ଅକ୍ଷର
——-
ଶୃତି ଶ୍ରବଣରେ ପ୍ରକୃତି ଦୃଶ୍ୟରୁ
ଅକ୍ଷର ହୋଇଛି ସୃଷ୍ଟି,
କ୍ରମ ବର୍ଦ୍ଧିଷ୍ଣୁଏ ମାନବ ସଭ୍ୟତା
ଯା ଉପରେ ଦେଲା ଦୃଷ୍ଟି।
ପ୍ରସ୍ତର ଉପରେ ତାମ୍ରଫଳକରେ
ସର୍ଜନା କଲେ ଅକ୍ଷର,
ଅଜନ୍ତା, ଏଲୋରା,ଧଉଳି ଶରୀରେ
ଖୋରାକ ଇତିହାସର।
ଅକ୍ଷର ଏମିତି ନିରବ ସ୍ରଷ୍ଟାଟେ
ନିରବେ କହଇ କଥା,
ବୁଝିଛି ଯେ ନର ମର୍ମଟି ତାହାର
ଅତୀତର ଗୁଣ ଗାଥା।
ବର୍ଣ୍ଣମାଳାର ଏ ଭଣ୍ଡାର ମଧ୍ୟରୁ
ବାହାରି ସେ ସଜ ହୁଏ,
ରୂପସୀ ,ମାନସୀ ଅଥବା ପିଆସୀ
ସ୍ରଷ୍ଟା ତାହାକୁ ସଜାଏ।
ସିଦ୍ଧ ମହାମୁନୀ ଲେଖନୀ ମୁନରେ
ଲେଖିଗଲେଟି ଅକ୍ଷର,
ଜୀବନ ପଥରେ ପ୍ରତିଫଳେ ତାହା
ଆଲୋକ ମୁକ୍ତି ପଥର।
ଅକ୍ଷର କରିଛି କବିଙ୍କୁ ଯେ ରବି
କରିଛି ସେ ପୁଣି ଶଶୀ,
ସିଦ୍ଧେଶ୍ଵରଙ୍କୁ ଯେ ଆଦିକବି କଲା
ଦେଖ ହେ ଜଗତବାସୀ।
ଉପେନ୍ଦ୍ର ହୋଇଲେ ସମ୍ରାଟରେ ଗଣା
ପ୍ରତିଭା ଯେ ମୂର୍ତ୍ତିଦେବୀ,
ସନ୍ଥକବି ପୁଣି ଜନ୍ମରୁ ଯେ ଅନ୍ଧ
କ’ଣ ବା ଉପମା ଦେବି?
ହସ ଫୁଟାଇଲେ କବି ଯଦୁମଣି
ଅକ୍ଷର ସମ୍ପଦ ଦେଇ,
କୁନ୍ତଳା ହୋଇଲେ ଉତ୍କଳ ଭାରତୀ
ଅକ୍ଷର ଆହ୍ୱାନ ନେଇ।
ତିନି ତୁଣ୍ଡ କଥା ଛେଳି କୁକୁରଟି
ଏକ ପଦ ଲେଖା ସାର,
ସମ୍ବିଧାନ ଆମ ଲିଖିତ ବୋଲିତ
ସଭିଙ୍କୁ ସମ ବିଚାର।
ଜଗନ୍ନାଥ ଦେଶେ ଅତିବଡୀ ଜନ୍ମି
ଶୁଣାଇଲେ ଭାଗବତ,
ଭାରତ ଜନନୀ କୋଳ ମଣ୍ଡିଛନ୍ତି
ଅକ୍ଷରେ ଦେଇ ବାରତା।
ତପସ୍ୱିନୀ ଜେନା, ଜଗତସିଂହପୁର, ଓଡିଶା
439 total views, 1 views today
ଭଲ ଲାଗିଲା କବିତା ଟି