ଅ ସମାହିତ,,,,,,,,,,,,,
ପ୍ରସନ୍ନ କୁମାର ସାହୁ
******************************
ପ୍ରଶ୍ନ ଟିଏ ମୋର ମନରେ ରହିଛି
ଅ ସମାହିତ ରୂପର,
ବିଜ୍ଞ ଜନ କେହି ଆଗେଇ ଆସନ୍ତୁ
ଉତ୍ତର ଦେବେ ଏହାର।
ଉପସ୍ଥିତି ବୃଦ୍ଧ ଆଶ୍ରମ ଭାରତର
ପୁଣି ପିତୃ ଶ୍ରାଦ୍ଧ ଏଠି,
ଦୁଇଟି ହେଉଛି ବିକଳ୍ପ ବ୍ୟବସ୍ଥା
ପରସ୍ପର ଭେଟା ଭେଟି।
ଛାଡି ଦେଉ ବୃଦ୍ଧ ପିତାମାତା ଙ୍କୁ
ଅକ୍ଷମ ତାଙ୍କୁ ସେବିବା,
ମରଣ ପରେ ତାଙ୍କ ମୃତ ଆତ୍ମାକୁ
କାହିଁ ପିଣ୍ଡ ଦାନ ଦେବା।
ପିତାମାତା ସେବିବା ପାଇଁ ଅକ୍ଷମ
ଛାଡି ଦେଊ ଆଶ୍ରମରେ,
ତାଙ୍କ ପାଇଁ ଅଳ୍ପ ସ୍ଥାନର ଅଭାବ
ଆଲିସାନ ବଙ୍ଗଳାରେ।
ଆମରି ପାଳିତ କୁକୁର ପାଇଁକି
ତୁଳା ସେଜଟି ରହିଛି,
ବୃଦ୍ଧ ପିତାମାତା ବୃଦ୍ଧ ଆଶ୍ରମରେ
ମନ ଟି କିସ ହେଉଛି।
ମନ ମାରିଦେଇ ରହିଲେ କୁକୁର
ପଶୁ ଡାକ୍ତର ଆସୁଛି,
ତାଙ୍କରି ପରାମର୍ଶ ନେଇ ଔଷଧ
କିଣା ହୋଇ ଆସୁଅଛି।
ସକାଳ ସନ୍ଧ୍ୟା ଦୁଇ ବେଳା ପୁଣି
କୁକୁର ଭ୍ରମଣ ହୁଏ,
ବୃଦ୍ଧା ପିତାମାତାଙ୍କ ସେବା ପାଇଁ
ସମୟ ପୁଣି ନଥାଏ।
ମରିଯିବା ପରେ ପିତାମାତା ସବୁ
ସମୟ କିପରି ହୁଏ,
ଶୁଦ୍ଧି କ୍ରିୟା ପାଇଁ ବାର ଦିନ ଯାଏଁ
ଘରେ ସବୁ କିଛି ହୁଏ।
ବ୍ରାହ୍ମଣ ଭୋଜନ ପୁଣି ସବୁକିଛି
ପରମ୍ପରା ବୋଲି କହୁ,
ପରମ୍ପରା ନୁହଁ ପିତାମାତା ସେବା
ଆଶ୍ରମରେ ଛାଡ଼ି ଦେଉ।
ପିତାମାତା ସେବିବା ଅଟୁ ଅକ୍ଷମ
ଜିଅନ୍ତା ନ ଦେଉ ତୁଣ୍ଡେ,
ପିତୃ ଶ୍ରାଦ୍ଧ କରି କିଲାଭ ପାଇବା
ଅରପିଣ ବେଣା ମୁଣ୍ଡେ?
ଯେଉଁ ବିଜ୍ଞ ଜନ ମାନେ କହୁଛନ୍ତି
ପିତୃ ଶ୍ରାଦ୍ଧ ହେବା ଲୋଡା,
କହିଥିଲେକି ବୃଦ୍ଧ କାଳରେ ପିତା
ହୁଅଇ ଆମକୁ ଅଲୋଡା।
ସମାଜ ସର୍ବଦା ଘୃଣା କରିଥାଏ
ପିତାମାତା ନ ସେବିଲେ,
ସେହି ସମାଜକୁ ଅଣଦେଖା କରି
ବୃଦ୍ଧ ଆଶ୍ରମ ବରିଲେ।
ଆଜି କହୁଅଛୁ ସମାଜର କଥା
ପିତୃ ଶ୍ରାଦ୍ଧ କରୁଅଛୁ,
ସମାଜ କୁ ନୁହଁ ନିଜ ସ୍ୱାର୍ଥ କଥା
ସବୁ ବେଳେ ବିଚାରୁଛୁ।
ପ୍ରସନ୍ନ କୁମାର ସାହୁ
659 total views, 1 views today