*ଝରକା ସେ ପାଖରେ* (କବିତା)🌹🌻
ଝରକା ଏ ପାଖେ ମୁଁ ଓ ସେପାଖେ ପୂର୍ଣ୍ଣମୀର ଇନ୍ଦୁ
ଜ୍ୟୋତ୍ସାବିଧୌତ ଏ ସମଗ୍ର ଧରଣୀ
ଚାନ୍ଦିନୀର ଛୁଆଁରେ ଭାବବିହ୍ୱଳିତ ଓ ମଗ୍ନ
ଚକୋରିଟିର ଚାନ୍ଦ ଲାଗି ଅନନ୍ତ ପ୍ରତୀକ୍ଷା ପରି
ଏ ମନ ଆଜି କାହା ପ୍ରତୀକ୍ଷାରେ ହୁଏ ବ୍ୟଗ୍ର ।।
ମାନସପଟରେ ଉଜ୍ଜୀବିତ ହୁଏ ଅତୀତର ସ୍ମୃତିମାଳା
କଳ୍ପନା ଜଗତେ ଭାବନା ରାଇଜେ
ଅନ୍ତର୍ମନ ଆଜି ଘୁରିବୁଲେ ଦିଶାହୀନ ଭାବେ
ମାୟା ମରୀଚିକାଟେ ପରି ସ୍ୱପ୍ନ ସବୁ
ବାସ୍ତବତାର ଭ୍ରମ ସୃଷ୍ଟିକରିବାରେ ଲାଗିପଡନ୍ତି ।।
ମଧୁର ମୁହୂର୍ତ୍ତମାନଙ୍କୁ ବାନ୍ଧିରଖିବାର ବୃଥା ପ୍ରୟାସଟି
ନିହାତି ହିଁ ମୂର୍ଖାମୀ ପ୍ରତ୍ୟୟ ହୁଏ ସଭିଁଙ୍କୁ
ଏ କ୍ଷଣଭଙ୍ଗୁର ସଂସାରରେ ସୁଖର ମୁହୂର୍ତ୍ତମାନ
ତୀବ୍ର ଗତିରେ ବିତିଯାଏ ଅନାୟାସରେ
ପରନ୍ତୁ ଦାରୁଣ ଦୁଃଖଦ ମୁହୂର୍ତ୍ତମାନ
କଛପ ଗତିରେ ଗତିଶୀଳ କରେ ।।
ଝରକା ଏ ପାଖେ ଜୀବନର ଅଙ୍କ କଷୁକଷୁ
କେତେ ଯେ ବିନିଦ୍ର ରଜନୀ ପାହିଯାଏ
ତା’ର ହିସାବ ରଖିବି କେବେ
ଗବାକ୍ଷର ସେପାଖରେ କିନ୍ତୁ
ପୁନେଇଁ ଜହ୍ନଟି ଖିଲିଖିଲି ହସ ହସି
କଟାକ୍ଷ ଇଙ୍ଗିତ କରୁଥାଏ ମୋତେ ।।
ଆଶା ଓ ବିଶ୍ୱାସକୁ ଏକମାତ୍ର ପାଥେୟ କରି
ବିତିଯାଏ ଜୀବନର ବାକିତକ ଆୟୁଷ
ପ୍ରେମର ରଜ୍ଜୁରେ ବନ୍ଧା ଏ ମନଟି
ଖୋଜେ ସାମାନ୍ୟ ଟିକେ ପ୍ରେମର ପରଶ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର
Muktirani Debata