ଝରକା ସେପାଖେ
ଶତାବ୍ଦୀ ମୁଦିତ ଝରକା ସେପାଖେ
ଦିନେ ଦେଖିଥିଲେ ସ୍ବପ୍ନ
ସପନକୁ ସତ କରିବା ନିମିତ୍ତ
ଥିଲେ କର୍ତ୍ତବ୍ୟରେ ମଗ୍ନ
ଆଣିବାକୁ ଶୁଭ ଲଗ୍ନ
ସ୍ୱାର୍ଥର ପୋଷାକ ଉତାରି ଦେଇଣ
ସାଜିଥିଲେ ସିଏ ନଗ୍ନ
ଝରକା ସେପାଖେ ଦିନେ ଦିଶିଥିଲା
ରାମ ରାଜ୍ୟ ଦୀପ ଶିଖା
ମିଞ୍ଜି ଆଲୋକରେ ଅଙ୍କା ଯାଇଥିଲା
ବୀର ଭୂମି ଚିତ୍ର ରେଖା
ଲଭି ଏକତାର ଦୀକ୍ଷା
ଲକ୍ଷ ଲକ୍ଷ ବୀର ନେଲେରେ ଶପଥ
କରିବାକୁ ଦେଶ ରକ୍ଷା
ଝରକା ସେପାଖେ ଜଗି ରହିଥିଲା
ଅସଂଖ୍ୟ ଫିରିଙ୍ଗି ମୁନ
ଫିରିଙ୍ଗି ମୁନକୁ ନକରି ଖାତିରି
ବଢ଼ିଗଲେ ବୀର ଜନ
ଦେଇଥିଲେ ବଳୀଦାନ
ଯାହା ପାଇଁ ଆଜି କହୁ ସଗର୍ବରେ
ଆମେ ରେ ବନ୍ଧୁ ସ୍ୱାଧୀନ
ଇତିହାସ ଫର୍ଦ୍ଦେ ଲିପିବଦ୍ଧ ଆଜି
ଆମରି ବୀରଙ୍କ ଗାଥା
ପଥକୁ ତାଙ୍କର ଯିବା ଅନୁସରି
ଟେକିବା ମାଆର ମଥା
ଭୁଲିବାନି ଏହି କଥା
ଆମେ ପରା ପିଲା ଭାରତ ମାତାର
ଜନମ ନଯାଉ ବୃଥା
×××××××
ହୃଦୟ ରଞ୍ଜନ ପରିଡ଼ା
ସୁନାପାଳ, ବିଂଝାରପୁର, ଯାଜପୁର
299 total views, 1 views today
ଅତିସୁନ୍ଦର ❤❤