🌹ବଉ ପ୍ରତି🌹(ଜୟ କୁମାର ମିଶ୍ର )
*************************
ବଉ ପଦ ପରା, ଅମୃତରେ ଭରା
ମମତାର ସିନ୍ଧୁ ସିଏ,
ସହନେ ବସୁଧା, ପ୍ରୀତି ମଧୁସୁଧା
କଳିକି ପାରିବ କିଏ ? ll
ସେହିତ ଜନନୀ, ପ୍ରେରଣା ଦାୟିନୀ
ଅନ୍ଧାରେ ଆଲୁଅ ଶିଖା,
ସକଳ ଦୁଃଖକୁ ଅନ୍ତରରେ ଧରି
ଚାଲୁଥାଏ ଏକା ଏକା ll
ଜଂଜାଳ ସହିଷ୍ଣୁତା ସହନଶୀଳତା
ଅଚଳ ସେ ମହାମେରୁ,
ତାର ହାତ ଧରି ଘରରୁ ବାହାରି
ଦୁବରୁ ହୋଇଛେ ଦାରୁ ll
ତ୍ୟାଗ ତପସ୍ବିନୀ, ଉଦାର ମେଦିନୀ
ବିଶାଳ ଗଗନ ମନ
ଦୟାର୍ଦର ସ୍ରୋତ, ଝରେ ଅବିରତ
ପବିତ୍ର ଗଙ୍ଗାର ମାନ ll
ସନ୍ତାନ ବଛଳା, ସେହିତ ସରଳା
ନାହିଁ ପଟ୍ଟାନ୍ତର ତାର,
ନବ ସକାଳର, ସେହି ଚିତ୍ରକର
ସୁଖର ସେ ଗନ୍ତାଘର ll
କେତେଯେ ଦେଇଛି ,ଶୁଭ ମାନlସିଛି
କୁଟୁମ୍ବ କଲ୍ୟାଣ ପାଇଁ,
ଶ୍ରମରେ ସାଧନ, ତlର ଅବଦାନ
ଅଭୁଲା ସ୍ମୃତିଟି ସେହି ll
ବିଧିର ବିଧାତା, ସେ ସୃଷ୍ଟି କରତା
ଦୂର ବହୁ ଦୂର କଲେ,
ନୟନର ଜ୍ୟୋତି,ପଡଇ ଯେଉଁଠି
ବଉ କୀର୍ତ୍ତିସବୁ ଖେଳେ ll
ଅବୁଝା ଏ ମନ, କରେ ସନ୍ତରଣ
ଦୁଃଖ ଦରିଆରେ ପଡି,
ଅମାନିଆଁ ଲୁହ, ଆବେଗର କୋହ
ନିଇତ ପଡଇ ଝଡି ll
ବଉଲୋ ମୋହର ଶୁଣିବୁଟି ଗୀର
କରୁଛି ଗୁହାରୀ ତୋତେ,
ତୋ ଶୁଭ ଆଶିଶ, କରୁ ମଥା ସ୍ପର୍ଶ
ଘେନୁ ସୁମଙ୍ଗଳ ପଥେ ll
କରି ଥିଲେ ଦୋଷ, ନରଖି ତୁ ରୋଷ
ମନରୁ ତୁ ପୁଛି ଦେବୁ,
ମୋମନ ଝୁରୁଛି, କେତେ ଖୋଜୁ ଅଛି
ଏକା ଏକାନ୍ତରେ ଏଵେ ll
ପାଶେ ପାଶେ ମୋର, ରହି ନିରନ୍ତର
ସୁପଥରେ ସଦା ନେବୁ,
ଆଗାମୀ ସମୟ, ସୁଖ ଶାନ୍ତିମୟ
ସମୃଦ୍ଧି ସରାଗ ଦେବୁ ll
*************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା -ଗଜପତି, ଓଡିଶା 761206, ଯୋଗାଯୋଗ -6372127449
289 total views, 1 views today