ଝରକା ସେପାଖରେ
***********
ଶ୍ରାବଣ ରାତିରେ ଝରକା ସେପାଖୁ
ଟିପିଟିପି ବର୍ଷା ଛିଟା ପଡୁଥିବାର ଦେଖି
ମନ ବିଭୋରତା ଭିତରେ
ଆନମନା ହେଇଛି…ll
ଝିପିଝିପି ବର୍ଷା ଛିଟା
ମୋ ଝରକା ସେପାଖ ଦିଗନ୍ତରୁ ଆସି
ଦେହ ଭିଜାଇ ଦେଉଛି
ମେଘ ଡ଼ମ୍ବୁରୁ ର ତାଳେ ତାଳେ
ମୋ ପ୍ରିୟାର ନୁପୁର ର ରୁଣୁଝୁଣୁ ଶବ୍ଦ ଶୁଭୁଛି
ବିଜୁଳି ର ଚମକରେ ଛାତି ଚମକି ଉଠୁଛି
ଦୁଲୁକାଏ ମୃଦୁ ସମୀର ରେ
ଦେହ ମନ ପ୍ରାଣ ଶିହରିତ ହୋଇଉଠୁଛି
ତା ବିରହରେ ମନରେ ଅନେକ କଥା ଉଙ୍କି ମାରୁଛି ll
ଝରକା ସେପାଖୁ ତା ଚାନ୍ଦଉଦିଆ ମୁହଁ
ଝାପସା ଝାପସା ହୋଇ ଦିଶୁଛି
ତା ସାଥେ କେଜାଣି କେମିତି
ପ୍ରୀତି ହୋଇଗଲା ମୁଁ ଜାଣିପାରୁନି ll
ଆଖି କୋଣେ ସ୍ମୃତି ସବୁ ଢଳ ଢଳ
ହୋଇ ଭାସି ଉଠୁଛି
ସାଗରର ଢ଼େଉ ଗୁଡାକ ଯେମିତି
ଆଜି ମୋ ମନର କୂଳ ଲଙ୍ଘି ଯାଉଛନ୍ତି ll
ମୁଁ ଝରକା ଫାଙ୍କରୁ ତା
ଫେରିବା ବାଟକୁ ଅପେକ୍ଷା କରି ବସିଛି
ସେ ଫେରିଲେ ତା ନିଶ୍ୱାସ ସାଥେ
ନିଶ୍ୱାସ ମିଶାଇ
ଏଇ ନିଶିଦ୍ଧ ଶ୍ରାବଣ ରାତିରେ
ତା ପ୍ରୀତି ରେ ଭିଜିବି ll
ପାର୍ବତୀ ପ୍ରଧାନ