି ଘନିଷ୍ଠ ବନ୍ଧୁ ଓ ମୋ ଭାଇ। ତା ସହ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଯାଏ ମୋ ସମୟ ଜଣା ପଡେନା। ମୋର ସବୁ କାମକୁ ସେ କମେଇ ଦିଏ। ମୋ ଦୁଃଖ ଦେଖି ପାରେନା। ମୁଁ ବି ତାର ପଦେ କଥାରେ ସାରା ଦିନର ଦୁଃଖ ଭୁଲିଯାଏ। ପାଠ ପଢା ଠାରୁ ବୁଲା ବୁଲି ଖେଳକୁଦ ଗପସପ ସବୁଥିରେ ଏକାଠି। ସେ ଥିଲା ଶ୍ରେଣୀ ମନିଟର, ହେଡ ଡ୍ରମ ପ୍ଲେୟର, ଆହୁରି ବହୁତ୍ କିଛି। ଆମ ସାଙ୍ଗରେ ଥାଆନ୍ତି ମୋର ଜଣେ ବାନ୍ଧବୀ ଆଉ ତାର ଜଣେ ବନ୍ଧୁ।ସେମାନେ ଆମକୁ ସବୁଥିରେ ସହଯୋଗ କରନ୍ତି। ଆମେ ୪ଜଣ ବହୁତ୍ ସାଙ୍ଗ ହଉ।
ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ମୁଁ ତା ହାତରେ ରାକ୍ଷୀ ବାନ୍ଧିଥିଲେ ମଧ୍ୟ ମୁଁ ସଂପୂର୍ଣ୍ଣ ଏହି ବିଷୟରେ ଭୁଲି ଯାଇଥିଲି। ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲି, ତା ଦିଦି ଙ୍କ ବାହାଘର କିଛିଦିନ ବାକି ଥିଲା ମୁଁ ଯାଇଥିଲି ତାଙ୍କ ଘରକୁ ସେଠି ଜାଣିବାକୁ ପାଇଥିଲି ଯେ ଆମେ ଖାଲି ସାଙ୍ଗ ନୁହଁ ଭାଇଭଉଣୀ। ସେ ମୋର ପ୍ରତି ମୁହୂର୍ତ୍ତରେ ସହଯୋଗୀ ଥିଲା। ସମ୍ପର୍କ କଣ୍ ସେ ବୁଝିଥିଲା। ହେଲେ ମୁଁ ବୋଧ ହୁଏ ଆଗରୁ ବୁଝି ନଥିଲି। ସେଇଦିନ ମୁଁ ଶପଥ ନେଲି ଭଉଣୀର କିଛି କର୍ତ୍ତବ୍ୟ କରିବି। ତା ନିଜ ଦିଦିଙ୍କ ସହ କେଇ ମୁହୂର୍ତ୍ତର କଥୋପକଥନ ପରେ ମୁଁ ତାଙ୍କ ପାରିବାର ବିଷୟରେ ଜାଣିବାକୁ ପାଇଥିଲି। କେତେ କଷ୍ଟ ଭିତରେ ସେମାନେ ରହୁଥିଲେ, ତାହା ବି ଜାଣିବାକୁ ପାଇଥିଲି। ତେଣୁ ପ୍ରତିଜ୍ଞା କଲି ସେଇ ପରିବାର ର ସ୍ଥିତି ରେ ସୁଧାର ଆଣିବା ପାଇଁ ଯେମିତି ପୁଅ ଦରକାର୍ ମୁଁ ତାକୁ ସେମିତି କରି ଗଢିବି ଆଉ ଯୋଉ ସ୍ଥାନରେ ସେ ପହଞ୍ଚିଲେ ପାରିବାରିକ ସମସ୍ୟାର ସମାଧାନ ହୋଇ ପାରିବ ସେଇ ସ୍ଥାନ ରେ ପହଞ୍ଚାଇବାକୁ ନିଷ୍ପତି ନେଲି ମାତ୍ର ମନରେ ଏତିକି ଆସୁଥିଲା,” ଯଦି ସେ ଆଗକୁ ଯିବା ପରେ ମୋତେ ଭୁଲିଯିବ! ମୋତେ ଆଉ ପଚାରିବନି!!ତାର ଆଉ ମୋ ଭିତରେ ଏଇ ଦୂରତାକୁ ମୁଁ କଣ ସହି ପାରିବି!!!” ତାକୁ ହରେଇବାର ସାହସ ମୋ ପାଖରେ ନଥିଲା। କିନ୍ତୁ ମନକୁ ଆସିଲା,”ମୁଁ ଯାହା ବି କରିବି ତାକୁ ହୁଏତ ସେ ଭୁଲିଯିବ ଆଉ ମୋ ଠୁ ଦୂରେଇଯିବା, କିନ୍ତୁ କାହା ପାଇଁ କିଛି ଭଲ କାମ କରିଛି ବୋଲି ମୁଁ ଶାନ୍ତିରେ ତ ନିଶ୍ବାସ ନେବି…..
ଶେଷରେ ଲକ୍ଷ୍ୟ-ସ୍ଥଳ ଅଭିମୁଖେ ଅଗ୍ରସର ହେଲି। ସେ ମୋର ପ୍ରତ୍ୟେକଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ମୋତେ ଭଉଣୀର ମର୍ଯ୍ୟାଦା ଆଉ ସମ୍ମାନ ବି ଦେଇଥିଲା। ବୋଧ ହୁଏ ତାର ଏଇ ନିଷ୍ଠା ଓ ଆନ୍ତରିକତା ତାକୁ ସଫଳତା ର ଶୀର୍ଷ ରେ ପହଞ୍ଚାଇଥିଲା। ଯେ ଶ୍ରେଣୀ ପରୀକ୍ଷା ରେ ୫୦-୬୦ ପ୍ରତିଶତ ନମ୍ବର ରଖୁଥିଲା ସେ ବୋର୍ଡ ପରୀକ୍ଷାରେ ସ୍କୁଲ୍ ଟପ୍ପର ହୋଇଥିଲା।
ସ୍କୁଲ୍ ଜୀବନ ଆମର ବହୁତ୍ ବାଧା ବିଘ୍ନ ଦେଇ ଗତି କରିବା ପରେ ବି ଆମର ଏଇ ସଫଳତାରେ ମୋ ଗର୍ବ ର ସୀମା ରହି ନଥିଲା। ସେଦିନ ମୋ ସ୍ବପ୍ନ ନେଇ ହୋଇଥିଲା। ଆଉ ତା ସହିତ ମୋ ପିଲାଦିନ ଜୀବନ ଅବିସ୍ମରଣୀୟ ଓ ଉଲ୍ଲାସପୂର୍ଣ୍ଣ ଥିଲା। ସେ ସବୁ ଦିବ୍ୟ ଅନୁଭବ। ତ୍ରୁଟି କ୍ଷମା କରିବେ। ସଂକ୍ଷେପରେ କେମିତି ଲେଖିବି ମୁଁ!!!……
✍🏻ଦିନେଶ ନନ୍ଦିନୀ ବେହେରା
କଟକ